ରକ୍ତଦାନ କରି ଜୀବନ ବଂଚାଇଲେ ଏସଡିଏମଓ ଡା. ବାଚସ୍ପତି ଦାସ

ପାଟଣାଗଡ, (ଅଜିତ ପୁରୋହିତ) : ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟରେ ସବୁବେଳେ ରକ୍ତର ଅଭାବ ରହୁଥିବା ବେଳେ ଗତକାଲି ମାନବିକତାର ପରିଚୟ ଦେଇ ଜଣେ ଗରିବ ରୋଗୀଙ୍କ ଜୀବନ ବଂଚାଇଛନ୍ତି ପାଟଣାଗଡ ଏସଡିଏମଓ ତଥା ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ ଡ. ବାଚସ୍ପତି ଦାସ । ଗତକାଲି ଖପ୍ରାଖୋଲ ବ୍ଲକ ଭାଲୁଡୁଙ୍ଗୁରୀ ଗ୍ରାମର ଦାଇମତି ସ୍ୱାଇଁଙ୍କ ପ୍ରସୂତୀ ସମୟରେ ରକ୍ତର ଅଭାବ ଦେଖାଯାଇ ହିମୋଗ୍ଲବିନ ୩ ପ୍ରତିଶତକୁ ଖସି ଆସିଥିଲା । ଏହି ସମୟରେ ଡାକ୍ତରଖାନା ବ୍ଲଡ ବ୍ୟାଙ୍କରେ ଏବି+ ରକ୍ତ ବର୍ଗ ମହଜୁଦ ନଥିବା ବେଳେ ତାଙ୍କ ସମ୍ପର୍କୀୟମାନଙ୍କ ମଧ୍ୟ ଏହି ଗ୍ରୁପର ରକ୍ତ ଯୋଗାଡ ହୋଇ ପାରିନଥିଲା । ସେହି ସମୟରେ ଡ. ଦାସ ରୋଗୀଙ୍କ ଅବସ୍ଥା ଦେଖି ନିଜେ ରକ୍ତଦାନ କରି ପ୍ରସୂତୀଙ୍କ ଜୀବନ ବଂଚାଇଥିଲେ ଏବଂ ଡାକ୍ତରଙ୍କୁ ଦ୍ୱିତୀୟ ଭଗବାନ କୁହାଯାଇଥିବା ଆଖ୍ୟାକୁ ଶତ ପ୍ରତିଶତ ପ୍ରମାଣ କରିଥିଲେ । ଡା. ଦାସଙ୍କ ଏହି ପ୍ରଶଂସନୀୟ ପଦକ୍ଷେପକୁ ଅଂଚଳବାସୀ ପ୍ରଶଂସା କରିଛନ୍ତି । ଡ. ଦାସ ପାଟଣାଗଡ ଡାକ୍ତରଖାନାରେ ଯୋଗଦାନ କରିବା ପରେ ଡାକ୍ତରଖାନାର ଅନେକ ସମସ୍ୟା ସମାଧାନ ହୋଇପାରିଛି ଏବଂ ଅନେକ ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାନଯାଇ ପାଟଣାଗଡ ଚିକିତ୍ସାଳୟରେ ଭଲ ଭାବରେ ଚିକିତ୍ସା ପ୍ରଦାନ କରିଛନ୍ତି, ଯାହାଫଳରେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଡାକ୍ତରଖାନାରେ ମାତୃ ଶିଶୁ ମୃତ୍ୟୁହାର ପୂରା କମିଯାଇଛି ।

Leave A Reply

Your email address will not be published.