pakka

ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ଲକ୍ଷ୍ମୀକାନ୍ତ ସାହୁଙ୍କ ଦେହାନ୍ତ

bbehera

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ମୁତ୍ରରୋଗ ବିଭାଗ ପ୍ରଫେସର ଲକ୍ଷ୍ମୀକାନ୍ତ ସାହୁଙ୍କ ପରଲୋକ ହୋଇଯାଇଥିବା ଖବର ମିଳିଛି । ସେ ଆମେରିକା ତାଙ୍କ ଝିଅ​ ଜ୍ୱାଇଁ ପାଖକୁ ଯାଇଥିବା ବେଳେ ଫୁସ୍‌ଫୁସ୍‌ ରୋଗରେ ଆକ୍ରାନ୍ତ ହେବା ପରେ ଅଗଷ୍ଟ ୨୧ ତାରିଖରେ ମରିଷ୍ଟାଉନ ନିଉ ଜର୍ସି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ ଏବଂ ସେଠାରେ ଆଜି ଭାରତୀୟ ସମୟ ଅପରାହ୍ନ ୩.୪୫ମିନିଟରେ ପରଲୋକ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ ବୀଣାପାଣି ସାହୁ, କନ୍ୟା ଇପ୍ସିତା ଓ ଜ୍ୱାଇଁ ରାଜଦୀପ ଉପସ୍ଥିତ ଥିଲେ । ତାଙ୍କର ଏକମାତ୍ର ପୁତ୍ର ଅମିତ ସାହୁ ବେଙ୍ଗାଲୁରୁରେ କାର୍ଯ୍ୟରତ ଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ମୁତ୍ରରୋଗ ବିଭାଗ ପ୍ରଫେସର ଲକ୍ଷ୍ମୀକାନ୍ତ ସାହୁ ଜଣେ ଛାତ୍ର ବତ୍ସଳ ଶିକ୍ଷକ ଥିଲେ । ସେ ଜଣେ ଆଦର୍ଶବାନ ଓ ପରୋପକାରୀ ଡାକ୍ତର ଥିଲେ । ମୂତ୍ରରୋଗ ସମ୍ବନ୍ଧରେ ଜନ ସଚେତନତା ଆଣିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିଥିଲେ । ପ୍ରଫେସର ଲକ୍ଷ୍ମୀକାନ୍ତ ସାହୁ ୧୪ ସେପ୍ଟେମ୍ବର ୧୯୪୩ରେ କୋରାପୁଟ ଜିଲାର ଜୟପୁରରେ ଜନ୍ମଗ୍ରହଣ କରିଥିଲେ । ଡାକ୍ତର ଚିନ୍ତାମଣି ସାହୁଙ୍କ ସେ ଥିଲେ ଜ୍ୟେଷ୍ଠ ପୁତ୍ର । କଟକ ଏସସିବି ମେଡିକାଲ କଲେଜରୁ ୧୯୬୭ରେ ଏମବିବିଏସ ଡାକ୍ତରୀ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିଲେ । ୧୯୭୫ ମସିହାରେ ଏମ୍‌ସ ନୂଆଦିଲ୍ଲୀରୁ ସୁପର ସ୍ପେସିଅଲିଟି କରିଥିଲେ । ସେ ବୁର୍ଲା ଓ କଟକରେ ମେଡିକାଲ କଲେଜରେ ବିଭିନ୍ନ ପଦରେ ଅବସ୍ଥାପିତ ହୋଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଛନ୍ତି । ସେ ପ୍ରଥମ କରି ବୁର୍ଲା ମେଡିକାଲ କଲେଜ ହସ୍ପିଟାଲରେ ୧୯୮୫ରେ ସଫଳତାର ସହ କିଡନୀ ପ୍ରତିରୋପଣ କରିଥିଲେ । କଟକ ଏସସିବି ମେଡିକାଲ କଲେଜରୁ ଅଧ୍ୟକ୍ଷ ଭାବେ ୧୯୯୯ରୁ କାର୍ଯ୍ୟକରି ୨୦୦୧ ମସିହାରେ ସେବାନିବୃତ୍ତ ହୋଇ ଅବସର ଗ୍ରହଣ କରିଥିଲେ । ଏହାପରେ ସେ ରୋଗୀସେବାରେ ନିଜକୁ ସମର୍ପିତ କରିଥିଲେ । ପ୍ରଫେସର ଲକ୍ଷ୍ମୀକାନ୍ତ ସାହୁ ୟୁରୋଲୋଜିକାଲ ସୋସାଇଟି, ଓଡିଶାର ପ୍ରତିଷ୍ଠାତା ସଭାପତି ଥିଲେ । ତାଙ୍କ ପରଲୋକରେ ଡାକ୍ତରୀସେବା କ୍ଷେତ୍ରରେ ଶୂନ୍ୟସ୍ଥାନ ସୃଷ୍ଟି ହେବା ସହ ସବୁଆଡେ ଶୋକର ଛାୟା ଖେଳିଯାଇଛି ।

jay balangir
Leave A Reply

Your email address will not be published.

four × 1 =