om academy

ମା’ ସମ୍ମୁଖରେ ପୁଅକୁ ହାଣୀ ଦେବା ଘଟଣା

jsm
  • ଚାରି ଅଭିଯୁକ୍ତଙ୍କୁ ଗିରଫ କଲା ବଲାଙ୍ଗିର ପୋଲିସ
  • ପଲସର୍‌ ଗାଡି ସମେତ ରକ୍ତଭିଜା ମାରଣାସ୍ତ୍ର ଓ ମୋବାଇଲ ଜବତ
  • ପୁରୁଣା ଶତୃତା ହିଁ ମୁଖ୍ୟ କାରଣ, ସୁପାରି କିଲିଂର ପ୍ରୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧୬ ତାରିଖ ସକାଳୁ ମା’ ପୁଅ ଭୀମଭୋଇ ମେଡିକାଲ ପରିସର ସ୍ଥିତ ନିଜ ଇଡିଲି ଦୋକାନକୁ ଯାଉଥିବା ବେଳେ କିଛି ଅଭିଯୁକ୍ତ ପଛପଟୁ ଆସି ମା’ ଜୟନ୍ତୀ ଓ ପୁଅ ଅଜୁକୁ ଅତର୍କିତ ଆକ୍ରମଣ କରିଥିଲେ । ଆକ୍ରମଣରେ ପୁଅ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିବା ବେଳେ ମା’ ଗୁରୁତର ଭାବେ ଆହତ ହୋଇଥିଲେ । ସେହି ଘଟଣାକୁ କେନ୍ଦ୍ର କରି ଆଜି ବଲାଙ୍ଗିର ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ ଘଟଣାରେ ସଂପୃକ୍ତ ଚାରି ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ପାଖରୁ ଏକ ପଲସର୍‌ ଗାଡି, ଦୁଇଟି ରକ୍ତଭିଜା ମାରଣାସ୍ତ୍ର, ୯୫୦୦ ଟଙ୍କା ନଗଦ ଓ ୫ଟି ମୋବାଇଲ ଜବତ କରିଥିବା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ସୂଚନା ଦେଇଛନ୍ତି । ଉକ୍ତ ଚାରିଜଣ ଯୁବକ ହେଲେ ବଲାଙ୍ଗିର ସୁଦପଡା ବାସିନ୍ଦା ମୁନା ଦୋରା (୨୭), ଲଳିତ ନଗର ବାସିନ୍ଦା ରାହୁଲ ପାଣିଗ୍ରାହୀ (୨୭), ବ୍ରାହ୍ମଣପଡା ନିବାସୀ ଚନ୍ଦ୍ର ପ୍ରଧାନ (୨୭) ଓ ନୂଆପଡା ଜିଲ୍ଲା ମନ୍ଦିରପଡାର ସୋମ ପୁଞ୍ଜି (୨୪) । ଘଟଣାକୁ ନେଇ ସେ ଆହୁରି ପ୍ରକାଶ କରିଛନ୍ତି ଯେ, ପୂର୍ବ ଶତୃତା ହିଁ ଏହି ହତ୍ୟାକାଣ୍ଡର ମୁଖ୍ୟ କାରଣ ଥିଲା । ଘଟଣାର ମୁଖ୍ୟ ଅଭିଯୁକ୍ତ ମୁନା ଦୋରା ମୃତକ ଅଜୁକୁ ମାରିବା ପାଇଁ ବାରମ୍ବାର ପ୍ରୟାସ କରି ବିଫଳ ହୋଇଥିଲା । ଏଥର କିନ୍ତୁ ଅଜୁକୁ ମାରିବା ପାଇଁ ମୁନା ଦୁଇ ଜଣ ସୁପାରୀ କିଲର ରାହୁଲ ଓ ସୋମକୁ ଏକ ଲକ୍ଷ ଟଙ୍କା ସୁପାରୀ ଯାଚିଥିଲା । ଘଟଣା ଦିନ ସୁପାରି କିଲରଙ୍କୁ ମୁନା ନିଜେ ମାରଣାସ୍ତ୍ର ଯୋଗାଇ ଦେଇଥିବା ବେଳେ ସେମାନେ ଏଥର ଅଜୁକୁ ମାରିବାକୁ ସଫଳ ହୋଇଥିଲେ । ଏହି ହତ୍ୟାକାଣ୍ଡକୁ ବଲାଙ୍ଗିର ପୋଲିସ ଗୁରୁତର ସହ ନେଇ ଏସଡିପିଓ ତୋଫାନ ବାଗଙ୍କ ନେତୃତ୍ୱରେ ଇନ୍ସପେକ୍ଟର କେ. ପ୍ରିୟାଙ୍କା ରାଉତ ରାଏ, ଶ୍ରୀକାନ୍ତ ସାହୁ, ରାଜେନ୍ଦ୍ର ବେହେରା, ଏସ୍‌ଆଇ ଅବିନାଶ ନାୟକ, ପୂର୍ଣ୍ଣମୀ ଓରାମ, ଏଏସଆଇ ବୈକୁଣ୍ଠ ଦେହୁରି ଓ ମମତା ପ୍ରଧାନ ଦିନ ରାତି ପରିଶ୍ରମ କରି ସମସ୍ତ ଅଭିଯୁକ୍ତଙ୍କୁ ମାରଣାସ୍ତ୍ର ସହ ଗିରଫ କରିବାରେ ସଫଳ ହୋଇଥିଲେ । ତେବେ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ମିଳିଛି ।

Leave A Reply

Your email address will not be published.