ଶୃଙ୍ଖଳିତ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରାର୍ଥୀପତ୍ର ଦାଖଲ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ହିଞ୍ଜିଳି ବିଧାନସଭା ଆସନ ନିମନ୍ତେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ସ୍ଥିତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ବିଜେଡି ସୁପ୍ରିମୋଙ୍କ ପ୍ରାର୍ଥିପତ୍ର ଦାଖଲ ବେଳେ ବରିଷ୍ଠ ବିଜେଡି ନେତା ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ସମେତ ବିଜେଡିର ବହୁ ନେତୃବର୍ଗ, ଗଞ୍ଜାମ ଜିଲ୍ଲାର ବିଧାୟକ, ବିଧାୟିକା, ନେତା କର୍ମୀ ତଥା ବିଭିନ୍ନ ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଷଷ୍ଠଥର ପାଇଁ ହିଞ୍ଜିଳିରୁ ନିର୍ବାଚନ ଲଢୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ନବୀନ ନିଜ ଜିଲ୍ଲା ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ବିଶ୍ୱବନ୍ଦନୀୟା ମା’ ତାରାତାରିଣୀ ପୀଠ ପରିଦର୍ଶନ କରିଥିଲେ । ମା’ଙ୍କଠାରେ ଅଖଣ୍ଡ ଦୀପ ଜାଳି ପୂଜାର୍ଚ୍ଚନା କରି ଦେବୀଙ୍କ ଆଶୀର୍ବାଦ ଭିକ୍ଷା କରି ନିଜର ପଦ ମର୍ଯ୍ୟଦାର ମଙ୍ଗଳ କାମନା କରିଥିଲେ, ମୁଖ୍ୟମନ୍ତ୍ରୀ । ସୂଚନା ଯୋଗ୍ୟ ଯେ’ ପବିତ୍ର ବୈଶାଖ ମାସ ଶୁଭ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱରରୁ ଆସି ମା’ ତାରାତାରିଣୀ ପୀଠ ନିକଟରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରୁ ସେ ସିଧାସଳଖ ମା’ ତାରାତାରିଣୀଙ୍କ ମନ୍ଦିର ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା ଭି. କାର୍ତ୍ତିକେୟ ପାଣ୍ଡିଆନ ସାଥୀରେ ଆସିଥିଲେ । ତାରାତାରିଣୀ ପୀଠରୁ ମୁଖ୍ୟମନ୍ତ୍ରୀ ସିଧାସଳଖ ହେଲିକପ୍ଟର ମାଧ୍ୟମରେ ଛତ୍ରପୁରର ଅନସ୍ଲୋ ମିନି-ଷ୍ଟାଡିୟମ୍‌ରେ ଅବତରଣ କରିଥିଲେ ଏବଂ ପୋଲିସ ପ୍ରୋଟକୋଲ୍ ମଧ୍ୟରେ ସର୍କିଟ ହାଉସଠାରେ କିଛି ସମୟ ଜଳପାନ ବିରତି କରି ନାମାଙ୍କନ ଦାଖଲ ପାଇଁ ବାହାରିଥିଲେ । ସପ୍ତାହକ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଥର ପାଇଁ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଛନ୍ତି । ପୂର୍ବରୁ ସେ ଏପ୍ରିଲ ୨୪ରେ ହିଞ୍ଜିଳି ଆସି ଏକ ବିଶାଳ ସାଧାରଣ ସଭାରେ ଯୋଗଦେଇ ଜନତାଙ୍କୁ ଉଦ୍‌ବୋଧନ ଦେଇ ଯୋଡ଼ା ଶଙ୍ଖରେ ଭୋଟ ଦେବାପାଇଁ ଭୋଟରଙ୍କୁ ଭୋଟ ଭିକ୍ଷା ନିବେଦନ କରିଥିଲେ । ସେହିଦିନ ଦଳୀୟ ବିଜେଡିର ନିର୍ବାଚନ ପ୍ରଚାର କାର୍ଯ୍ୟ ଶୁଭାରମ୍ଭ କରିଥିଲେ । ପରେ ସେ ଶେରଗଡରେ ମଧ୍ୟ ଏକ ଜନସମାବେଶକୁ ଉଦ୍‌ବୋଧନ ଦେଇ ଭୋଟ ପ୍ରଚାର ସ୍ୱରୂପ ଆସକ୍ତି ମୂଳକ ସମ୍ବୋଧନ କରିଥିଲେ ।

Leave A Reply

Your email address will not be published.

13 + one =