pakka

ଜାତୀୟ ଶିକ୍ଷାନୀତି ବିରୋଧରେ ଏଆଇଡିଏସ୍‌ଓର ଦସ୍ତଖତ ସଂଗ୍ରହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିକ୍ଷାର ଘରୋଇକରଣ, ବ୍ୟବସାୟୀକରଣ ଓ ସମ୍ପ୍ରଦାୟୀକରଣ ଓ ଜାତୀୟ ଶିକ୍ଷାନୀତି ୨୦୨୦ ବିରୋଧରେ ଅଲ ଇଣ୍ଡିଆ ଡିଏସ୍‌ଓ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ବଲାଙ୍ଗିର ରାଜେନ୍ଦ୍ର କଲେଜ ଛକ ସମ୍ମୁଖରେ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ଏହି ଶିକ୍ଷାନୀତି ଦ୍ୱାରା ଏକାଡେମିକ୍‌ ଓ ପ୍ରାସନିକ କେନ୍ଦ୍ରୀକରଣ କରିବାର ମୂଳ ଉଦ୍ଦେଶ୍ୟ ହେଉଛି, ଶିକ୍ଷାରେ ପ୍ରକୃତ ନିର୍ଯ୍ୟାସକୁ ନଷ୍ଟ କରି ବିଶ୍ୱ ବଜାରରେ ଶିକ୍ଷାକୁ ଏକ ଲାଭଦାୟକ ପଣ୍ୟରେ ପରିଣତ କରିବା । ସେହି ଭଳି ଷଷ୍ଠ ଶ୍ରେଣୀରୁ ଧନ୍ଦାମୂଲକ ଶିକ୍ଷା ଲାଗୁ କରିବା, ଅଯୌକ୍ତିକ ଭାଷାନୀତି, ନବମ ଶ୍ରେଣୀରୁ ସେମିଷ୍ଟାର ବ୍ୟବସ୍ଥା, ଏକାଧିକ ପ୍ରବେଶ, ପ୍ରସ୍ତାନ ଏବଂ ଏକାଡେମିକ ବ୍ୟାଙ୍କ ଅଫ୍‌ କ୍ରେଡିଟ ଶିକ୍ଷା ଅଧ୍ୟୟନକୁ ସମ୍ପୂର୍ଣ୍ଣ ଧ୍ୱଂସ କରିଦେବ । ଏହା ବ୍ୟତିତ ପ୍ରାଚୀନ ଭାରତୀୟ ଜ୍ଞାନ ବ୍ୟବସ୍ଥା ନାମରେ ଏହି ଶିକ୍ଷାନୀତି ଇତିହାସ ଏବଂ ବିଜ୍ଞାନକୁ ବିକୃତ କରି ଶିକ୍ଷା କ୍ଷେତ୍ରରେ ଅବୈଜ୍ଞାନିକ, ବିଭାଜନକାରୀ ଓ ସାମ୍ପ୍ରଦାୟିକ ଚିନ୍ତାଧାରାକୁ ପ୍ରୋତ୍ସାହିତ କରିବ ବୋଲି ସଂଘ କହିଛି । ଜାତୀୟ ଶିକ୍ଷାନୀତି-୨୦୨୦ ଶିକ୍ଷାର ଘରୋଇକରଣ, ବ୍ୟବସାୟିକରଣ, କେନ୍ଦ୍ରୀକରଣ, ଧନ୍ଦାଭିମୁଖୀକରଣ ଏବଂ ସମ୍ପ୍ରଦାୟୀକରଣର ନୀଳନକ୍ସା ବୋଲି ସଂଘ ଅଭିଯୋଗ କରିଛି । ଏଣୁ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ସୁରକ୍ଷିତ କରିବା ପାଇଁ ଜାତୀୟ ଶିକ୍ଷାନୀତି-୨୦୨୦ ବିରୋଧରେ ଆନ୍ଦୋଳନ ଲାଗି ଏଆଇଡିଏସ୍‌ଓ ସର୍ବ ଭାରତୀୟ କମିଟି ଉଦ୍ୟୋଗରେ ମେ ୧ ରୁ ୧୮ ସେପ୍ଟେମ୍ବର ଭଗତ ସିଂଙ୍କ ଜୟନ୍ତୀ ପର୍ଯ୍ୟନ୍ତ ୧୫୦ ଦିନ ମଧ୍ୟରେ ୧ କୋଟି ଦସ୍ତଖତ ସଂଗ୍ରହ ଅଭିଯାନ କରିଛି । ଦସ୍ତଖତ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ ଜିବେଶ୍ୱର ପ୍ରଧାନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ଏଆଇଡିଏସ୍‌ଓର ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ ସୁନିଲ ଭୋଇ, ଜିଲ୍ଲା ସଭାପତି ରାଜେନ୍ଦ୍ର ରଣା, ଜିଲ୍ଲା ସଂପାଦକ ମଧୁ ସୁଦନ ବାଗ, ଗୌରୀ ରାଉତ, ଅହଲ୍ୟା ସାହୁ, ଅନନ୍ୟା ଦାନୀ, ତ୍ରିଲୋଚନ ସାହୁ, ଖୁସିରାମ ସୁନା, ସିଦ୍ଧାନ୍ତ ମହାକୁର, ଗୋସେଫ ବାଗ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

1 × four =