pakka

ଆସୁଛି ଲଘୁଚାପ : ଚାଷୀ ମୁଣ୍ଡରେ ଚଡ଼କ, ଖୋଲିନି ମଣ୍ଡି

bbehera
  • ଧାନ ଅମଳ ବେଳେ ବି ଶାନ୍ତ ନାହିଁ ଚାଷୀର ମନ

ମ.ରାମପୁର, (ହେମନ୍ତ ସାହୁ) : ଚାଷୀଟିଏ କେତେ ସଂଘର୍ଷ କରେ ଜୀବନରେ । ନିଜ ଜମିକୁ ପ୍ରସ୍ତୁତ କରିବାଠାରୁ ଆରମ୍ଭ କରି ଧାନ ଅମଳ ଯାଏଁ ବିଭିନ୍ନ ସମୟରେ ପ୍ରକୃତିର ପ୍ରକୋପ ସହିବାକୁ ପଡ଼େ । ଧୋଇ, ମରୁଡ଼ିଠାରୁ ଆରମ୍ଭ କରି ଧାନ ବୁଣିବା ସମୟରେ ପାରା ଭଳି ଅନ୍ୟାନ୍ୟ ପକ୍ଷୀ, ଧାନ ହେବା ସମୟରେ ପାଣିର ଅଭାବ, ଧାନ ହେବା ବେଳକୁ ଅଜଣାରୋଗ ପୋକରୁ ସୁରକ୍ଷା, ଜଙ୍ଗଲୀ ଇଲାକାରେ ବନ୍ୟଜନ୍ତୁଙ୍କ କବଳରୁ ଧାନକୁ ରକ୍ଷା ଭଳି ବିଭିନ୍ନ ପର୍ଯ୍ୟାୟ ଦେଇ, ଆଜିର ବ୍ୟୟ ବହୁଳ ଦୁନିଆରେ ବହୁ ଅର୍ଥ ବ୍ୟୟ କରିି ଧାନ ବିହନ ଓ ସାର ପାଇଁ ନାକେଦମ୍ ହେଇ ଶେଷକୁ ମୁଣ୍ଡ ଝାଳ ତୁଣ୍ଡେ ମାରି ଫସଲ ଅମଳ କରିଥାଏ । କେବଳ ଗୋଟିଏ ଲକ୍ଷରେ, ନିଜେ ବର୍ଷଟିଏର ଖାଇବା ଯୋଗାଡ଼ କରିବ ଏବଂ ବାକି ଯାହା ବଳକା ରହିବ ତାକୁ ବିକ୍ରି କରି ଦୁଇପଇସା ପାଇବ । ଆରମ୍ଭରୁ ଶେଷ ଯାଏଁ ଚାଷୀର ଆଖିକୁ ନିଦ ନଥିଲା ବେଳେ ଏବେ ଧାନ ସବୁ ଅମଳର ସମୟ । ଅନେକ ଚାଷୀ ଧାନ କାଟି ବିଲରେ ପେଟା ପକେଇଛନ୍ତି ତ ଆଉ କିଏ ଖଳାରେ ଖାରୀ କରି ରଖିଛି ଏବଂ ଆଉ କିଛି ଧାନ ଅମଳ ହେବାକୁ ଅପେକ୍ଷା । ଏଇ ବେଳେ ଆସୁଥିବା ଲଘୁଚାପ ପୁଣିଥରେ ଚାଷୀକୂଳ ପାଇଁ ପାଲଟିଛି ମୁଣ୍ଡ ବିନ୍ଧାର କାରଣ । ଅମଳ ହେଇ ଥିବା ଧାନକୁ ଯଦି ସୁରକ୍ଷା ଦେଇ ନ ପାରିଲା ତେବେ ମଣ୍ଡିରେ ମିର୍ଲ୍ସଙ୍କ ଆଦ୍ରତାର ଦାୟରେ କଷ୍ଟ ସହିବାକୁ ପଡ଼ିବ, କଟନୀ ଛଟନୀର ଜାଲରେ ପଡ଼ି ସେପଟେ ବେଡ଼ି ଉପରେ କୋରଡ଼ା ମାଡ଼ରେ ପୁଣି ଚାଷୀର ପିଠି ଘାଇଲା ହେବ । ଲଘୁଚାପ କାରଣରୁ ମ.ରାମପୁର ବ୍ଲକରେ ଧାନମଣ୍ଡି ବି ଖୋଲାଯାଇନଥିବା ଜଣାଯାଇଛି । ଏହି ବ୍ଲକରେ ମ.ରାମପୁର, ମଦନପୁର, ମୋହନଗିରୀ ଏବଂ ବାରବନ୍ଧାଠାରେ ଚାରୋଟି କୃଷି ସମବାୟ ରହିଥିବା ବେଳେ ମ.ରାମପୁର ପେକ୍ସରେ ମ.ରାମପୁର, ଅଏଁଲାପାଲି, ବମକ-୧, ବମକ-୨ ମୁଡ଼ିଙ୍ଗ ଏବଂ ନୁନପୁରଠାରେ ଧାନମଣ୍ଡି ଖୋଲିବାର ଯୋଜନା ରହିଛି ଏବଂ ଏହି ସବୁ ମଣ୍ଡି ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ବେଳେ କେବଳ ଲଘୁଚାପ କାରଣରୁ ଧାନର ସୁରକ୍ଷା ଦୃଷ୍ଟିରୁ ଖୋଲାଯାଇନଥିବା ଜଣାଯାଇଛି । ଏବେ ଯୋଉ ଧାନ ବିଲରେ ରହିଛି, ଯଦି ବେଶୀ ପରିମାଣରେ ବର୍ଷା ହୁଏ ଏବଂ ଧାନ ପଡ଼ିଯାଏ, ତେବେ ଧାନଗଜା ହେବାର ସମ୍ଭାବନାକୁ ବି ଏଡ଼ାଇ ଦିଆଯାଇନପାରେ । ତେଣୁ ଏଭଳି ସଂଗୀନ ପରିସ୍ଥିତିରେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଥିବା ବେଳେ ଚାଷୀ ପାଖରେ ରାଜନୈତିକ ଦଳସବୁ ଦୃଢ ଇଚ୍ଛା ଶକ୍ତି ସହିତ ଛିଡ଼ା ହୋଇ ସହାୟତା କରିବା ଉଚିତ ବୋଲି ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.

19 + fifteen =