jayashree

ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତିମୟ ପରିବେଶରେ ଅଁଳା ନବମୀ ପାଳିତ : ରାଧା ପାଦପଦ୍ମ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ପବିତ୍ର ଅଁଳା ନବମୀ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅତ୍ୟନ୍ତ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳିତ ହୋଇଛି ଅଁଳା ନବମୀ ଉତ୍ସବ । ଏହି ପବିତ୍ର ତିଥିରେ ମା’ ରାଧାରାଣୀ ଦୁର୍ଲଭ ଓଡ଼ିଆଣୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିବା ବେଳେ ମା’ଙ୍କ ମନୋହର ବେଶ ଓ ପାଦପଦ୍ମ ଦର୍ଶନ କରିବା ପାଇଁ ମନ୍ଦିରରେ ଭକ୍ତଙ୍କର ପ୍ରବଳ ସମାଗମ ହୋଇଥିଲା । ପରମ୍ପରା ଓ ଧାର୍ମିକ ବିଶ୍ୱାସ ଅନୁଯାୟୀ ଅଁଳା ନବମୀ ଦିନ ମା’ ରାଧାରାଣୀଙ୍କ ଏହି ଦୁର୍ଲଭ ଓଡ଼ିଆଣୀ ବେଶର ବିଶେଷ ମହତ୍ତ୍ୱ ରହିଛି । ବର୍ଷର ଏହି ବିଶେଷ ଦିନରେ ମା’ଙ୍କ ପାଦପଦ୍ମ ଦର୍ଶନ କରିବାର ସୁଯୋଗ ମିଳୁଥିବାରୁ ଭକ୍ତ ମାନଙ୍କ ମଧ୍ୟରେ ଅପାର ଉତ୍ସାହ ଓ ଆନନ୍ଦ ପରିଲକ୍ଷିତ ହୋଇଥିଲା । ସକାଳୁ ମନ୍ଦିରରେ ଭକ୍ତଙ୍କ ଆଗମନ ଆରମ୍ଭ ହୋଇଥିବା ବେଳେ ଦର୍ଶନ ପାଇଁ ଲମ୍ବା ଧାଡ଼ି ଲାଗିଥିଲା । ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଧାଡ଼ିରେ ଆସି ମା’ଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ଏହି ଅବସରରେ ଶତାଧିକ ଭକ୍ତ ନିଜ ହାତରେ ଅଁଳା ମାଳ ପ୍ରସ୍ତୁତ କରି ଆଣି ଶ୍ରୀଜଗନ୍ନାଥଙ୍କ ନିକଟରେ ଭକ୍ତିଭାବର ସହ ସମର୍ପଣ କରିଥିଲେ । ମନ୍ଦିରରେ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ଦୈନନ୍ଦିନ ନୀତିକାନ୍ତି ସମ୍ପନ୍ନ ହେବା ପରେ ଠାକୁରାଣୀଙ୍କ ସ୍ୱତନ୍ତ୍ର ନୀତି ଆରମ୍ଭ ହୋଇଥିଲା । ନୀତିକାନ୍ତି ସମାପନ ପରେ ମା’ଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ମା’ ରାଧାରାଣୀଙ୍କ ଅପୂର୍ବ ଓଡ଼ିଆଣୀ ବେଶ, ମନୋହର ଶୃଙ୍ଗାର ଓ ପାଦପଦ୍ମ ଦର୍ଶନରେ ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଥିଲେ । ଘଣ୍ଟ, ଘଣ୍ଟା, ଶଙ୍ଖ ଧ୍ୱନି ଓ ହରିବୋଲ ହୁଳହୁଳିରେ ମନ୍ଦିର ପରିସର ଭକ୍ତିମୟ ହୋଇ ଉଠିଥିଲା । ଅଁଳା ନବମୀ ଉତ୍ସବକୁ ନେଇ ବାଲିଗୁଡ଼ା ସହରରେ ଏକ ଆଧ୍ୟାତ୍ମିକ ଓ ଧାର୍ମିକ ମାହୋଲ ସୃଷ୍ଟି ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ମନ୍ଦିର ପରିସରକୁ ଉତ୍ସବମୁଖର କରିଥିଲା ।

Leave A Reply

Your email address will not be published.