ଜଣକ ଉପରେ ଗୋଟିଏ ଦିନରେ ଦୁଇ ଥର ଆକ୍ରମଣ : ଦୁଇ ଜଣ ଗୁରୁତର

ଟିଟିଲାଗଡ, (ଗୋରବ ଦର୍ଜୀ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ବାଞ୍ଜିପଦର୍ ପଞ୍ଚାୟତର ମାଲିଝର ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ସଙ୍ଘବଦ୍ଧ ଭାବେ ଗୁରୁତର ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଦେବସିଙ୍ଗ ମାଝୀ(୫୫) କୌଣସି କାମ ପାଇଁ ଟିଟିଲାଗଡକୁ ଆସି ଫେରୁଥିବା ସମୟରେ ବେଲପଡ଼ା ପାଖରେ ମାଲିଝର ଗାଁର କିଛି ବ୍ୟକ୍ତି ଆକ୍ରମଣ କରିଥିଲେ । ସେଠାରୁ ନିଜକୁ ରକ୍ଷା କରି ଗାଁକୁ ଚାଲି ଆସିଥିଲେ ଦେବସିଙ୍ଗ । କିନ୍ତୁ ଗାଁରେ ରାମ ମନ୍ଦିର ପଛପଟେ ପ୍ରାୟ ସଂଧ୍ୟା ଛଅଟା ସମୟରେ ଉକ୍ତ ଆକ୍ରମଣକାରୀମାନେ ସଂଘବଦ୍ଧ ଭାବରେ ଆକ୍ରମଣ କରୁଥିଲେ । ପାଟିତୁଣ୍ଡ ଶୁଣି ଦେବସିଙ୍ଗଙ୍କ ପତ୍ନୀ ନିର୍ମଳା ମଝି(୫୦) ଉକ୍ତ ସ୍ଥାନରେ ପହଞ୍ଚିଥିଲେ । କିନ୍ତୁ ଆକ୍ରମଣକାରୀ ଦୁଇ ସ୍ବାମୀ ସ୍ତ୍ରୀଙ୍କୁ ରଫା, ଗଇନ୍ତି, ଲୁହ ଛଡରେ ମରଣାନ୍ତକ ଆକ୍ରମଣ କରି ଗୁରୁତର କରି ଦେଇଥିଲେ । ପରିବାରବର୍ଗ ଓ ଗାଁର ଅନ୍ୟ ବ୍ୟକ୍ତିମାନେ ଉକ୍ତ ସ୍ଥାନରେ ପହଞ୍ଚିବାରୁ ଆକ୍ରମଣକାରୀ ଚାଲିଯାଇଥିଲେ । ଆକ୍ରମଣକାରୀ ଉକ୍ତ ଗ୍ରାମର ଗୋଟିଏ ପରିବାରର ପାଞ୍ଚ ଜଣ ଯଥା, ଭୀଷ୍ମ ମହାକୁଡ଼, ବିନୋଦ ମହାକୁଡ଼, ନିରନ ମହାକୁଡ଼, ସୁରୁ ମହାକୁଡ଼, କୁଞ୍ଜ ମହାକୁଡ଼ ବୋଲି ଦେବସିଙ୍ଗଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ପରିବାର ବର୍ଗ ଓ ଗ୍ରାମବାସୀ ଏକ ଅଟୋ ସାହାଯ୍ୟରେ ଦେବସିଙ୍ଗ ଓ ନିର୍ମଳାକୁ ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ଏଠାରେ ଡାକ୍ତର ପ୍ରଦୀପ ନାୟକ ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସାଧୀନ ଅବସ୍ଥାରେ ରଖିଛନ୍ତି । ଏନେଇ ଟିଟିଲାଗଡ ପୋଲିସ ଷ୍ଟେସନରେ ପରିବାର ବର୍ଗ ଏକ ଲିଖିତ ଅଭିଯୋଗ ଦାୟର କରିଥିବା ପରିବାରର ସଦସ୍ୟ ସୂଚନା ଦେଇଛନ୍ତି । ସୂଚନା ପାଇ ଟିଟିଲାଗଡ ପୋଲିସ ମାଲିଝର ଗାଁକୁ ଯାଇ ଘଟଣାର ତଦନ୍ତ କରୁଥିବା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.