
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା, ଋତୁସ୍ରାବକୁ ନେଇ ଲଜ୍ଜା ଓ ଅନ୍ଧବିଶ୍ୱାସ ଦୂର କରିବା ପାଇଁ ମାସିକା କେୟାର ପକ୍ଷରୁ ୪ର୍ଥ ଋତୁସ୍ରାବ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଛି । ରାଉରକେଲା ସୋନାପର୍ବତ ହାଇସ୍କୁଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮୮ ଜଣ ଛାତ୍ରୀ ଓ ଶିକ୍ଷକ ଯୋଗ ଦେଇଥିଲେ । ମାସିକା କେୟାରର ପ୍ରତିଷ୍ଠାତା ଭୀଷ୍ମ ପଶାୟତ ଓ ହୃଷୀକେଶ ଦାସ ଏହାର ନେତୃତ୍ୱ ନେଇଥିଲେ । ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ଛାତ୍ରୀଙ୍କୁ ମେନାର୍କି, ଖାଦ୍ୟପେୟ, ଜୀବନଶୈଳୀ, ଅନିୟମିତ ଋତୁସ୍ରାବ ଓ ଡାକ୍ତରଙ୍କ ପରାମର୍ଶ ବିଷୟରେ ବୁଝାଯାଇଥିଲା । ପ୍ରଥମେ ସଂକୋଚ କରୁଥିବା ଛାତ୍ରୀମାନେ ପରେ ଖୋଲାଖୋଲି ନିଜ ସମସ୍ୟା କହିଥିଲେ । ଏହି ଅବସରରେ ଏଆଇ ଆଧାରିତ ମାସିକା କେୟାର ଆପ୍ ମାଧ୍ୟମରେ ପ୍ରାଥମିକ ମୂଲ୍ୟାଙ୍କନ କରାଯାଇଥିଲା । ଅନିୟମିତ ଋତୁସ୍ରାବ ଥିବା ଛାତ୍ରୀଙ୍କୁ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ କୁହାଯାଇଥିଲା । ଏହା ପୂର୍ବରୁ ବଲାଙ୍ଗିର, ଭୁବନେଶ୍ୱର ଜିଆଇଏଫ୍ଟି କଲେଜ ଓ ବାଲେଶ୍ୱର ସିମୁଳିଆରେ ତିନୋଟି ଅଭିଯାନ ହୋଇସାରିଛି । ଋତୁସ୍ରାବ ଲଜ୍ଜା ନୁହେଁ, ଏହା ସ୍ୱାଭାବିକ ପ୍ରକ୍ରିୟା । ଖୋଲା ଆଲୋଚନା ହିଁ ସୁସ୍ଥ ସମାଜ ଗଠନ କରିବ ବୋଲି ମାସିକା କେୟାର ପକ୍ଷରୁ କୁହାଯାଇଛି ।