
- ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଶନିବାର ଭୋର ଚାରିଟାରେ ହୁମା ଓଭର ବ୍ରିଜ ଠାରେ ପୁଣି ଏକ ଦୁର୍ଘଟଣା ଘଟିଛି । ଭୁବନେଶ୍ୱରରୁ ଆନ୍ଧ୍ରା ଯାଉଥିବା ଆଇଜର ଟ୍ରକ ଡବ୍ଲ୍ୟୁ ବି ୨୯ ଇ ୬୮୨୦ ସହ ବ୍ରହ୍ମପୁର ପଟୁ ଭୁବନେଶ୍ୱର ଯାଉଥିବା ଯାତ୍ରୀବାହୀ ବସ ନଂ ଓଡ଼ି ୦୨ ସିଇ୭୬୯୮ ମୁହାଁମୁଁହି ଧକ୍କା ହୋଇଥିଲା । ବସ କିମ୍ବା ଆଇଜର ଟ୍ରକ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ଆଲୋଚନା ହେଉଛି । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିଲେ ମଧ୍ୟ ଆଇଜର ଟ୍ରକ ଡ୍ରାଇଭର ଚାପି ହୋଇ ରହିଥିଲେ । ହୁମା ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ ଓ ଭାଜପା ଯୁବ ନେତା ତଥା ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ପରିଡାଙ୍କ ସମେତ ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ଆଇଜର ଟ୍ରକ ଡ୍ରାଇଭରକୁ ଗାଡିରୁ ବାହାର କରିଥିଲେ । ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବା ଏବଂ ଗୋଟିଏ ରାସ୍ତାରେ ଉଭୟ ପାର୍ଶ୍ଵର ଗାଡି ଚଳାଚଳ ଯୋଗୁଁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ଠାରେ ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ ନିର୍ମାଣ କାର୍ଯ୍ୟ ମନ୍ଥର ଯୋଗୁଁ ଏଭଳି ଦୁର୍ଘଟଣା ଘଟୁଛି ବୋଲି ସେ କହିଛନ୍ତି ।