
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ପୋଲିସ କୌଣସି ସୂତ୍ରରୁ ସୂଚନା ପାଇ ଜିଲ୍ଲାର ଉଲୁଣ୍ଡା ବ୍ଲକ ସିଂହାସନୀ ଜଙ୍ଗଲ ଜମିରେ ଅଫିମ ଚାଷ ହୋଇଥିବା ଦେଖିବାକୁ ପାଇଛି । ଜିଲ୍ଲାରେ ପ୍ରଥମ ଥର ପାଇଁ ଧରାଯାଇଥିବା ସିଂହାସନୀ ସଂରକ୍ଷିତ ଜଙ୍ଗଲର ଅରଖମୁଣ୍ଡା ଠାରେ ୧ ଏକରରୁ କମ ଜମିରେ ଏହି ଅଫିମ ଗଛ ଲଗାଯାଇଥିଲା । ଏଥିରେ ସ୍ଥାନୀୟ ଲୋକ ସାମିଲ ଥିବା ନେଇ ଏସ୍ପି ନାରାୟଣ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସମ୍ପର୍କରେ ସମସ୍ତ ସୂଚନା ଦେଇଛନ୍ତି । ଏସପି ଶ୍ରୀ ନାୟକଙ୍କ ସହିତ ପୋଲିସ, ଅବକାରୀ ଓ ବନ ବିଭାଗର ଟିମ୍ ଜଙ୍ଗଲ ଭିତରେ ଖୋଜିବା ପରେ ୨ଟି ପ୍ଲଟରେ ଅଫିମ ଗଛ ଲାଗିଥିବା ଦେଖିବାକୁ ପାଇଥିବା ବେଳେ ଗଛରୁ ପ୍ରାୟତଃ ରସ ସଂଗ୍ରହ ସରିଥିଲା ଏବଂ କେବଳ ଫଳଥିବା ଦେଖିବାକୁ ମିଳିଥିଲା । ୨ଟି ପ୍ଲଟ ରେ ଚାଷ ହୋଇଥିବା ଅଫିମ କିଆରୀକୁ ନିକଟସ୍ଥ ୨ଟି ଘରୁ ବିଦ୍ୟୁତ୍ ସଂଯୋଗ କରାଯାଇଥିଲା ଏବଂ ନାଳରୁ ପାଣି ଦିଆଯାଉଥିଲା । ତଦନ୍ତ ସମୟରେ ଜଣେ ଘର ମାଲିକ ସମୁଏଲ୍ ଲୁଗୁନ (୨୪)କୁ ଗିରଫ କରାଯାଇଥିବା ବେଳେ ସେ ଅନ୍ୟ ୨ ଜଣଙ୍କ ସଂପୃକ୍ତି ଅଫିମ ଚାଷରେ ଥିବା ପ୍ରକାଶ କରିଥିବା ସୂଚନା ଦେଇଛନ୍ତି ଏସପି । ମାଜିଷ୍ଟ୍ରେଟ୍ ତଥା ବୀରମହାରାଜପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳଙ୍କ ଉପସ୍ଥିତିରେ ୨ଟି ପ୍ଲଟରୁ ବନ ବିଭାଗ ଓ ଅବକାରୀ ବିଭାଗ କର୍ମଚାରୀମାନେ ଅଫିମ ଗଛ ଗଣନା କରିବାରୁ ୧୫,୩୧୮ଟି ଗଛ ଥିବା ଜଣାପଡିଥିଲା । ପରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଗଛ ଗୁଡ଼ିକୁ କାଟି ନିଆଁ ଲଗାଇ ନଷ୍ଟ କରାଯାଇଥିଲା । ନଷ୍ଟ କରଯାଇଥିବା ଅଫିମ ଗଛର ମୂଲ୍ୟ ସରକାରୀ ହିସାବରେ ୭ କୋଟି ୬୫ ଲକ୍ଷ ୯୦ ହଜାର ଟଙ୍କା ଆକଳନ କରାଯାଇଛି । ସୁବର୍ଣ୍ଣପୁର ଏସ୍ପି ନାରାୟଣ ନାୟକଙ୍କ ନେତୃତ୍ୱରେ ବୀରମହାରାଜପୁର ଏସ୍ଡିପିଓ ହେମନ୍ତ ରାଓ, ଉଲୁଣ୍ଡା ଆଇଆଇସି ଲିଙ୍ଗରାଜ ସେଠୀଙ୍କ ସହ ପୋଲିସ ଟିମ୍, ଉଲୁଣ୍ଡା ବନାଞ୍ଚଳ ଅଧିକାରୀ ଦେବରାଜ ଛତ୍ରିଆଙ୍କ ସହ ବନ ବିଭାଗ ଦଳ ଏବଂ ଅବକାରୀ ଇନ୍ସପେକ୍ଟର ଗୋବିନ୍ଦ ନାଏକ ପ୍ରମୁଖ ଏବଂ ଟିମ୍ ଏହି ଅଭିଯାନରେ ସାମିଲ ହୋଇଥିଲେ । ଏହି ସମ୍ପର୍କରେ ଉଲୁଣ୍ଡା ଥାନାରେ କେସ ନଂ ୪୫/ ୧୧.୦୩.୨୬ ଏନ୍ଡିପିଏସ୍ ଆକ୍ଟରେ ଏକ ମାମଲା ରୁଜୁ ହୋଇଛି । କିନ୍ତୁ ଏହି ବିଷୟରେ ସ୍ଥାନୀୟ ଉଲୁଣ୍ଡା ବନାଞ୍ଚଳ ଅଧିକାରୀ କେମିତି ଜାଣି ପାରିଲେ ନାହିଁ ଜନସାଧାରଣରେ ଚର୍ଚ୍ଚା ହେଉଛି । ଅନ୍ୟ ୩ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବା ପାଇଁ ପୋଲିସ ତଦନ୍ତ ଚଳାଇଥିବା କହିଛନ୍ତି ଏସ୍ପି ଶ୍ରୀ ନାୟକ ।