jayashree

ନବନିର୍ବାଚିତ ଓଷ୍ଟା ରାଜ୍ୟ ନେତୃବୃନ୍ଦଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ (ଓଷ୍ଟା), ବଲାଙ୍ଗିର ଜୋନ୍ ପକ୍ଷରୁ ଭଗବାନ ବିଦ୍ୟା ମନ୍ଦିର, ଖୁଜେନପାଲିଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ସଭା ବ୍ଲକ ସଭାପତି ସୁରେଶ କୁମାର ଷଢଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଭାରେ ନବନିର୍ବାଚିତ ଓଷ୍ଟା ରାଜ୍ୟ ସମ୍ପାଦକ ଅନିଲ କୁମାର ସାହୁ ଏବଂ ରାଜ୍ୟ ସହ-ସମ୍ପାଦକ ସୁଶାନ୍ତ କୁମାର ଦାଶଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ସ୍ମାରକ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ସମାଜର ହକ୍ ଓ ସ୍ୱାର୍ଥର ସୁରକ୍ଷା ସହ ଶିକ୍ଷା ବ୍ୟବସ୍ଥାର ଉନ୍ନତି ଦିଗରେ ସଂଗଠନର ଭୂମିକାକୁ ଆହୁରି ସୁଦୃଢ଼ କରିବା ନେଇ ଏହି ଅବସରରେ ଆଶା ପ୍ରକାଶ କରାଯାଇଥିଲା । ଅତିଥିମାନଙ୍କୁ ସ୍ୱାଗତ ଜଣାଇ ବଲାଙ୍ଗିର ବ୍ଲକ ସମ୍ପାଦକ ସଞ୍ଜୟ କୁମାର ତ୍ରିପାଠୀ ଶିକ୍ଷକ ସମାଜ ପ୍ରତି ସେମାନଙ୍କ ଅବଦାନ ଏବଂ ସଂଗଠନ ପ୍ରତି ନିଷ୍ଠାପର କାର୍ଯ୍ୟଧାରାର ଉଚ୍ଚ ପ୍ରଶଂସା କରିଥିଲେ । ଶିକ୍ଷକ ଲଲାଟ କେଶରୀ ପଧାନ ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଷ୍ଟାର ରାଜ୍ୟ ପ୍ରାକ୍ତନ ଉପସଭାପତି ସୁଧୀର କୁମାର ନାଏକ, ଓଷ୍ଟା ବଲାଙ୍ଗିର ଜିଲ୍ଲା ସମ୍ପାଦକ ଶଙ୍କର ପ୍ରସାଦ ମିଶ୍ର, ଜିଲ୍ଲା ଓଷ୍ଟା ଉପସଭାପତି ପ୍ରତିଭା ପାଣିଗ୍ରାହୀଙ୍କ ସମେତ ବିଭିନ୍ନ କାର୍ଯ୍ୟକର୍ତ୍ତା ଓ ବହୁ ସଂଖ୍ୟକ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଯୋଗ ଦେଇଥିଲେ । ସମ୍ବର୍ଦ୍ଧିତ ଅତିଥିମାନେ ନିଜ ବକ୍ତବ୍ୟରେ ଶିକ୍ଷକମାନଙ୍କ ଏକତା, ସଂଗଠନର ସୁଦୃଢ଼ତା ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ସମସ୍ତଙ୍କ ସମ୍ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । କେଦାରନାଥ ସାହୁ ସମସ୍ତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସରୋଜ ମାଝୀ, ସଂଯୁଲତା ମିଶ୍ର, ହରେକୃଷ୍ଣ ପୋଢ଼, ତପନ କୁମାର ଗଡ଼ତ୍ୟା, ଗୋବିନ୍ଦ ବଗର୍ତ୍ତୀ, ଇନ୍ଦ୍ରମଣି ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.