jayashree

ମିନି ମାରାଥନ ଦୌଡ଼ ପ୍ରତିଯୋଗିତା : ୪୦୦ରୁ ଅଧିକ ଯୁବକ ଯୁବତୀ ସାମିଲ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାଲିଗୁଡା ଉପଖଣ୍ଡ ପ୍ରଶାସନ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଉପଖଣ୍ଡ ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ମିନି ମାରାଥନ୍ ଦୌଡ଼ ପ୍ରତିଯୋଗିତା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀ ତଥା ଉତ୍ସବ ପାଳନ କମିଟିର ସମ୍ପାଦକ ଶିବ ଶଙ୍କର ସମରଥ, ଯୁଗ୍ମ ସମ୍ପାଦକ ତୀର୍ଥବାସୀ ଘଡାଇଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ନିକଟରେ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସ, ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ଏନ ଏ ସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ, ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସବୁଜ ପତାକା ଦେଖାଇ ଗଣଦୌଡ଼ର ଶୁଭାରମ୍ଭ କରିଥିଲେ । ଏହି ଗଣ ଦୌଡ଼ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ସମ୍ମୁଖରୁ ଆରମ୍ଭ ହୋଇ ମହାଲକ୍ଷ୍ମୀ ପେଟ୍ରୋଲ ପମ୍ପ୍ ପର୍ଯ୍ୟନ୍ତ ଯାଇଥିଲା ଏବଂ ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମାପ୍ତ ହୋଇଥିଲା । ଏଥିରେ ବାଲିଗୁଡା ଅଞ୍ଚଳର ୪୦୦ ରୁ ଅଧିକ ଯୁବକ ଯୁବତୀ ସାମିଲ୍ ହୋଇଥିବା ବେଳେ କୃତି ଯୁବକ ଯୁବତୀଙ୍କୁ ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମିନି ଷ୍ଟାଡିୟମ ପରିସରରେ ଆୟୋଜିତ ପ୍ୟାରେଡ୍‌ ଉତ୍ସବରେ ପୁରସ୍କୃତ କରାଯିବ । ଏଥିରେ ଅଭିମନ୍ୟୁ ପ୍ରଧାନ, ରଶ୍ମି ରଞ୍ଜନ ମହାରଣାଙ୍କ ସମେତ ବହୁ ପଦାଧିକାରୀ, ବରିଷ୍ଠ କ୍ରୀଡ଼ାବିତ୍‌ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.