
ରାଉରକେଲା, (କେପିଏନ୍ଏସ୍) : ସହରର ବିକାଶ ଓ ଆଧୁନିକତାର ଚିତ୍ର ମଧ୍ୟରେ ଆଜି ବି ଅନେକ ଅସହାୟ ଲୋକଙ୍କ ଜୀବନ ସଂଘର୍ଷ ଲୁଚି ରହିଛି । ଏହାର ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ରାଉରକେଲାର ଦେଓଗାଁ ବସ୍ଷ୍ଟପ୍ରେ । ଦିନରେ ଯେଉଁଠି ଯାତ୍ରୀଙ୍କ ଭିଡ଼ ଜମୁଛି, ରାତି ହେଲେ ସେହି ବସ୍ଷ୍ଟପ୍ ଜଣେ ଅସହାୟ ବ୍ୟକ୍ତିଙ୍କ ପାଇଁ ପାଲଟିଯାଉଛି ରାତ୍ରି ଆଶ୍ରୟସ୍ଥଳ । ଘର ନାହିଁ କି ସୁରକ୍ଷିତ ଆଶ୍ରୟର ବ୍ୟବସ୍ଥା । ଫଳରେ ଖୋଲା ଆକାଶ ତଳେ ଦିନ ପରେ ଦିନ ନୁହେଁ, ରାତି ପରେ ରାତି କାଟିବାକୁ ପଡ଼ୁଛି ତାଙ୍କୁ । ଶୀତ, କାକର ଓ ଅସୁରକ୍ଷିତ ପରିବେଶ ମଧ୍ୟରେ ତାଙ୍କ ଜୀବନ କିପରି ବିତୁଛି, ତାହା ସହଜରେ ଅନୁମେୟ । ଏଭଳି ସ୍ଥିତିରେ ତାଙ୍କୁ ସହାୟତା କରିବା ସହ ଥଇଥାନର ବ୍ୟବସ୍ଥା କରିବା ଜରୁରୀ ହୋଇପଡ଼ିଛି । ସହରରେ ଅସହାୟ ଓ ନିରାଶ୍ରୟଙ୍କ ପାଇଁ ବିଭିନ୍ନ ସରକାରୀ ସୁବିଧା ଓ ଆଶ୍ରୟ ବ୍ୟବସ୍ଥା ଥିବା ସତ୍ତ୍ୱେ ଏହି ବ୍ୟକ୍ତିଙ୍କ ନିକଟରେ ସେସବୁ ସହାୟତା କାହିଁକି ପହଞ୍ଚିପାରିନାହିଁ, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ତୁରନ୍ତ ତାଙ୍କର ପରିଚୟ ଓ ସ୍ଥିତି ଯାଞ୍ଚ କରି ଆବଶ୍ୟକ ସହାୟତା ଯୋଗାଇଦେବା ସହ ସୁରକ୍ଷିତ ଥଇଥାନ ପାଇଁ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହେଉଛି । ଅସହାୟଙ୍କ ଦୁଃଖ ପ୍ରତି କେବେ ପ୍ରଶାସନର ଦୃଷ୍ଟି ପଡ଼ିବ, ତାହାକୁ ଅପେକ୍ଷା ।