ଜିଲ୍ଲା ନୋଡାଲ ସଚିବ ତଥା ଇପିକଲ ପରିଚାଳନା ନିର୍ଦେଶକ ଭୂପିନ୍ଦ୍ର ସିଂ ପୁନିଆଁଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆଜି ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ୱରେ ଥିବା ଜିଲ୍ଲା ନୋଡାଲ ସଚିବ ତଥା ଇପିକଲ ପରିଚାଳନା ନିର୍ଦେଶକ ଭୂପିନ୍ଦ୍ର ସିଂ ପୁନିଆଁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରିଛନ୍ତି । ସେ ଏହି ଅବସରରେ ଜିଲ୍ଲାର ବିଭିନ୍ନ ଅଂଚଳରେ ଚାଲୁଥିବା ସରକାରଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ର ପରିଦର୍ଶନ କରିଛନ୍ତି । ସେ ଏହି ପରିପ୍ରେକ୍ଷୀରେ ସୋନପୁର ପୌର ପରିଷଦ ଅନ୍ତର୍ଗତ କୁମ୍ଭାରପଡା ଓ ଖଦାଳପଡ଼ା, ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ମୁଣ୍ଡୋଘାଟ, ସୋନପୁର ବ୍ଲକ ଅନ୍ତର୍ଗତ କଳାପଥର, ହର୍ଡ଼ଖୋଲ ଓ ଖାରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମହୁଲେ ସ୍ଥିତ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ପରିଦର୍ଶନ କରିଥିବା ବେଳେ ଖାରୀ ପଞ୍ଚାୟତ ଅନ୍ତର୍ଗତ ବଡ଼ବାହାଲି ସ୍ଥିତ ଛତୁଆ ବଣ୍ଟନ କେନ୍ଦ୍ର ପରିଦର୍ଶନ କରି କେନ୍ଦ୍ରରେ ସଦାସର୍ବଦା ପରିଷ୍କାର ପରିଛନ୍ନତା ଉପରେ ଧ୍ୟାନ ଦେବାକୁ ସଦସ୍ୟାଙ୍କୁ ପରାମର୍ଶ ଦେଇଛନ୍ତି । ତରେଇକେଲାଠାରେ ନିର୍ମାଣାଧୀନ ଏମ୍‌ଏସ୍‌ଏମ୍‌ଇ ପାର୍କ ସହ ସାହାଜପିଟା ଠାରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ସୀତାରାମ ଛତୁ ଚାଷ ଓ ମଞ୍ଜି ଉତ୍ପାଦନ କେନ୍ଦ୍ର ତଥା ୫ଟି ଉପକ୍ରମରେ ରୂପାନ୍ତରଣ ଗଙ୍ଗାଧର ମେହେର ଉଚ୍ଚବିଦ୍ୟାଳୟ ସାଗରପାଲିର ପରିଦର୍ଶନ ସହ ଜିଲ୍ଲାର ତରଭା ବ୍ଲକ ଅନ୍ତର୍ଗତ ପାଣିମୁରା ଠାରେ ପ୍ରଥମ ଶସ୍ୟ ଭିତ୍ତିକ ନିର୍ମାଣଧୀନ ଇଥାନେଲ ପ୍ଲାଣ୍ଟଙ୍କୁ ମଧ୍ୟ ପରିଦର୍ଶନରେ ଯାଇଥିଲେ । ମାନ୍ୟବର ସଚିବ ପରିଦର୍ଶନ ସମୟରେ ସ୍ଥାନୀୟ ହିତାଧିକାରୀଙ୍କୁ କେନ୍ଦ୍ରର ପରିଚାଳନାଗତ ସୁବିଧା ଅସୁବିଧା ତଥା ଖାଉଟି ଦ୍ରବ୍ୟର ସଠିକ ଉପଲବ୍ଧତା ଓ ଗୁଣାତ୍ମକ ମାନ ସମ୍ପର୍କରେ ପଚାରି ବୁଝିବା ସହିତ ସ୍ଥାନୀୟ ଖାଉଟି, ହିତାଧିକାରୀ ଓ ବ୍ୟକ୍ତି ବିଶେଷଙ୍କ ସହ ମତ ବିନିମୟ କରିଥିଲେ । ନୋଡାଲ ସଚିବଙ୍କ କ୍ଷେତ୍ର ପରିଦର୍ଶନରେ ଜିଲ୍ଲାପାଳ ସୁବର୍ଣ୍ଣପୁର ସୂର୍ଯ୍ୟନାରାୟଣ ଦାଶ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନିହାର ରଞ୍ଜନ କଁହର, ଜିଲ୍ଲା ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଜିଏମ୍‌ ଡିଆଇ ସି ବଳଭଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରେଣୁବାଳା ଦାଶ, ପୌର ପରିଷଦ ନିର୍ବାହୀ ଅଧିକାରୀ ସୂର୍ଯ୍ୟାଂଶୁ ରୁଟ, ବିଡିଓ ସୋନପୁର ସୌମ୍ୟ ରଞ୍ଜନ ସ୍ୱାଇଁ, ବିଡିଓ ଉଲୁଣ୍ଡା କରିସ୍ମା ବେସ୍ରା, ଜିଲ୍ଲା ସଂଯୋଜକ ମିଶନ ଶକ୍ତି କାର୍ତ୍ତିକ ନାୟକ, ଏମ୍‌ଆଇ, ସ୍ଥାନୀୟ ସରପଞ୍ଚ, ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ବୃନ୍ଦ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

fourteen + 14 =