jayashree

ମୟୂରଭଞ୍ଜରେ କଂଗ୍ରେସର ଶକ୍ତି ପ୍ରଦର୍ଶନ : ଦଳରେ ସାମିଲ ହେଲେ ଯୁବନେତା ସଂଜୀବ ରାଉତ

  • ବିଶାଳ କର୍ମୀ ସମ୍ମିଳନୀରେ ବିଜେଡି ଓ ବିଜେପିକୁ ଟାର୍ଗେଟ କଲେ ପିସିସି ସଭାପତି ଭକ୍ତ ଚରଣ ଦାସ

ବାରିପଦା, (ଦେବସ୍ମିତ ଚୌଧୁରୀ) : ମୟୂରଭଞ୍ଜ ଜିଲ୍ଲାରେ ଦଳୀୟ ସଂଗଠନକୁ ମଜବୁତ କରିବା ଲକ୍ଷ୍ୟରେ କଂଗ୍ରେସ ପକ୍ଷରୁ ଆୟୋଜିତ ହୋଇଛି ବିଶାଳ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ । ବାରିପଦା କଲେଜ ପଡ଼ିଆରେ ଅନୁଷ୍ଠିତ ଏହି ସମାବେଶରେ ଦଳୀୟ ନେତା ଓ କର୍ମୀଙ୍କ ବ୍ୟାପକ ଯୋଗଦାନ କଂଗ୍ରେସ ଶିବିରରେ ଉତ୍ସାହ ଭରିଥିଲା । ଏହି ଅବସରରେ ବାରିପଦାର ଯୁବନେତା ସଂଜୀବ ରାଉତ ନିଜ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ କଂଗ୍ରେସରେ ଯୋଗ ଦେଇଥିଲେ । ଜିଲ୍ଲା କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପୂର୍ବରୁ ବାରିପଦା ଜଗନ୍ନାଥ ମନ୍ଦିର ନିକଟରୁ ଏକ ବିଶାଳ ପଦଯାତ୍ରା ବାହାରି ସହର ପରିକ୍ରମା କରି କଲେଜ ପଡ଼ିଆରେ ପହଞ୍ଚିଥିଲା । ଏଥିରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମେତ ହଜାର ହଜାର ଦଳୀୟ ନେତା, କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ । ମିଶ୍ରଣ ପର୍ବରେ ସଂଜୀବ ରାଉତଙ୍କ ସହ ରସଗୋବିନ୍ଦପୁର ବ୍ଲକ ଅଧ୍ୟକ୍ଷା ପାର୍ବତୀ ହାଁସଦା ଏବଂ ମୋରଡ଼ା ବ୍ଲକର ପୂର୍ବତନ ଅଧ୍ୟକ୍ଷା ସାଲତି ମୁର୍ମୁଙ୍କ ସମେତ ବହୁ ନେତା ଓ କର୍ମୀ କଂଗ୍ରେସରେ ସାମିଲ ହୋଇଥିଲେ । ପିସିସି ସଭାପତି ଭକ୍ତ ଚରଣ ଦାସ ନୂତନ ସଦସ୍ୟମାନଙ୍କୁ ଦଳକୁ ସ୍ୱାଗତ କରିଥିଲେ । ନିଜ ଅଭିଭାଷଣରେ ଭକ୍ତ ଚରଣ ଦାସ ପୂର୍ବତନ ବିଜେଡି ସରକାର ଏବଂ ବର୍ତ୍ତମାନର ବିଜେପି ସରକାରଙ୍କ ନୀତି ଓ କାର୍ଯ୍ୟଧାରାକୁ ସମାଲୋଚନା କରିଥିଲେ । ରାଜ୍ୟରେ ସାଧାରଣ ଲୋକଙ୍କ ମଧ୍ୟରେ ନିଜ ଅଧିକାର ଓ ଦାବିକୁ ନେଇ ସଚେତନତା ବଢ଼ୁଥିବା ଉଲ୍ଲେଖ କରି ସେ ଆଗାମୀ ଦିନରେ କଂଗ୍ରେସ ଓଡ଼ିଶାରେ ନିଜର ହଜିଯାଇଥିବା ରାଜନୈତିକ ସ୍ଥିତି ଫେରିପାଇବ ବୋଲି ଆଶାବ୍ୟକ୍ତ କରିଥିଲେ । ଅନ୍ୟପଟେ କଂଗ୍ରେସରେ ଯୋଗଦେବା ପରେ ସଂଜୀବ ରାଉତ କହିଥିଲେ ଯେ, ରାହୁଲ ଗାନ୍ଧୀଙ୍କ ବିଚାରଧାରା ଓ ନେତୃତ୍ୱରେ ଅନୁପ୍ରାଣିତ ହୋଇ ସେ ଏହି ଦଳରେ ସାମିଲ ହୋଇଛନ୍ତି । ତୃଣମୂଳ ସ୍ତରରେ ଲୋକଙ୍କ ସେବା କରିବା ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ଦଳର ଜଣେ ସାଧାରଣ କର୍ମୀ ଭାବେ କାମ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ । ଦଳ ପକ୍ଷରୁ ଯେଉଁ ଦାୟିତ୍ୱ ମିଳିବ, ତାହାକୁ ସେ ନିଷ୍ଠାର ସହ ପାଳନ କରିବେ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ବିଭୁତି ଭୂଷଣ ମହାପାତ୍ର, ମୟୂରଭଞ୍ଜ ଜିଲ୍ଲା ପ୍ରଭାରୀ ମନୋଜ ରାଉତଙ୍କ ସମେତ ରାଜ୍ୟ ଓ ଜିଲ୍ଲାସ୍ତରର ବହୁ କଂଗ୍ରେସ ନେତା ଉପସ୍ଥିତ ଥିଲେ । ତେବେ ବିଶାଳ ପଦଯାତ୍ରା, କର୍ମୀଙ୍କ ସମାଗମ ଏବଂ ନୂଆ ନେତାଙ୍କ ଯୋଗଦାନ ମାଧ୍ୟମରେ ମୟୂରଭଞ୍ଜରେ ସଂଗଠନ ସୁଦୃଢ଼ କରିବାକୁ କଂଗ୍ରେସ ଉଦ୍ୟମ କରିଛି । ଏହି ରାଜନୈତିକ ପଦକ୍ଷେପ ଆଗାମୀ ଦିନରେ ଜିଲ୍ଲାର ରାଜନୈତିକ ସମୀକରଣକୁ କେତେ ପ୍ରଭାବିତ କରିବ, ତାହା ସମୟ କହିବ ।

Leave A Reply

Your email address will not be published.