pakka

ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ଈଶ୍ୱର ଚନ୍ଦ୍ର ନାୟକ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜାତୀୟ ଶିକ୍ଷକ ପୁରସ୍କାର ପାଇବେ ଈଶ୍ୱର ଚନ୍ଦ୍ର ନାୟକ । ଚଳିତ ଗୁରୁଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଓଡ଼ିଶାର ଲୋକପ୍ରିୟ ଶିକ୍ଷକ ଈଶ୍ୱର ଚନ୍ଦ୍ର ନାୟକ ‘ଜାତୀୟ ଶିକ୍ଷକ ପୁରସ୍କାର’ ପାଇବେ ବୋଲି ସୂଚନା ମିଳିଛି । ଈଶ୍ୱରଚନ୍ଦ୍ର ନାୟକଙ୍କୁ ‘ଜାତୀୟ ଶିକ୍ଷକ ପୁରସ୍କାର’ ପାଇଁ ମନୋନୀତ ହୋଇଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଶିକ୍ଷକତା ବୃତ୍ତି ପ୍ରତି ଈଶ୍ୱରଚନ୍ଦ୍ର ନାୟକଙ୍କର ନିଷ୍ଠା ଓ ସାମାଜିକ କର୍ତ୍ତବ୍ୟବୋଧର ଉଚ୍ଚପ୍ରଶଂସା କରିଛନ୍ତି । ମନ୍ତ୍ରୀ ଶ୍ରୀ ଦାଶ ତାଙ୍କର ଉତ୍ତୋରତ୍ତର ଉନ୍ନତି କାମନା କରିବା ସହ ନିମାପଡ଼ା ତଥା ସମଗ୍ର ରାଜ୍ୟ ତାଙ୍କ ପାଇଁ ଗୌରବାନ୍ୱିତ ବୋଲି ଉଲ୍ଲେଖ କରିଛନ୍ତି । ଜାତୀୟ ଶିକ୍ଷକ ପୁରସ୍କାର ତାଲିକାରେ ଓଡ଼ିଶାର ଏକମାତ୍ର ଶିକ୍ଷକ ଭାବେ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍‌ ଶଗଡ଼ା ପଞ୍ଚାୟତ କନପୁର ପ୍ରାଥମିକ ବିଦ୍ୟାଳୟର ଈଶ୍ୱରଚନ୍ଦ୍ର ନାୟକଙ୍କ ନାମ ମନୋନୀତ ହୋଇଥିବା ଜଣାପଡ଼ିବା ପରେ ସାରା ରାଜ୍ୟରେ ଆନ୍ଦର ଲହରୀ ଖେଳି ଯାଇଛି । ବର୍ତ୍ତମାନ ଶ୍ରୀ ନାୟକ ନିମାପଡ଼ା ବ୍ଲକ ବାଙ୍ଗରୁଷପାଟଣା ଗ୍ରାମର ଈଶ୍ୱର ଚନ୍ଦ୍ର ଶଗଡ଼ା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି । ଶ୍ରୀ ନାୟକ ପୂର୍ବରୁ ଅନେକ ଜାତୀୟ ଓ ରାଜ୍ୟସ୍ତରୀୟ ପୁରସ୍କାର ପାଇଛନ୍ତି । ନିକଟରେ ତାଙ୍କର ଲିଖିତ ପୁସ୍ତକକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ପ୍ରଶଂସା ମିଳିଛି । ନିଜ ଗ୍ରାମ ବାଙ୍ଗୁରୁଷପାଟଣାରେ ସେ ଷ୍ଟୁଣ୍ଡେଣ୍ଟ ନଲେଜ ସେଣ୍ଟର ଓ ଲାଇବ୍ରେରୀ ପ୍ରତିଷ୍ଠା କରିଛନ୍ତି । ଏହି ନଲେଜ ସେଣ୍ଟରରେ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ମାଗଣାରେ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯାଉଛି । ପ୍ରକାଶଯୋଗ୍ୟ ଯେ, ଦେଶର ୪୬ ଜଣ କୃତି ଶିକ୍ଷକ ଏହି ଜାତୀୟ ଶିକ୍ଷକ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଶ୍ରୀ ନାୟକ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଗୁରୁଦିବସ ପାଳନ ଅବସରରେ ଆସନ୍ତା ସେପ୍ଟେମ୍ବର ୫ ତାରିଖ ଦିନ ଏହି ପୁରସ୍କାର ଗ୍ରହଣ କରିବେ ।

jay balangir
Leave A Reply

Your email address will not be published.

20 + 15 =