କୃଷକ ଉତ୍ପାଦକ କମ୍ପାନୀ କୃଷକମାନଙ୍କୁ ସେବା ପ୍ରଦାନ କରିବା ଉପରେ ଗୁରୁତ୍ୱ

ଭବାନୀପାଟଣା, (କେପିଏନ୍‌ଏସ୍‌) : କୃଷକମାନେ ଅଣ ଧାନ ଚାଷ ମାଧ୍ୟମରେ ନିଜ ରୋଜଗାରକୁ ବୃଦ୍ଧି କରିପାରିବେ । ଗୋଟିଏ ଅଞ୍ଚଳରେ ବଜାର ଚାହିଦା ଥିବା ଉତ୍ପାଦ ଗୁଡ଼ିକର ବହୁଳ ଭାବେ ଚାଷ କଲେ ଉତ୍ପାଦର ସହଜ ବଜାରୀକରଣ କରିହେବ । ଚାଷୀମାନଙ୍କ ଆଧୁନିକ ଜ୍ଞାନ କୌଶଳ ପ୍ରଦାନ କଲେ ଉତ୍ପାଦନ ବୃଦ୍ଧି ପାଇବ । ଗ୍ରାମ ସ୍ତରରେ କୃଷକ ଉତ୍ପାଦକ ଦଳ ଓ ଆଞ୍ଚଳିକ ସ୍ତରରେ କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ଚାଷୀମାନଙ୍କୁ ମଞ୍ଜି, ସାର, କୀଟ ନାଶକ ଇତ୍ୟାଦି ଯୋଗାଣ କରି ସେମାନଙ୍କ ଉତ୍ପାଦକୁ ବିକ୍ରି ବଟାର ବ୍ୟବସ୍ଥା କରାଯାଇ ପାରିବ । ଚାଷୀମାନଙ୍କୁ ବିଭିନ୍ନ ସେବା ପ୍ରଦାନରେ କୃଷକ ଉତ୍ପାଦକ କମ୍ପାନୀର ନିର୍ଦ୍ଦେଶକ ମଣ୍ଡଳୀର ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି । ସରକାରଙ୍କ ବିଭିନ୍ନ କୃଷି ସମ୍ପର୍କିତ ଯୋଜନାଗୁଡ଼ିକୁ ଏହି ଅନୁଷ୍ଠାନ ମାଧ୍ୟମରେ ଚାଷୀମାନଙ୍କ ପାଖରେ ସହଜରେ ପହଞ୍ଚାଯାଇ ପାରିବ ।

କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ନାବାର୍ଡ ସହାୟତାରେ ମହାଶକ୍ତି ଫାଉଣ୍ଡେସନ ପକ୍ଷରୁ ଭବାନୀପାଟଣା ଏସଭିଏ ତାଲିମ୍ କେନ୍ଦ୍ରରେ ଆୟୋଜିତ ଦୁଇ ଦୁନିଆ ଦକ୍ଷତା ବୃଦ୍ଧି କର୍ମଶାଳାରେ ବକ୍ତାମାନେ ଏହି ବିଷୟ ଆଲୋଚନା କରିଛନ୍ତି । ଡିଡିଏମ୍ ନାବାର୍ଡ ମହେଶ୍ୱର ଦାସ ଏହି କର୍ମଶାଳାକୁ ଉଦ୍‌ଘାଟନ କରି ଏଫ୍‌ପିଓର ସଦସ୍ୟତା ବୃଦ୍ଧି, କେନ୍ଦ୍ରୀୟ ଯୋଜନା ତଥା ବ୍ୟବସାୟିକ ଯୋଜନାର କାର୍ଯ୍ୟକାରୀ ବିଷୟରେ ଗୁରୁତ୍ୱ ଆରୋପ କରିଥିଲେ । ଓଡ଼ିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପରିଚାଳକ ପ୍ରଶାନ୍ତ ମିଶ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ପାଦକ ଦଳ ଗଠନ ଓ ବିଭିନ୍ନ ସରକାରୀ ଯୋଜନା ବିଷୟରେ ଆଲୋଚନା କରିଥିଲେ ।

ମହାଶକ୍ତି ଫାଉଣ୍ଡେସନର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଡ. ଅମୂଲ୍ୟ କୁମାର ମହାନ୍ତି ଓ ଜିଲ୍ଲା ସଂଯୋଜକ ଦେବେନ୍ଦ୍ର ମିଶ୍ର, ଏଫ୍‌ପିଓ ନିର୍ଦ୍ଦେଶକ ଜଗଦୀଶ ଦାସ କର୍ମଶାଳାକୁ ପରିଚାଳନା କରିଥିଲେ । ଜିଲ୍ଲାର ୬ ଗୋଟି ବ୍ଲକରେ ନୂତନ ଭାବେ ଗଠନ ହୋଇଥିବା ୬ ଗୋଟି କୃଷକ ଉତ୍ପାଦକ କମ୍ପାନୀରୁ ମୋଟ ୪୦ ଜଣ ନିର୍ଦ୍ଦେଶକ ମଣ୍ଡଳୀ ଓ କର୍ମକର୍ତ୍ତା ଏହି କର୍ମଶାଳାରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

3 + ten =