jayashree

ଧୁମ୍‌ଧାମରେ ପାଳିତ ହେଲା ଧରତୀ ଆବା ଭଗବାନ ବୀର ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ

  • ବିର୍ସା ମୁଣ୍ଡାଙ୍କ ଜୀବନୀ ଓ ଆଦର୍ଶ ସମଗ୍ର ମାନବ ସମାଜ ପାଇଁ ପ୍ରେରଣାର ଉତ୍ସ : ବିଧାୟକ ଦୁର୍ଗା ଚରଣ ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦିବାସୀ ଅସ୍ମିତା, ସ୍ୱାଭିମାନ ଓ ସଂସ୍କୃତିର ସୁରକ୍ଷା ପାଇଁ ଯିଏ ଜୀବନବ୍ୟାପୀ ସଂଘର୍ଷ କରିଥିଲେ, ସେହି ମହାନ ଜନନାୟକ ଧରତୀ ଆବା ଭଗବାନ ବୀର ବିର୍ସା ମୁଣ୍ଡାଙ୍କ ୧୫୧ତମ ଜନ୍ମଜୟନ୍ତୀ ରାଉରକେଲାରେ ମହାଆଡମ୍ବରରେ ପାଳିତ ହୋଇଛି । ସ୍ଥାନୀୟ ସେକ୍ଟର-୧୩ ମେଳଣ ପଡ଼ିଆରେ ଧରତୀ ଆବା ବୀର ବିର୍ସା ମୁଣ୍ଡା ଜୟନ୍ତୀ କମିଟି ପକ୍ଷରୁ ଏହି ଭବ୍ୟ ଆୟୋଜନ କରାଯାଇଥିଲା । ଏହି ଅବସରରେ ସୁନ୍ଦରଗଡ଼ ଜିଲ୍ଲା ସମେତ ପଡ଼ୋଶୀ ଛତିଶଗଡ଼, ଝାଡ଼ଖଣ୍ଡ ଓ ବିହାରର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଆଦିବାସୀ ଯୋଗଦେଇଥିଲେ । ପାରମ୍ପରିକ ବେଶଭୂଷା, ନୃତ୍ୟ ଓ ବାଦ୍ୟର ତାଳେ ତାଳେ ଉତ୍ସବମୁଖର ହୋଇଉଠିଥିଲା ସମଗ୍ର ପରିବେଶ । ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଦୁର୍ଗା ଚରଣ ତନ୍ତୀଙ୍କ ଉପସ୍ଥିତିରେ ଓ ମୁଖ୍ୟ ଅତିଥି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଦ୍ୱାରା ଭବ୍ୟ ଶୋଭାଯାତ୍ରାର ଶୁଭାରମ୍ଭ ହୋଇଥିଲା । ଶୋଭାଯାତ୍ରା ସେକ୍ଟର-୧୩ରୁ ବାହାରି ସହରର ବିଭିନ୍ନ ସେକ୍ଟର ପରିକ୍ରମା କରି ବିଶ୍ରା ଛକରେ ପହଞ୍ଚିଥିଲା । ସେଠାରେ ମନ୍ତ୍ରୀ ରବି ନାରାୟଣ ନାଏକ, ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ସମେତ ଅନ୍ୟ ଅତିଥିମାନେ ବୀର ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ଆୟୋଜିତ ସଭାରେ ବିଧାୟକ ଦୁର୍ଗା ଚରଣ ତନ୍ତୀ କହିଥିଲେ ଯେ, ଭଗବାନ ବିର୍ସା ମୁଣ୍ଡା କେବଳ ଆଦିବାସୀ ସମାଜର ନୁହନ୍ତି, ବରଂ ସମଗ୍ର ମାନବ ସମାଜ ପାଇଁ ପ୍ରେରଣାର ଉତ୍ସ । ଦେଶର ସ୍ୱାଧୀନତା ସଂଗ୍ରାମ ଓ ଆଦିବାସୀ ଅଧିକାରର ସୁରକ୍ଷା ପାଇଁ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ଆଦର୍ଶକୁ ଅନୁସରଣ କରି ନିଜ ଜାତି, ଧର୍ମ, ପରମ୍ପରା ଓ ସଂସ୍କୃତିର ସୁରକ୍ଷା ଦିଗରେ ସମସ୍ତେ ନିଃସ୍ୱାର୍ଥପର ଭାବେ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ । ସନ୍ଧ୍ୟାରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ଲୋକପ୍ରିୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଓ ତାଙ୍କ ଦଳର ସଙ୍ଗୀତ ପରିବେଷଣ ଉତ୍ସବର ଆକର୍ଷଣ ବଢ଼ାଇଥିଲା । କମିଟିର ସଭାପତି ବାସୁ ସରଘରିଆ, ସାଧାରଣ ସମ୍ପାଦକ ଉମେଶ ନାଗ, କୋଷାଧ୍ୟକ୍ଷ ଅଶୋକ ଖାଲକୋଙ୍କ ସମେତ ସମସ୍ତ ସଦସ୍ୟ ଏହି ଆୟୋଜନକୁ ସଫଳ କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.