csstore

କବିତା : ତିନି ପାଦରେ ସକାଳ

  • ରାଜୀବ କୁମାର ଷଡଙ୍ଗୀ

ଦର ଆଉଜା ଆଖିପତା ତଳେ
ଭିଜା ଭିଜା ଯେତେ ସବୁ ସ୍ୱପ୍ନ
କହୁ କହୁ କହିଦେଲେ,
ଦେଖ୍‌ ଥରେ!

ନିରୀହ ଠେକୁଆ ପରି
କୁଦାମରା ସକାଳ
ତତଲା ଭାତହାଣ୍ଡି ପରି
ଫୁଟୁଥିବା ଖରାବେଳ
ଗୋରୁପଲଙ୍କ ଖୁରାରେ
ଓହ୍ଲେଇ ଆସୁଥିବା ସଞ୍ଜବେଳକୁ ।

ହଁ,
ଦୁଇ ଆଖି ମେଲିଲା ବେଳକୁ
ଫେରାର ବୋଇତ
ବାଟବଣା ପକ୍ଷୀ
ଦିଗହଜା ନାବିକ
ପଥାନ୍ତର ପଥିକ ପରି
ସବୁ ଥିଲେ ନିରୁଦ୍ଦିଷ୍ଟ ।

ଚାରିପଟେ ବେଢିଥିଲା
ଅନ୍ଧାର ଖାଲି ଅନ୍ଧାର
ଦିଗ୍‌ବଳୟ ଆରପଟେ
ବତୀଘର ପରି
ସବୁ ଦେଖି ନ ଦେଖିଲା ପରି
ଠିଆ ହୋଇଥିଲା ସମୟ ।

ସତରେ ଏମିତି ବି,
ଦିଗ୍‌ବଳୟ ଏପଟେ
ବାଇ ଚଢେଇ ବସା ପରି
ଝୁଲୁଥିଲା ପିଲାଦିନ
ବର ଓହଳରେ କୁଦା ମାରି
ଆକାଶ ଛୁଉଁଥିଲା ମଧ୍ୟାହ୍ନ
ଶୀତରାତି ପରି ଜାକିଜୁକି
ଶୋଇଥିଲା ଅବଶ ମଧ୍ୟାହ୍ନ । ।

ରାମକୃଷ୍ଣପୁର,ରାମେଶ୍ୱର,କଟକ -୭୫୪୨୦୧
ଭ୍ରାମ୍ୟଭାଷ – ୯୪୩୯୭୩୫୩୧୧

jayashree
Leave A Reply

Your email address will not be published.