jayashree

ବରଗଡ଼ ସିମେଣ୍ଟ କାରଖାନାର ପୁନରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ସିମେଣ୍ଟ ୱାର୍କ୍ସର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ତ୍ୱରିତ ହସ୍ତକ୍ଷେପ ଲୋଡ଼ିଛନ୍ତି ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ । ଏନେଇ ସେ ଅଗଷ୍ଟ ୧୦ ତାରିଖରେ କେନ୍ଦ୍ରମନ୍ତ୍ରୀଙ୍କୁ ଏକ ପତ୍ର ଲେଖି କାରଖାନାର ବର୍ତ୍ତମାନ ସ୍ଥିତି ଓ ଏହାର ପୁନରୁଦ୍ଧାରର ଆବଶ୍ୟକତା ସମ୍ପର୍କରେ ଅବଗତ କରାଇଛନ୍ତି । ପତ୍ରରେ ଉଲ୍ଲେଖ କରାଯାଇଛି ଯେ, ୧୯୬୮ ମସିହାରେ ହୀରା ସିମେଣ୍ଟ ୱାର୍କ୍ସ ଭାବେ ପ୍ରତିଷ୍ଠିତ ଏହି ଶିଳ୍ପାନୁଷ୍ଠାନ ପରବର୍ତ୍ତୀ ସମୟରେ ଇଡକଲ ସିମେଣ୍ଟ ଲିଃ. ଭାବେ ପରିଚାଳିତ ହୋଇ ପଶ୍ଚିମ ଓଡ଼ିଶାର ଶିଳ୍ପ ଓ ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇ ଆସିଛି । ୨୦୦୩ରେ ଘରୋଇ କରଣ ଏବଂ ୨୦୨୨ରେ ଆଦାନୀ ଗ୍ରୁପ୍ ଅଧୀନକୁ ଯିବା ପରେ କାରଖାନାର ବ୍ୟାପକ ଆଧୁନିକୀକରଣକୁ ନେଇ ଅଞ୍ଚଳବାସୀ ଆଶାବାଦୀ ଥିଲେ । ତେବେ ସାଂସଦଙ୍କ ପତ୍ର ଅନୁଯାୟୀ, କାରଖାନା ପାଇଁ ବ୍ୟବହୃତ ଚୂନ ଖଣିରୁ ଖନନ କାର୍ଯ୍ୟ ବନ୍ଦ ରହିଥିବାବେଳେ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ, ଲୋକୋମୋଟିଭ୍ ବିଭାଗ ଭଳି ପ୍ରମୁଖ ୟୁନିଟ୍‌ଗୁଡ଼ିକ ମଧ୍ୟ ଅଚଳ ହୋଇଛି । ବର୍ତ୍ତମାନ କେବଳ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ ବାହାରୁ ଆସୁଥିବା କ୍ଲିଙ୍କର ଉପରେ ନିର୍ଭର କରି ଚାଲୁଥିବା ଦର୍ଶାଯାଇଛି । କାରଖାନା ବନ୍ଦ କିମ୍ବା ଅଧିକ ଡାଉନ୍‌ସାଇଜ୍ ହେଲେ ପ୍ରାୟ ୧,୦୦୦ କର୍ମଚାରୀ ସିଧାସଳଖ ପ୍ରଭାବିତ ହେବା ସହ ୫,୦୦୦ରୁ ଅଧିକ ପରିବାର ପରୋକ୍ଷ ଭାବେ ପ୍ରଭାବିତ ହେବେ ବୋଲି ସାଂସଦ ଉଲ୍ଲେଖ କରିଛନ୍ତି । ଏହାଛଡ଼ା ପରିବହନକାରୀ, ଠିକାଦାର, ବ୍ୟବସାୟୀ, ଏମ୍‌ଏସ୍‌ଏମ୍‌ଇ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସାୟ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେବ । କାରଖାନାର ସମ୍ପୂର୍ଣ୍ଣ ଆଧୁନିକୀକରଣ ପାଇଁ ପ୍ରାୟ ୨,୦୦୦ କୋଟି ଟଙ୍କାର ପୁଞ୍ଜିନିବେଶ, ୩୦୦ ଟିପିଏଚ୍ ଭର୍ଟିକାଲ୍ ରୋଲର ମିଲ୍‌ , ବିଜି ଟିପ୍ଲର ଓ ଅନ୍ୟାନ୍ୟ ଆଧୁନିକ ପ୍ରଯୁକ୍ତି ସ୍ଥାପନ କରାଗଲେ ଉତ୍ପାଦନ କ୍ଷମତା ଓ ପ୍ରତିଯୋଗିତା ବଢ଼ିବା ସହ ରୋଜଗାର ସୁରକ୍ଷିତ ହେବ ଏବଂ ନୂଆ ଜୀବିକା ସୁଯୋଗ ସୃଷ୍ଟି ହେବ ବୋଲି ପତ୍ରରେ ଦର୍ଶାଯାଇଛି । ବରଗଡ଼ ସିମେଣ୍ଟ ୱାର୍କ୍ସର ପୁନରୁଦ୍ଧାର ଓ ଆଧୁନିକୀକରଣ ନେଇ ଓଡ଼ିଶା ସରକାର, ସମ୍ପୃକ୍ତ ଅଧିକାରୀ ଓ ଆଦାନୀ ଗ୍ରୁପ୍ ପରିଚାଳନା ସହ ଆଲୋଚନା କରିବା ଏବଂ ଏହି ଶିଳ୍ପାନୁଷ୍ଠାନର ଦୀର୍ଘମିଆଦୀ ସ୍ଥାୟିତ୍ୱ ପାଇଁ ସମସ୍ତ ସମ୍ଭାବ୍ୟ ସହଯୋଗ ଯୋଗାଇଦେବାକୁ ସାଂସଦ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.