jsm

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଭୋଜନ ବେଳେ ଛୁଆଁ ଅଛୁଆଁ ଭେଦଭାବ ପ୍ରଦର୍ଶନ ଅଭିଯୋଗ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଭୋଜନ ବେଳେ ଛୁଆଁ ଅଛୁଆଁ ଭେଦଭାବ ପ୍ରଦର୍ଶନ କରାଯାଇଥିବା ଭଳି ଏକ ଅଭାବନୀୟ ଘଟଣାକୁ ନେଇ ବଲାଙ୍ଗିର ସାମ୍ବାଦିକ ଭବନରେ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ବଲାଙ୍ଗିର ଜିଲ୍ଲା ମୂଳନିବାସୀ ଯୁବ ପରିଷଦର ସଭାପତି ପ୍ରଭାତ ମହାନନ୍ଦ କହିଛନ୍ତି ଯେ, ଦେଓଗାଁ ବ୍ଲକ୍ ଅନ୍ତର୍ଗତ ବଡ଼ବନ୍ଧ ପଞ୍ଚାୟତରେ ଗତ ୧୩ ତାରିଖ ମଙ୍ଗଳବାର ଦିନ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଭୋଜନର ବ୍ୟବସ୍ଥା ମଧ୍ୟ ହୋଇଥିଲା । ଭୋଜନ ଆଣିବା ପାଇଁ ଖଲି ନେଇ ଯେତେବେଳେ କରୁଆଁଝର୍ ଓ ବଡ଼ବନ୍ଧର କିଛି ଦଳିତ ମା’ମାନେ ଲାଇନ୍‌କୁ ଆସିଲେ ସେତେବେଳେ ବଡ଼ବନ୍ଧ ଗ୍ରାମ ପଞ୍ଚାୟତର ସରପଞ୍ଚ ଜଗବନ୍ଧୁ ମେହେର ଦଳିତ ମା’ମାନଙ୍କୁ ବାରଣ କରିବା ସହ ସେମାନଙ୍କ ପାଇଁ ଅଲଗା ରୋଷେଇ ଓ ଲାଇନ୍ ବ୍ୟବସ୍ଥା ହୋଇଛି ବୋଲି କହିଥିଲେ । ଏହାପରେ ଏଭଳି ଅପମାନର ଶିକାର ହୋଇଥିବା ଦଳିତ ମା’ମାନେ ସେଠାରେ ଭୋଜନ ନକରି ନିଜ ନିଜ ଘରକୁ ଚାଲି ଆସିଥିଲେ । ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଜଣେ ନିର୍ବାଚିତ ଜନ ପ୍ରତିନିଧି ଏଭଳି ଛୁଆଁ ଅଛୁଆଁ ଭେଦଭାବ ପ୍ରଦର୍ଶନ କରିବା ଘଟଣାକୁ ମୂଳନିବାସୀ ଦଳିତ ସମାଜ ନିନ୍ଦା କରିବା ସହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବଡ଼ବନ୍ଧ ଗ୍ରାମ ପଞ୍ଚାୟତର ସରପଞ୍ଚ ଜଗବନ୍ଧୁ ମେହେରଙ୍କ ଗିରଫ୍ ଦାବୀ କରିଛି । ଆଟ୍ରୋସିଟି ଆକ୍ଟ ଅନୁସାରେ ମାମଲା ରୁଜ୍ଜୁ ହୋଇଥିବା ସତ୍ୱେ ସଂପୃକ୍ତ ସରପଞ୍ଚଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ପରିତାପର ବିଷୟ ବୋଲି ପ୍ରେସ୍‌ମିଟ୍‌ରେ କୁହାଯାଇଛି ।

yuvodaya
Leave A Reply

Your email address will not be published.