jayashree

ଭୀମପାହାଡ଼ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଜମିଲା ସାଂସ୍କୃତିକ ଆସର

  • କଂସ ଦରବାରରେ ଦର୍ଶକ ବିଭୋର, ରକ୍ତଦାନ ଶିବିରରେ ୩୫ ୟୁନିଟ ସଂଗ୍ରହ, ୧୪୦ରୁ ଅଧିକଙ୍କ ଚକ୍ଷୁ ପରୀକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋକକଳା, ଲୋକସଂସ୍କୃତି ଓ ପରମ୍ପରାର ମହାମିଳନରେ ଉତ୍ସବମୁଖର ହୋଇଉଠିଛି ଭୀମପାହାଡ଼ ମହୋତ୍ସବ । ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମକୁନ୍ଦପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭୀମଡୁଙ୍ଗୁରୀ ପର୍ଯ୍ୟଟନସ୍ଥଳୀରେ ଆୟୋଜିତ ଦ୍ୱାଦଶ ଭୀମପାହାଡ଼ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଜମିଥିଲା ମନୋରଞ୍ଜନର ମହାଆସର । କଂସ ଦରବାର ସାଙ୍ଗକୁ ଆକର୍ଷଣୀୟ ସାଂସ୍କୃତିକ ପରିବେଷଣରେ ଦୁଲୁକିଥିଲା ମଞ୍ଚ । ହଜାର ହଜାର ଦର୍ଶକଙ୍କ ଭିଡ଼ରେ ଉତ୍ସବସ୍ଥଳୀ ଚଳଚଞ୍ଚଳ ହୋଇପଡ଼ିଥିଲା । ଭୀମପାହାଡ଼ ମହୋତ୍ସବ କମିଟି ଓ ଗିରିଗୋବର୍ଦ୍ଧନ ପୂଜା କମିଟି ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ରବିନ୍ଦ୍ର କୁମାର ସାହୁ ଓ ତାଙ୍କ ଟିମ୍‌ର କଂସ ଦରବାର ଦର୍ଶକଙ୍କ ମୁଖ୍ୟ ଆକର୍ଷଣ ସାଜିଥିଲା । ଏହାସହ ୨୪ ପ୍ରହରୀ ନାମଯଜ୍ଞ, ନାମସଂକୀର୍ତ୍ତନ, ଭଜନ ସନ୍ଧ୍ୟା ଓ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ ମହୋତ୍ସବର ମାହୋଲକୁ ଆହୁରି ରଙ୍ଗୀନ କରିଥିଲା । ମୀନାବଜାର ଓ କୃଷିମେଳା ମଧ୍ୟ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରିଥିଲା । କେବଳ ମନୋରଞ୍ଜନ ନୁହେଁ, ସେବା ଓ ମାନବିକତାର ବାର୍ତ୍ତା ମଧ୍ୟ ଦେଇଥିଲା ମହୋତ୍ସବର ତୃତୀୟ ଦିବସ । ସାମାଜିକ ଅନୁଷ୍ଠାନ ମା’ ମାହେଶ୍ୱରୀ ସେନା ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ, ପଣ୍ଡାପାଲି ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ପୁଷ୍ପାଞ୍ଜଳି ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରର ଶୁଭାରମ୍ଭ କରିଥିଲେ । ଶିବିରରୁ ମୋଟ ୩୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ୧୪୦ରୁ ଅଧିକ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ବଲାଙ୍ଗିର ରକ୍ତଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହରେ ସହଯୋଗ କରିଥିବା ବେଳେ ମହାନଦୀ ନେତ୍ର ଚିକିତ୍ସାଳୟର ଡାକ୍ତରମାନେ ଚକ୍ଷୁ ପରୀକ୍ଷା କରିଥିଲେ । ମା’ ମାହେଶ୍ୱରୀ ସେନାର ଜିଲ୍ଲା ସଭାପତି ମନୋଜ କରନଙ୍କ ସମେତ ରମାକାନ୍ତ ମେଶ୍ୱା, ସୁରେଶ କମ୍ପ, ଯୁଗଲାଲ ପଧାନ, ଜିତୁ ଚାଉଲିଆ, ପ୍ରଶାନ୍ତ ପଧାନ, ଆନନ୍ଦ ଡାଙ୍ଗ, ଆଜାଦ କଲତା, ସୁନିଲ ପଧାନ, ଅବିନାଶ କମ୍ପ ଓ ଗଜାନନ ପଧାନଙ୍କ ନେତୃତ୍ୱରେ ବହୁ ଯୁବକ ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇଥିଲେ । ସନ୍ଧ୍ୟାରେ ମହୋତ୍ସବ କମିଟିର ସଭାପତି ପ୍ରମୋଦ ବହିଦାରଙ୍କ ଅଧ୍ୟକ୍ଷତା ଓ କମିଟି ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେରଙ୍କ ସଂଯୋଜନାରେ ସାଂସ୍କୃତିକ ସଭା ଆୟୋଜିତ ହୋଇଥିଲା । ଏଥିରେ ଦେଓଗାଁ ବିଡିଓ ପ୍ରିୟରଞ୍ଜନ କୁମାର ମୁଖ୍ୟ ଅତିଥି ଏବଂ ସଦର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ କଳାକାର ତଥା ଦେଓଗାଁ ବିଡିଓ ପ୍ରିୟରଞ୍ଜନ କୁମ୍ଭାରଙ୍କୁ ଭୀମପାହାଡ଼ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସାଂସ୍କୃତିକ ବିଚିତ୍ରାରେ ବଲାଙ୍ଗିରର ସଂଜ୍ୟୋତ କଳାକେନ୍ଦ୍ର, କୋଶଳ ଫୋକ୍ ଏକାଡେମୀ, ପୁଇଁତଳାର ଘୁଙ୍ଗୁରୁ କଳା ପରିଷଦ, ଜରାସିଂହା ପବ୍ଲିକ ସ୍କୁଲ ଓ ତୁଷୁରାର ତୋଷାଳୀ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ନିଜର କଳା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ । ମହୋତ୍ସବ କମିଟିର ସମ୍ପାଦକ ଗୋବର୍ଦ୍ଧନ ସାହୁ, କୋଷାଧ୍ୟକ୍ଷ ଅଭିମନ୍ୟୁ ମାଝୀ, ଉପଦେଷ୍ଟା ଶୈଳେନ୍ଦ୍ର ସାହୁ, ଦୟାସାଗର ମହାକୁର, ରାଜେଶ ନାଏକ, ନନ୍ଦିକିଶୋର ନାଏକଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଆୟୋଜନରେ ସହଯୋଗ କରିଥିଲେ । ଅନ୍ୟପଟେ ମହୋତ୍ସବରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଦେଓଗାଁ ଓ ତୁଷୁରା ପୋଲିସ ମୁତୟନ ରହିଥିଲେ। ଲୋକକଳା, ସଂସ୍କୃତି ଓ ପରମ୍ପରା ସହ ସାମାଜିକ ସେବାର ଅନନ୍ୟ ସମନ୍ୱୟ ଭାବେ ଭୀମପାହାଡ଼ ମହୋତ୍ସବର ତୃତୀୟ ସନ୍ଧ୍ୟା ସମସ୍ତଙ୍କ ମନରେ ସ୍ମରଣୀୟ ହୋଇ ରହିଥିଲା ।

Leave A Reply

Your email address will not be published.