jayashree

ଏକ୍‌ ହେଲେ ବଲାଙ୍ଗିରବାସୀ, ଘେରାଉ କାଲ ଇଲେକ୍ଟ୍ରି ଅଫିସ୍‌

ନୂଆପଡ଼ା ପୋଲିସର ବଡ଼ ସଫଳତା : ଜିଲ୍ଲା ପୋଲିସ ପଡ଼ିଆରେ ‘ମୋବାଇଲ୍ ମେଳା’, ୬୦ଟି ହଜିଲା ମୋବାଇଲ୍ ମାଲିକଙ୍କୁ ହସ୍ତାନ୍ତର

ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏକ ଅତ୍ୟନ୍ତ ପ୍ରଶଂସନୀୟ ଓ ମାନବିକ କାର୍ଯ୍ୟ ଦେଖିବାକୁ ମିଳିଛି । ନୂଆପଡ଼ା ଏସ୍.ପି. ଅମୃତ ପାଲ ସିଂହଙ୍କ ସିଧାସଳଖ ତତ୍ତ୍ୱାବଧାନ ଏବଂ ବୈଷୟିକ ମାର୍ଗଦର୍ଶନରେ ହଜିଯାଇଥିବା ପ୍ରାୟ ୬୦ଟି ମୂଲ୍ୟବାନ ମୋବାଇଲ୍ ଫୋନ୍ ଉଦ୍ଧାର କରାଯାଇଛି । ଏହି ସଫଳତାର ମୁଖ୍ୟ କାରିଗର ହେଉଛନ୍ତି ଜିଲ୍ଲା ସାଇବର ଟିମ୍ । ଡିଏସ୍‌ପି ସ୍ୱାଧୀନ କୁମାର ମିଶ୍ରଙ୍କ ସୁନିୟନ୍ତ୍ରିତ ନେତୃତ୍ୱରେ, ସାଇବର ଇନ୍‌ସପେକ୍ଟର ମହେଶ୍ୱର ପାଣିଗ୍ରାହୀ ଏବଂ ତାଙ୍କର ସମଗ୍ର ସାଇବର ଟିମ୍ ଦିନରାତି ଏକ କରି କାର୍ଯ୍ୟ କରିଥିଲେ । କେବଳ ନୂଆପଡ଼ା ଜିଲ୍ଲା ନୁହେଁ, ବରଂ ଗାଁ ଗାଁ ବୁଲିବା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏହି ମୋବାଇଲଗୁଡ଼ିକୁ ଖୋଜି ବାହାର କରିବାରେ ଏହି ଟିମ୍ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି । ସାଇବର ଟିମ୍‌ର ଏହି ନିଷ୍ଠାପର ପ୍ରୟାସକୁ ଏସ୍.ପି. ଶ୍ରୀ ସିଂହ ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି । ଉଦ୍ଧାର କରାଯାଇଥିବା ମୋବାଇଲଗୁଡ଼ିକୁ ସେମାନଙ୍କ ପ୍ରକୃତ ମାଲିକମାନଙ୍କୁ ହସ୍ତାନ୍ତର କରିବା ପାଇଁ ସ୍ଥାନୀୟ ଜିଲ୍ଲା ପୋଲିସ ପଡ଼ିଆଠାରେ ଏକ ସ୍ୱତନ୍ତ୍ର ‘ମୋବାଇଲ୍ ମେଳା’ର ଆୟୋଜନ କରାଯାଇଥିଲା । ଏସ୍.ପି. ଅମୃତ ପାଲ ସିଂହ ନିଜେ ଉପସ୍ଥିତ ରହି ପ୍ରତ୍ୟେକ ମୋବାଇଲ୍‌ର ଆବଶ୍ୟକୀୟ ଦଲିଲ୍ ଏବଂ ପରିଚୟ ପତ୍ର ଯାଞ୍ଚ କରିଥିଲେ । ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ବେଶ୍ ସ୍ୱଚ୍ଛତା ସହ ସେ ମାଲିକମାନଙ୍କ ହାତରେ ମୋବାଇଲଗୁଡ଼ିକୁ ଟେକି ଦେଇଥିଲେ । ଦୀର୍ଘଦିନ ଧରି ନିଜର ପ୍ରିୟ ଫୋନ୍ ହରାଇ ହତାଶ ହୋଇପଡ଼ିଥିବା ମାଲିକମାନେ, ଆଜି ପୋଲିସ ଟିମ୍‌ର ଏହି ଉଦ୍ୟମ ବଳରେ ସେଗୁଡ଼ିକୁ ଫେରିପାଇ ଅତ୍ୟନ୍ତ ଖୁସି ପ୍ରକଟ କରିଛନ୍ତି । ନୂଆପଡ଼ା ପୋଲିସର ଏହି ମାନବିକ ଓ ସକ୍ରିୟ ପଦକ୍ଷେପକୁ ସବୁ ମହଲରେ ସାଧୁବାଦ ମିଳିଛି । ସାଧାରଣ ଜନତା ପୋଲିସର ଏହି ଟିମ୍‌କୁ ସେମାନଙ୍କର ସଫଳତା ପାଇଁ ବିଶେଷ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.