ଗୋଁଣ୍ଡି ଭାଷା ଦିବସ ପାଳିତ

  • ଗୋଁଣ୍ଡି ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ ପାଇଁ ଦାବି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମହାନ ଗୋଁଣ୍ଡି ଭାଷାବିତ, ଗବେଷକ, ଲେଖକ, ସମାଜ ସଂସ୍କାରକ ଆଚାର୍ଯ୍ୟ ଡ. ମୋତିରାବଣ କଙ୍ଗାଲିଙ୍କ ୭୬ତମ ଜୟନ୍ତୀ ସ୍ଥାନୀୟ ଗୋଁଣ୍ଡୱାନା ଭବନଠାରେ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ଓ ଆଦିବାସୀ କର୍ମଚାରୀ ସଂଘ, ବଲାଙ୍ଗିର ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି । ଗୋଁଣ୍ଡି ଭାଷା ବ୍ୟାକରଣ, ଗୋଁଣ୍ଡି ଭାଷା ଶବ୍ଦକୋଶ-୧ ଓ ୨, ଗୋଁଣ୍ଡି ଭାଷା ଶିକ୍ଷା, ପାରୀକୁପାର ଲିଙ୍ଗୋ ଗୋଁଣ୍ଡି ପୁନେମ ଦର୍ଶନ ଇତ୍ୟାଦି ବହୁ ପୁସ୍ତକ ରଚନା କରି ଗୋଁଣ୍ଡି ଭାଷାକୁ ସମୃଦ୍ଧ କରିଛନ୍ତି । ସେ ସର୍ବପ୍ରାଚୀନ ଗୋଁଣ୍ଡି ଭାଷାକୁ ପୁନଃଉଦ୍ଧାର କରି ବହୁ ପୁସ୍ତକ ରଚନା କରିଛନ୍ତି । ଗୋଁଣ୍ଡି ଭାଷା ପ୍ରତି ତାଙ୍କର ମହତ୍ୱପୂର୍ଣ୍ଣ ଅବଦାନ ପାଇଁ ତାଙ୍କର ଜନ୍ମ ଦିବସକୁ ସାରା ଭାରତରେ ଗୋଁଣ୍ଡି ଭାଷା ଦିବସ ଭାବରେ ପାଳନ କରାଯାଉଛି । ଏହି ଅବସରରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଅତିଥିମାନେ ଗୋଁଣ୍ଡି ଭାଷା ଦ୍ରାବିଡିୟ ଭାଷାର ଜନନୀ ବୋଲି କହିଥିଲେ । ଡା. ମୋତିରାବଣ କଙ୍ଗାଲିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଉପସ୍ଥିତ ବକ୍ତାମାନେ ହରପ୍‌ପା ସଭ୍ୟତାରରେ ଲିଖିତ ଚିତ୍ରଲିପିକୁ ସର୍ବ ପ୍ରଥମରେ ଗୋଁଣ୍ଡି ଭାଷାରେ ସେ ପଢିଥିବା ପ୍ରକାଶ କରିଥିଲେ । ପ୍ରାୟ ଆଠ ହଜାର ବର୍ଷର ସର୍ବ ପୁରାତନ ଭାଷା ଅବହେଳିତ ଯାହାକୁ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ କରିବା ପାଇଁ ଦାବି ହେଉଛି । ଯାହା ସାରା ଭାରତରେ ପ୍ରାୟ ଏକ କୋଟିରୁ ଅଧିକ ଲୋକ ଗୋଁଣ୍ଡି ଭାଷା କୁହନ୍ତି । ମୋତିରାବଣ କଙ୍ଗାଲି ମହାରାଷ୍ଟ୍ର ରାଜ୍ୟର ନାଗପୁର ଜିଲ୍ଲାର ଦୁଲାରା ଗ୍ରାମରେ ଛତିରାମ ଓ ରାୟତାର କଙ୍ଗାଲିଙ୍କ ସୁପୁତ୍ର ଥିଲେ । ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ବକ୍ତା ଭାବେ ଭାଷ ଗବେଷକ ରାଷ୍ଟ୍ରୀୟ ସଭ୍ୟ ଗଣେଶ ମାଝି, ମୁଖ୍ୟ ଅତିଥି ପ୍ରଦେଶ ଶିକ୍ଷା ମହାସଚିବ ମୀନକେତନ ମାଝି, ସମ୍ମାନିତ ଅତିଥି ସ୍ୱର୍ଣ୍ଣ ବଡକା, ଧନଞ୍ଜୟ କୁମାର ରାଏ ଉପସ୍ଥିତ ଥିଲେ । ପ୍ରମୋଦ ମଲ୍ଲିକ, ରାମ ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ । ସଂପାଦକ ନୃପ ଭୋଇ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

fifteen + seven =