
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲାରେ ବେଆଇନ ଜୁଆ ଖେଳ ଓ ଜୁଆ ଆଡ୍ଡା ବିରୋଧରେ ପୋଲିସ ପକ୍ଷରୁ ଅଭିଯାନକୁ ଜୋରଦାର କରାଯାଇଥିବା ବେଳେ ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା । ବାଲିଗୁଡ଼ା ସହରର ନୂଆସାହି ଅଞ୍ଚଳରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୋଲିସ ଅଚାନକ ଚଢ଼ାଉ କରି ୪ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ନଗଦ ଟଙ୍କା ସମେତ ମୋବାଇଲ୍ ଫୋନ୍, ତାସ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନୂଆସାହି ଅଞ୍ଚଳରେ ବେଆଇନ ଭାବେ ଜୁଆ ଖେଳ ଚାଲିଥିବା ନେଇ ସୂଚନା ପାଇବା ପରେ ବାଲିଗୁଡ଼ା ପୋଲିସ ପକ୍ଷରୁ ଯୋଜନାବଦ୍ଧ ଭାବେ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଜୁଆ ଖେଳରେ ସମ୍ପୃକ୍ତ ଥିବା ୪ ଜଣଙ୍କୁ ପୋଲିସ କାବୁ କରିବା ସହ ସେମାନଙ୍କ ନିକଟରୁ ନଗଦ ୧ ଲକ୍ଷ ୨୭ ହଜାର ୯୮୦ ଟଙ୍କା, ୩ଟି ମୋବାଇଲ୍ ଫୋନ୍, ତାସ୍ ଏବଂ ଗୋଟିଏ ପଲିଥିନ୍ ବ୍ୟାଗ୍ ଜବତ କରିଥିଲା । ଏହି ଘଟଣାକୁ ନେଇ ବାଲିଗୁଡ଼ା ଥାନାରେ ମାମଲା ନଂ-୩୩୧/୨୬ରେ ଓଡ଼ିଶା ପ୍ରିଭେନସନ୍ ଅଫ୍ ଗ୍ୟାମ୍ବଲିଂ ଆକ୍ଟର ଧାରା ୩ ଅନୁଯାୟୀ ମାମଲା ପଞ୍ଜୀକୃତ କରାଯାଇଛି । ଗିରଫ ୪ ଜଣଙ୍କ ବିରୋଧରେ ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଉଛି । ସହରରେ ଏଭଳି ବେଆଇନ ଜୁଆ ଆଡ୍ଡା ଚାଲିବା ଘଟଣା ସାଧାରଣରେ ଚିନ୍ତାର ବିଷୟ ପାଲଟିଛି । ଜୁଆ ଖେଳ ଯୋଗୁଁ ଅନେକ ପରିବାର ଆର୍ଥିକ ଓ ସାମାଜିକ ସମସ୍ୟାରେ ପଡ଼ୁଥିବା ବେଳେ ଯୁବପିଢ଼ି ମଧ୍ୟ ଏହାର କୁପ୍ରଭାବରୁ ବାଦ୍ ପଡ଼ୁନାହାନ୍ତି । ଏଭଳି ସ୍ଥିତିରେ ବାଲିଗୁଡ଼ା ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ସାଧାରଣରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ଦେଖାଯାଉଛି । ତେବେ କେବଳ ଗୋଟିଏ ଜୁଆ ଆଡ୍ଡାରେ ଚଢ଼ାଉ କରି ସୀମିତ ନ ରହି ସହର ଓ ଏହାର ଆଖପାଖ ଅଞ୍ଚଳରେ ଗଢ଼ି ଉଠୁଥିବା ଅନ୍ୟ ବେଆଇନ ଜୁଆ ଆଡ୍ଡାଗୁଡ଼ିକୁ ମଧ୍ୟ ଚିହ୍ନଟ କରି କଠୋର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି । ବାଲିଗୁଡ଼ା ପୋଲିସର ଏହି ଚଢ଼ାଉ ବେଆଇନ ଜୁଆ କାରବାରରେ ସମ୍ପୃକ୍ତ ଲୋକଙ୍କ ପାଇଁ ଏକ କଡ଼ା ସତର୍କବାଣୀ ବୋଲି ଚର୍ଚ୍ଚା ହେଉଛି । ଜୁଆ ଆଡ୍ଡା ବିରୋଧରେ ପୋଲିସର ଏହି ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବା ନେଇ ଆଶା ପ୍ରକାଶ ପାଇଛି ।