ଜାତୀୟ ଡାକଘର ସପ୍ତାହ ପାଳନ ଅବସରରେ ଡାକ ଟିକଟ ପ୍ରଦର୍ଶନ, ସେମିନାର ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ଶାନ୍ତି ନଗର ନେତାଜୀ ଯୁବକସଙ୍ଘ କମ୍ୟୁନିଟି ହଲ୍‌ରେ ଜାତୀୟ ଡାକ ସପ୍ତାହ ପାଳନ ଅବସରରେ ଡାକ ଟିକଟ ପ୍ରଦର୍ଶନ ଏବଂ ଡାକ ସଂଗ୍ରହ ସମ୍ପର୍କିତ ସେମିନାର ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଡାକ ସେବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ଡାକ-ଟିକଟ ସଂଗ୍ରହରୁ ଉପଲବ୍ଧ ହେଉଥିବା ମୌଳିକ ଜ୍ଞାନ ସମ୍ବନ୍ଧରେ ଏକ ସାଧାରଣ ଜ୍ଞାନ ପ୍ରତିଯୋଗିତା କଲେଜ ସ୍ତରୀୟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଗଣେଶ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନସର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଡାକ ମଣ୍ଡଳର ବରିଷ୍ଠ ଡାକ ଅଧିକ୍ଷକ ତାରିଣୀ ଚରଣ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସହକାରୀ ଡାକ ଅଧିକ୍ଷକ ମନୋଜ କୁମାର ବେହେରା, କିରଣମାଳା ପଣ୍ଡା, ଛତ୍ରପୁର ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ କୁମାର ମହାରଣା, ପ୍ରେସ କ୍ଲବ ସହସମ୍ପାଦକ କେ. ସତ୍ୟ ନାରାୟଣ ରେଡ୍ଡୀ, ଗଣେଶ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନସ୍‌ର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ । ଡାକ ଟିକଟ ସଂଗ୍ରହ ଦ୍ୱାରା ୩ଇ ଅର୍ଥାତ ଏଜୁକେସନ, ଏନ୍ଟଟେରନମେଣ୍ଟ, ଅରନିଙ୍ଗ ଆଦି ତିନୋଟି ଲକ୍ଷ୍ୟ ସାଧନ ନେଇ ଡାକ କର୍ତ୍ତୃପକ୍ଷ ବର୍ଣ୍ଣନା କରିଥିଲେ । ଏହି ଅବସରରେ ଆୟୋଜିତ ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପ୍ରଭୃତି ଅନୁଷ୍ଠାନର ପ୍ରାୟ ଏକଶହ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଉପସ୍ଥିତ ଡାକ ଅଧିକାରୀ ଶ୍ରୀ ବେହେରା ଓ ଶ୍ରୀମତୀ ପଣ୍ଡା ଡାକଘର କିଭଳି ତାର ମୂଳ ଡାକ ସେବା ସହ ଅଧୁନା ଗୋଟିଏ ଛାତ ତଳେ ବ୍ୟାଙ୍କିଙ୍ଗ ସେବା, ବୀମା, ଆଧାର ସଂଶୋଧନ ଓ ପଞ୍ଜିକରଣ, କମନ ସର୍ଭିସ ସେଣ୍ଟର ସେବା, ରେଳ ଟିକଟ ବୁକିଙ୍ଗ ସେବା ଯୋଗାଉଥିବାରୁ ଛାତ୍ରଛାତ୍ରୀମାନେ ଦେଶର ସର୍ବବୃହତ ତଥା ପୁରାତନ ସଂସ୍ଥା ସହ ତରୁଣ ବୟସରୁ ଏ କ୍ଷେତ୍ରରେ ଜଡିତ ହେବାକୁ ଆହ୍ୱାନ ଦେଇଥିଲେ । ପ୍ରେରଣା ଦେଇଥିଲେ । ଆୟୋଜିତ ପ୍ରତିଯୋଗିତାରେ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ର ଦୀପକ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପି. ଶ୍ରୀନିବାସ ସେନାପତି, ମୃତ୍ୟୁଞ୍ଜୟ ନାହାକ ଯଥାକ୍ରମେ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ଓ ସମ୍ମାନୀତ ହୋଇଥିବା ବେଳେ ବି. ସିଦ୍ଧାର୍ଥ ଓ ନଳିନୀ ଶାସମଲଙ୍କୁ ଉକ୍ତ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ ପାଇଁ ସମ୍ମାନୀତ କରାଯାଇଥିଲା । ଏହି କାର୍ୟ୍ୟକ୍ରମକୁ ବ୍ରହ୍ମପୁର ଡାକ ମଣ୍ଡଳର ବିଜିନେସ ସଂଯୋଜକ ଗୌର ହରି ପଣ୍ଡା ପରିଚାଳନା କରିଥିଲେ । ଦେବରାଜ ନାୟକ, ଘନଶ୍ୟାମ ବେହେରା, ରଶ୍ମିରଂଜନ ମହାପାତ୍ର, ଭଗବାନ ସେଠୀ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

fourteen + twenty =