pakka

ପୌର ନିର୍ବାଚନ ପାଇଁ ଇଭିଏମ୍‌ ତାଲିମ କାର୍ଯ୍ୟକ୍ରମ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ପୌରସଂସ୍ଥା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ତରଫରୁ ଦୁଇ ଦିନିଆ ଇଭିଏମ୍‌ ତାଲିମ କାର୍ଯ୍ୟକ୍ରମ କମିଶନଙ୍କ କାର୍ଯ୍ୟାଳୟ ପରିସରରେ ଆଜି ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲା : ଅନୁଗୋଳ, ବାଲେଶ୍ୱର, ବଲାଙ୍ଗିର, ବରଗଡ଼, ବୌଦ୍ଧ, କଟକ, ଦେବଗଡ଼, ଢେ଼ଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା ଓ କଳାହାଣ୍ଡିରୁ ଆସିଥିବା ମାଷ୍ଟର ଟ୍ରେନରମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ଏହି ତାଲିମ କାର୍ଯ୍ୟକ୍ରମକୁ ନିର୍ବାଚନ ଆୟୋଗଙ୍କ ସଚିବ ଶ୍ରୀ ରବୀନ୍ଦ୍ର ନାଥ ସାହୁ ଶୁଭାରମ୍ଭ କରିଥିବା ବେଳେ ଆୟୋଗର ସ୍ୱତନ୍ତ୍ର ସଚିବ ରଘୁରାମ ଆର୍‌. ଆୟର, ଆଇନ୍‌ ଅଧିକାରୀ ମାଧୁରୀ ମିଶ୍ର ଓ ସେକ୍‌ସନ୍‌ ଅଧିକାରୀ ଉତ୍ତମ କୁମାର ପରିଡ଼ା ଉପସ୍ଥିତ ରହି ଜିଲ୍ଲାରୁ ଆସିଥିବା ମାଷ୍ଟର ଟ୍ରେନରମାନଙ୍କୁ ଇଭିଏମ୍‌ ମାଧ୍ୟମରେ ଭୋଟଗ୍ରହଣ ସଂପର୍କରେ ବିସ୍ତୁତ ତାଲିମ ପ୍ରଦାନ କରିଥିଲେ ।

ଜିଲ୍ଲାରୁ ଆସୁଥିବା ମାଷ୍ଟର ଟ୍ରେନରମାନେ ଇଭିଏମ୍‌ ତାଲିମ ନେଇ ଜିଲ୍ଲାସ୍ତରରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରିବେ । ଆସନ୍ତାକାଲି ଅବଶିଷ୍ଟ ୧୫ଟି ଜିଲ୍ଲାର ମାଷ୍ଟର ଟ୍ରେନରମାନଙ୍କୁ ଇଭିଏମ୍‌ ମାଧ୍ୟମରେ ଭୋଟଗ୍ରହଣ କରାଯିବା ସଂପର୍କରେ ତାଲିମ ପ୍ରଦାନ କରାଯିବ । ରାଜ୍ୟର ସମୁଦାୟ ୧୦୭ଟି ପୌରସଂସ୍ଥା ଓ ୩ଟି ମହାନଗର ନିଗମର ୧୯୩୧ଟି ୱାର୍ଡର ୪୫୮୪ଟି ବୁଥ୍‌ରେ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରତ୍ୟେକ ବୁଥ୍‌ରେ ୨ଟି ଲେଖାଏଁ ଇଭିଏମ୍‌ ରହିବ । ଗୋଟିଏ କାଉନ୍‌ସିଲର/ କର୍ପୋରେଟର ଓ ଅନ୍ୟଟି ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବ । ପ୍ରାୟ ୧୧ ହଜାରରୁ ଅଧିକ ସଂଖ୍ୟକ ଇଭିଏମ୍‌ ପୌରସଂସ୍ଥା ନିର୍ବାଚନରେ ବ୍ୟବହାର କରାଯିବ ବୋଲି ନିର୍ବାଚନ କମିଶନ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.

20 − sixteen =