- ଜିଲ୍ଲା ତଥା ଜିଲ୍ଲା ବାହାରରୁ ଆସୁଛନ୍ତି ପର୍ଯ୍ୟଟକ
- ଛତରଦାଣ୍ଡି ଜଙ୍ଗଲ ପାଦଦେଶରେ ରହିଛି ଝରଣା
- ପର୍ଯ୍ୟଟନସ୍ଥଳୀର ମାନ୍ୟତା କେବେ ?
ବଙ୍ଗୋମୁଣ୍ଡା, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ବ୍ଲକ ଉପାନ୍ତ ଇଲାକାରେ ଥିବା ଜୁରାବନ୍ଧ ପଂଚାୟତ ଛତରଙ୍ଗ ଗ୍ରାମର ଗୁମ୍ଫାଡ୍ୟାମ୍ ଦୀର୍ଘ ୪୧ ବର୍ଷରୁ ୧୯୭୨ ମସିହାରେ ଏହି ଡ୍ୟାମ୍ର ନିର୍ମାଣ ଆରମ୍ଭ ହୋଇ ୧୯୮୫ ମସିହାରେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ବର୍ତ୍ତମାନ ଏହି ଗୁମ୍ଫା ଡ୍ୟାମ୍ ସଂପୂର୍ଣ୍ଣ ଅବହେଳିତ ସଂପର୍କରେ ସ୍ୱତନ୍ତ୍ର ଉପସ୍ଥାପନା ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କାର୍ଯ୍ୟାଲୟ ଠାରୁ ପଶ୍ଚିମ ଦିଗକୁ ୧୫ କିଲୋମିଟର ଯିବାକୁ ହେଲେ ବ୍ଲକର ସୀମାନ୍ତରେ ଥିବା ଜୁରାବନ୍ଧ ପଂଚାୟତ ପଡେ । ଜୁରାବନ୍ଧ ପଂଚାୟତର ଛତରଙ୍ଗ ଗ୍ରାମ । ଏହି ଗ୍ରାମର ପାହାଡ ପାଦ ଦେଶରେ ୧୯୭୨ ମସିହାରେ ଅଂଚଳର ଲୋକମାନଙ୍କ ପାଇଁ ଗୁମ୍ଫା ଡ୍ୟାମ୍ ନାମରେ ନାମିତ ହୋଇ ଏହି ଡ୍ୟାମ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୧୯୮୫ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ଏହି ପ୍ରକଳ୍ପ ପାଇଁ ସେ ସମୟରେ ସେଠାରେ ଅଫିସ ଗୃହ ସହ ସୁରକ୍ଷା କର୍ମୀ ମଧ୍ୟ ନିୟୋଜିତ ଥିଲେ କିନ୍ତୁ ଦୀର୍ଘ ପ୍ରାୟ ୪୧ ବର୍ଷ ପରେ ବଲାଙ୍ଗିର ଜିଲ୍ଲାର ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଗୁମ୍ଫା ଡ୍ୟାମ୍ ବର୍ତ୍ତମାନ ଅବହେଳିତ ଅବସ୍ଥାରେ ପଡିରହିଛି । ଅଫିସ ଗୃହ ଭଙ୍ଗା ଦଦରା ହୋଇ ସାରିଲାଣି, ଡ୍ୟାମ୍ର ପାଣି ନିଷ୍କାସନ ପାଇଁ ଥିଲା ପମ୍ପ ମଧ୍ୟ ସଂପୂର୍ଣ୍ଣ ଅଚଳ ହୋଇପଡିଛି । ପର୍ଯ୍ୟଟନସ୍ଥଳୀ ମାନ୍ୟତାରୁ ବହୁ ଦୂରରେ ଏହି ଗୁମ୍ଫା ଡ୍ୟାମ୍ ରାଜନେତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରଶାସନିକ ଅଧିକାରୀ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରି ଅଂଚଳରେ ଲୋକେ ନୟାନ୍ତ ହୋଇ ସାରିଛନ୍ତି । କିନ୍ତୁ କାହାରି ଦୃଷ୍ଟି ପଡୁନାହିଁ କିଏ ଡ୍ୟାମ୍କୁ ପର୍ଯ୍ୟଟନସ୍ଥଲୀର ମାନ୍ୟତା ଦେବା ପାଇଁ ଲଢେଇ କରିବାର ମନୋବଳ ନାହିଁ । ଏହି ଡ୍ୟାମ୍ର ଚର୍ତୁଃପାଶ୍ୱରେ ପାହାଡ ଘେରରେ ଏକ ଅତ୍ୟନ୍ତ ମନୋରମ ସୌନ୍ଦର୍ଯ୍ୟ ପରିବେଶ ରହିଛି । ଏଠାକୁ ପ୍ରାୟତଃ ସମୟରେ ଶହ ଶହ ସଂଖ୍ୟାରେ ଲୋକେ ଏଠାକୁ ଏହି ଡ୍ୟାମ୍ର ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଆସିଥାନ୍ତି ଓ ଭୋଜି ଭାତର ଆସର ମଧ୍ୟ ଜମିଥାଏ । ଏହି ଛତରଦାଣ୍ଡି ଜଙ୍ଗଲର ପାହାଡ ପାଦଦେଶରେ ଥିବା ଚାମସିଲେଟ୍ ନାମରେ ପ୍ରତିଷ୍ଠିତ ଏକ ଝରଣା ବହି ଆସୁଛି । ଏହି ଝରଣା ଦେଖିବାକୁ ଅତ୍ୟନ୍ତ ମନ ମୁଗ୍ଧକର, ପାହାଡ ଜଙ୍ଗଲ ଭରା ଏହି ଡ୍ୟାମ୍ର ସୌନ୍ଦର୍ଯ୍ୟ ବଖାଣିଲେ ସରିବନି । ବଲାଙ୍ଗିର ଜିଲ୍ଲାର ଶେଷ ସୀମାରେ ଥିବା ଏଭଳି ଏକ ସୌନ୍ଦର୍ଯ୍ୟ ମନୋରମ ପୂର୍ଣ୍ଣ ଗୁମ୍ଫା ଡ୍ୟାମ୍ ଛତରଙ୍ଗ ଗ୍ରାମର ପ୍ରଶାସନର ନଜର ଆଢୁଆଳରେ ରହିଯାଇଛି । କିନ୍ତୁ ବର୍ତ୍ତମାନ ଏହି ଡ୍ୟାମ୍କୁ ମାନ୍ୟତା ଦେବାକୁ ଅଂଚଳବାସୀ ଆଗେଇ ଆସିବାକୁ ପ୍ରସ୍ତୁତି ଚଲେଇବା ଆରମ୍ଭ କରିବେ ବୋଲି ଜଣାଇଛନ୍ତି । ଗ୍ରାମର ମୁନସୀରାମ ପହରିଆ ଡ୍ୟାମ୍ ନିକଟରେ ଏକ ଚାଳ ଛପର ଘରେ ଶିବ ମନ୍ଦିରର ମାନ୍ୟତା ଦେଇ ଦୀର୍ଘ ୪୧ ବର୍ଷରୁ ପୂଜା କରି ଆସୁଛନ୍ତି କିନ୍ତୁ ନୂତନ ମନ୍ଦିରର ଆଶ୍ୱାସନା ଖାଲି ମିଳିଛି ନେତାମାନଙ୍କ ଠାରୁ । ଏହି ଡ୍ୟାମ୍ ଦ୍ୱାରା ଜୁରାବନ୍ଧ ପଂଚାୟତର ଛତରଙ୍ଗ, ଜାମପଡା, ପହରିଆପଡା, ତାଲଚକେଲ ଗାଁର ପ୍ରାୟ ୧୦୦ ରୁ ଉର୍ଦ୍ଧ୍ୱ ଚାଷୀ ହାରାହାରି ୨୦୦ ଏକରରେ ଧାନ ଚାଷ କରି ଉପକୃତ ମଧ୍ୟ ହେଉଛନ୍ତି । କିନ୍ତୁ ବର୍ତ୍ତମାନ ଏହି ଡ୍ୟାମ୍ ମାଟି ପୋତି ହେବାକୁ ବସିଲାଣି । ଦୀର୍ଘ ୪୧ ବର୍ଷ ହେଲାଣି ନା ପଙ୍କୋଦ୍ଧାର ହୋଇଛି ନା ଉନ୍ନତି କରଣ । ଏହି ଅବହେଳିତ ଡ୍ୟାମ୍ର ପୁନରୁଦ୍ଧାର ସହ ଏକ ନୂତନ ମନ୍ଦିର ନିର୍ମାଣ, ସ୍ୱିମିଂ ପୁଲ, ପାର୍କ ଆଦିର ବ୍ୟବସ୍ଥା ହେଲେ ଏହି ଡ୍ୟାମ୍ ରାଜ୍ୟସ୍ତରରେ ଏକ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇବା ସହ ବଲାଙ୍ଗିର ଜିଲ୍ଲାରେ ଏଭଳି ଏକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଡ୍ୟାମ୍ ଲୋକ ଲୋଚନକୁ ଆସିପାରିବ ଏବଂ ଏଠାରେ ପର୍ଯ୍ୟଟନଙ୍କ ଭିଡ ଲାଗି ରହିବା ସହ ସରକାର ମଧ୍ୟ ଏଠାରୁ ବହୁ ମାତ୍ରାରେ ରାଜସ୍ୱ ପାଇପାରିବେ ବୋଲି ଅଂଚଳବାସୀ ଜଣାଇଛନ୍ତି । ଅଂଚଳବାସୀ ଏହି ଡ୍ୟାମ୍ର ପୁନରୁଦ୍ଧାର ସହ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଁ ଦାବି କରିଛନ୍ତି ।
ସେମାନେ ଯାହା କହନ୍ତି ;-
(୧)ଛତରଙ୍ଗ ଡ୍ୟାମ୍ର ଉନ୍ନତିକରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଦୃଷ୍ଟି ଆକର୍ଷଣ କରିବା ସହ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠାଇ ଏହି ଡ୍ୟାମ୍ର ବିକାଶ ପାଇଁ ସବୁ ବେଳେ ଚେଷ୍ଟା ଜାରି ରଖିଛି ।
-ଲକ୍ଷ୍ମଣ ବାଗ, ବିଧାୟକ କଣ୍ଟାବାଞ୍ଜି ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ
(୨) ଶହ ଶହ ସଂଖ୍ୟାରେ ଦୈନିକ ପର୍ଯ୍ୟଟକ ମାନେ ଏଠାକୁ ଆସିଥାନ୍ତି କିନ୍ତୁ ଭଲ ରାସ୍ତା ଟିଏ କି ମନ୍ଦିର ଟିଏ ନାହିଁ । ଜିଲ୍ଲାର ଆମ ଗାଁରେ ଏଭଳି ଏକ ଡ୍ୟାମ୍ ଥିବାରୁ ଆମେ ଗର୍ବ ଅନୁଭବ କରୁ କିନ୍ତୁ ଏହି ଡ୍ୟାମକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ସରକାର ଦେଲେ ଏହି ଡ୍ୟାମ୍ ଏକ ପ୍ରତିଷ୍ଠିତ ଅଂଚଳ ହୋଇପାରିବ । ନେତାମାନେ ମଧ୍ୟ ଏଠାକୁ ଆସି ଆମକୁ କେବଳ ଆଶ୍ୱସନା ହିଁ ମିଳେ ।
-ଯୁଗଲ କିଶୋର ପହରିଆ, ସ୍ଥାନୀୟ ବାସିନ୍ଦା
(୩) ଜିଲ୍ଲାର ଅନେକ ସ୍ଥାନ ବୁଲି ଦେଖିଛୁ ହେଲେ ସେଠାରେ କୌଣସି ପ୍ରକାର ଝରଣା ନାହିଁ । କିନ୍ତୁ ଛତରଙ୍ଗ ଗାଁରେ ଥିବା ଗୁମ୍ଫା ଡ୍ୟାମ୍ର ଝରଣାରେ ଗାଧୋଇବା ସହ ବୁଲାବୁଲି କରି ନିଜକୁ ବହୁତ ଆନନ୍ଦ ମିଳିଥାଏ । ଝରଣାକୁ ଯିବା ପାଇଁ ଭଲ ରାସ୍ତାଟିଏ ନିର୍ମାଣ କଲେ ଆହୁରି ପର୍ଯ୍ୟଟକ ଆସନ୍ତେ ।
-ପୃଥିରାଜ ବାଗ, ପର୍ଯ୍ୟଟକ
(୪) ଆମେ ବିଭିନ୍ନ ସମୟରେ ବିଭାଗୀୟ ମନ୍ତ୍ରୀ, ବିଧାୟକ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ଲିଖିତ ଅଭିଯୋଗ କରିଛୁ । ଯଦି ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଯଦି ମିଳେ ପର୍ଯ୍ୟଟକ ମାନେ ଉପକୃତ ହେବା ସହ ବିଭିନ୍ନ ବ୍ୟବସାୟୀ ମାନେ ଦୋକାନ ଖୋଲି ରୋଜଗାର କରିପାରିବେ ବୋଲି ଆଶା କରିଛୁ ।
- ହୁଲେଶ୍ୱର ହଂସ, ସମ୍ପାଦକ, ବ୍ଲକ ସାମ୍ବାଦିକ ସଂଘ ବଙ୍ଗୋମୁଣ୍ଡା
(୫) ବଙ୍ଗୋମୁଣ୍ଡା ବ୍ଲକ ଛତରଙ୍ଗ ଡ୍ୟାମ୍ର ଅବହେଳିତ ସଂପର୍କରେ ଆପଣଙ୍କ ଠାରୁ ମୁଁ ଖବର ଜାଣିପାରିଲି । ସେ ବିଷୟରେ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବା ସହ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇଁ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରାଯିବ ।
ଗୌରବ ଶିବାଜୀ ଇସଲୱାର, ଜିଲ୍ଲାପାଳ, ବଲାଙ୍ଗିର
