
ଗିରିଗୋବର୍ଦ୍ଧନ ବୃଦ୍ଧାଶ୍ରମ ଶୁଭାରମ୍ଭ ଅବସରରେ ସଂକଳ୍ପ ପରିବାରର ରକ୍ତଦାନ ଶିବିର, ୫ ମହିଳାଙ୍କ ସମେତ ୪୦ ଜଣଙ୍କ ରକ୍ତଦାନ
ବରଗଡ଼, (ମୁନ୍ନା ସାହୁ) : ଭଟଲି ବ୍ଲକ ଅନ୍ତର୍ଗତ ନଲିଛୁଆଁଠାରେ ପବିତ୍ର ଗିରିଗୋବର୍ଦ୍ଧନ ପୂଜା ଅବସରରେ ନବନିର୍ମିତ ଗିରିଗୋବର୍ଦ୍ଧନ ବୃଦ୍ଧାଶ୍ରମର ଶୁଭାରମ୍ଭ ଅବସରରେ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ୫ ଜଣ ମହିଳାଙ୍କ ସମେତ ମୋଟ ୪୦ ଜଣ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ । ସେମାନଙ୍କ ମଧ୍ୟରୁ ଅନେକ ପ୍ରଥମ ଥର ପାଇଁ ରକ୍ତଦାନ କରି ମାନବିକତାର ପରିଚୟ ଦେଇଥିଲେ । ଏହି ଶିବିରକୁ ମୁଖ୍ୟ ଅତିଥି ଭାବେ ସୁକୁଡ଼ା ଗ୍ରାମର ପୂର୍ବତନ ସରପଞ୍ଚ ବିରୁପାକ୍ଷ ପଧାନ ଏବଂ ସମ୍ମାନିତ ଅତିଥି ବିଶ୍ୱ ବୁଦ୍ଧିଆ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଆଶ୍ରମ ପରିଚାଳନା କମିଟିର ଦୁର୍ଗାପ୍ରସାଦ ଅଗ୍ରୱାଲ, ରମାକାନ୍ତ ପଣ୍ଡା, ଅକ୍ଷୟ ସାହୁ ଓ ନରେନ୍ଦ୍ର ମାଝୀଙ୍କ ସହଯୋଗରେ ଶିବିରଟି ସଫଳତାର ସହ ଆୟୋଜିତ ହୋଇଥିଲା । ସଂକଳ୍ପ ପରିବାରର ସଭାପତି ବିକାଶ ଅଗ୍ରୱାଲଙ୍କ ସହ ଯଶୋବନ୍ତୀ ପୋଢ଼, ସୁରେନ୍ଦ୍ର ଭୁଏ, ରଞ୍ଜିତ ସାହୁ, ବିକାଶ ଭୋଇ, ଅସିତ ଖମାରୀ, ଶେଷଦେବ ପଧାନ, ପିଙ୍କୁ ପଣ୍ଡା, ଅନନ୍ତ ଚରଣ ସାହୁଙ୍କ ସମେତ ସଂଗଠନର ବହୁ ସଦସ୍ୟ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ । ଶିବିରରେ ଯୋଗଦେଇ ରକ୍ତଦାନ କରିଥିବା ସମସ୍ତ ୪୦ ଜଣ ରକ୍ତଦାତାଙ୍କୁ ସଂକଳ୍ପ ପରିବାର ପକ୍ଷରୁ ହୃଦୟରୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ବୃଦ୍ଧାଶ୍ରମର ଶୁଭାରମ୍ଭ ଭଳି ଏକ ମହତ୍ତ୍ୱପୂର୍ଣ୍ଣ ଅବସରରେ ରକ୍ତଦାନ ଶିବିରର ଆୟୋଜନ ସେବା ଓ ମାନବିକତାର ଏକ ସୁନ୍ଦର ଉଦାହରଣ ପାଲଟିଥିଲା ।