ରେଳ ଲାଇନ୍‌ କଡ଼ରୁ ମୃତ ଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

କଂଟାବାଂଜି, (ଗୁରୁଦୟାଲ ହଂସ) : କଂଟାବାଂଜି-ରାୟପୁର ରେଳ ସେସ୍କନର କି.ମି. ଖୁମ୍ବ ନଂ.୧୬୪/୫ ନିକଟରେ ଜଣେ ଯୁବକଙ୍କ ମୃତ ଦେହ ରେଳ ଲାଇନ୍‌ କଡ଼ରୁ କଂଟାବାଂଜି ଟାଉନ୍‌ ପୁଲିସ ଓ ଜିଆର୍‌ପି ଉଦ୍ଧାର କରିଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ବେଲପଡ଼ା ଥାନା ବେଲପଡ଼ାର ମହେନ୍ଦ୍ର ପୋଢ଼(୨୫) କଂଟାବାଂଜିର ଅନୀଲ ଅଗ୍ରୱାଲଙ୍କ ରୁବି ଟ୍ରାନ୍ସପୋର୍ଟରେ ଡ୍ରାଇଭର୍‌ ଭାବେ କାମ କରୁଥିଲେ । ସବୁଦିନ ଭଳି ସେ ଟ୍ରାନ୍ସପୋର୍ଟ ଗାଡ଼ିରେ ସିନ୍‌ଟେକ୍ସ ଡ୍ରାମ୍‌ ଓ ପାଇପ୍‌ ପିକ୍‌ଅପ୍‌ ନଂ.ଓଡ଼ି୦୩ଆର୍‌୮୩୧୨ ଯୋଗେ ଗତକାଲି ରାତିରେ କଂଟାବାଂଜି ନେଇ ଆସୁଥିବା ବେଳେ କର୍ଲା ଫାଟକ ନିକଟରେ ତାଙ୍କ ମୃତ ଦେହ ପଡ଼ିଥିବା ବେଳେ ତାଙ୍କ ଗାଡ଼ି କଂଟାବାଂଜି-ତୁରେକେଲା ରାସ୍ତାର ମୁଖ୍ୟ ସଡ଼କ ଉପରେ ଛିଡ଼ା ହୋଇଥିଲା ।

ଏହି ଘଟଣା ଉପରେ ଖୁଟୁଲୁମୁଣ୍ଡା ଗାଁର ମୃତକଙ୍କ ଭିଣୋଇ ଓ ଲକ୍ଷ୍ମଣ ବାଗ ତଥା ପରିବାରବର୍ଗ ଖବର ପାଇ ଘଟଣାସ୍ଥଳରେ ପହଂଚି ମୃତକଙ୍କୁ ଚିହ୍ନଟ କରିଛନ୍ତି । ତେବେ ଏସ୍‌ଡିପିଓ ସରୋଜ କୁମାର ମହାପାତ୍ରଙ୍କ ସହ କଂଟାବାଂଜି ଥାନା ଆଇଆଇସି ସତ୍ୟଜିତ କାଣ୍ଡେଲକର୍‌, ଏସ୍‌ଆଇ ପ୍ରଦୀପ ଗୁରିଆ ଏବଂ ଜିଆର୍‌ପି ଏସ୍‌ଆଇ ମୋହନ କୁମାର ନାଏକ, ଏଏସ୍‌ଆଇ ଉମେଶ ଗହିର ଘଟଣା ସ୍ଥଳରେ ଅନୁସଂଧାନ ଜାରି ରଖିଛନ୍ତି । ଏହି ମୃତ୍ୟୁ ଘଟଣା ଉପରେ ପରିବାରବର୍ଗ ହତ୍ୟା ଅଭିଯୋଗ ଆଣିଥିବା ବେଳେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବୀ କରିଛନ୍ତି । ଏହି ଖବର ଲେଖାଯିବା ଯାଏଁ ଘଟଣା ସ୍ଥଳରୁ ଶବ ଉଠା ଯାଇନାହିଁ । ଏଣୁ କେଶ୍‌ ନମ୍ବର ମଧ୍ୟ ଜଣା ପଡ଼ି ପାରିନାହିଁ ।

Leave A Reply

Your email address will not be published.