jayashree

ଜଙ୍ଗଲୀ ହାତୀ ଆକ୍ରମଣରେ ମହିଳା ରେଳ କର୍ମଚାରୀଙ୍କ ମୃତ୍ୟୁ

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲାର ବନ୍ଧମୁଣ୍ଡା ଏକ ଜଙ୍ଗଲୀ ହାତୀର ଆକ୍ରମଣରେ ୫୬ ବର୍ଷୀୟା ମହିଳା ରେଳ କର୍ମଚାରୀ ମରିୟମ ଲାକ୍ରାଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ବୁଧବାର ସକାଳ ପ୍ରାୟ ୪ଟା ସମୟରେ ମରିୟମ ଲାକ୍ରା ଚକ୍ରଧରପୁରରେ ନିଜ କାର୍ଯ୍ୟସ୍ଥଳକୁ ଯିବା ପାଇଁ ଟ୍ରେନ୍ ଧରିବା ଉଦ୍ଦେଶ୍ୟରେ ବଣ୍ଡାମୁଣ୍ଡା ରେଳ ଷ୍ଟେସନକୁ ଯାଉଥିଲେ । ଏହି ସମୟରେ ରେଳ ୟାର୍ଡ ରାସ୍ତାରେ ହଠାତ୍ ତାଙ୍କର ଏକ ଜଙ୍ଗଲୀ ହାତୀ ସହ ସାମ୍ନାସାମ୍ନି ହୋଇଥିଲା । ହାତୀଟି ତାଙ୍କୁ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ସକାଳେ ଅନ୍ୟ ରେଳ କର୍ମଚାରୀମାନେ ୟାର୍ଡରେ ପହଞ୍ଚି ମହିଳାଙ୍କ କ୍ଷତବିକ୍ଷତ ମୃତଦେହ ଦେଖିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ମୃତକଙ୍କ ବ୍ୟାଗରୁ ମିଳିଥିବା ରେଳବାଇ ପରିଚୟପତ୍ର ଆଧାରରେ ତାଙ୍କର ପରିଚୟ ମରିୟମ ଲାକ୍ରା ବୋଲି ଜଣାପଡ଼ିଥିଲା । ଘଟଣାର ସୂଚନା ପାଇବା ପରେ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳକୁ ଯାଇଥିଲା । ଏହି ହୃଦୟବିଦାରକ ଘଟଣା ପରେ ରେଳ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି । ଅନ୍ୟପକ୍ଷରେ, ଅଞ୍ଚଳରେ ଜଙ୍ଗଲୀ ହାତୀର ଉପସ୍ଥିତିକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.