jsm

ଡୁମ୍ଵେରବାହାଲ ଗ୍ରାମରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଦାବୀପତ୍ର ପ୍ରଦାନ

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ମାଣ୍ଡୋସିଲ ପଞ୍ଚାୟତ ଅନ୍ତର୍ଗତ ଡୁମ୍ଵେରବାହାଲ ଗ୍ରାମରେ ସରକାରଙ୍କ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଡୁମ୍ଵେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକମାନେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପଦ୍ମପୁର ଉପଜିଲ୍ଲାପାଳ ହେମସାଗର ଭୋଇ, ପାଇକମାଲ ବିଡ଼ିଓ ପ୍ରଫୁଲ୍ଲ କୁମାର ଓଡୁ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଧେଶ୍ୟାମ ମେହେରଙ୍କୁ ସାକ୍ଷାତ କରି ଏ ସଂକ୍ରାନ୍ତରେ ଦାବୀପତ୍ର ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ, ଛାତ୍ରଛାତ୍ରୀମାନଙ୍କୁ ଉନ୍ନତ ଓ ଉତ୍କୃଷ୍ଟ ଶିକ୍ଷା ପ୍ରଦାନ ନିମନ୍ତେ ଓଡ଼ିଶା ସରକାର ପ୍ରତ୍ୟେକ ପଞ୍ଚାୟତରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଘୋଷଣା କରିବା ସହ ପଦକ୍ଷେପ ନେଉଛନ୍ତି । ତେବେ ଏହି ସ୍କୁଲ ପ୍ରତିଷ୍ଠା ପାଇଁ ବିଭିନ୍ନ ଯୋଗ୍ୟତା ମାନଦଣ୍ଡ ରହିଥିବା ବେଳେ ଏଥି ମଧ୍ୟରୁ ପଞ୍ଚାୟତର ଯେଉଁ ସ୍କୁଲ କିମ୍ବା ଗ୍ରାମରେ ଅତି କମରେ ୬ ଏକର ସରକାରୀ ଜମି ରହିଥିବ ଓ ସେହି ଗ୍ରାମର ସ୍କୁଲରେ ଅତି କମରେ ୮୦ ଜଣ ଛାତ୍ରଛାତ୍ରୀ ଥିବେ, କେବଳ ସେହି ଗ୍ରାମରେ ହିଁ ଏହି ସ୍କୁଲ ପ୍ରତିଷ୍ଠା ହୋଇପାରିବ । ଏହି ଯୋଗ୍ୟତା ମାନଦଣ୍ଡ ହିସାବରେ ଡୁମ୍ଵେରବାହାଲ ସ୍କୁଲରେ ୧୫୦ ଜଣ ଛାତ୍ରଛାତ୍ରୀ ରହିଥିବାବେଳେ ଏହି ଗ୍ରାମରେ ୬ ଏକରରୁ ଉର୍ଦ୍ଧ୍ବ ସରକାରୀ ଜମି ରହିଛି । ଏଥିପାଇଁ ରାଜସ୍ୱ ବିଭାଗ ପକ୍ଷରୁ ନକ୍‌ସା ମଧ୍ୟ ପ୍ରସ୍ତୁତ ହୋଇସାରିଛି ଓ ତାହା ତହସିଲଦାର ତଥା ବିଭାଗୀୟ ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଡୁମ୍ଵେରବାହାଲ ସ୍କୁଲରେ ଉତ୍କୃଷ୍ଟ ଶିକ୍ଷାଦାନ ଯୋଗୁଁ ପ୍ରତିବର୍ଷ ଛାତ୍ରଛାତ୍ରୀମାନେ ବିଭିନ୍ନ ମେଧାବୃତ୍ତି ପାଇବା ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଉଛନ୍ତି । ଏହା ସହ ଲଗାତାର ଭାବେ ବିଦ୍ୟାଳୟ ଓ ବିଦ୍ୟାଳୟର ଶିକ୍ଷକମାନେ ମଧ୍ୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇ ଆସୁଛନ୍ତି । ତେଣୁ ଏ ସବୁକୁ ଦୃଷ୍ଟିରେ ରଖି ଡୁମ୍ଵେରବାହାଲ ଗ୍ରାମରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବାକୁ ବରଗଡ଼ ସାଂସଦ ଶ୍ରୀ ପୁରୋହିତ, ପଦ୍ମପୁର ବିଧାୟିକା ଶ୍ରୀମତୀ ବରିହା, ଉପଜିଲ୍ଲାପାଳ ଶ୍ରୀ ଭୋଇ, ପାଇକମାଲ ବିଡ଼ିଓ ଶ୍ରୀ ଓଡୁ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ମେହେର ପ୍ରତିନିଧି ମଣ୍ଡଳୀକୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି । ସୁଶାନ୍ତ ଖମାରୀଙ୍କ ନେତୃତ୍ୱରେ ଏହି ପ୍ରତିନିଧି ମଣ୍ଡଳୀରେ ଗୀତାଞ୍ଜଳୀ କୁମ୍ଭାର, ରୁଦନା ବାଗ, ଜୟନ୍ତୀ ସାହୁ, ରୀନା ମୁଗ୍ରୀ, ଗୟାଧର ବାଗ, ଲିଙ୍ଗରାଜ ଷଡ଼ଙ୍ଗୀ, ହୃଷିକେଶ ସାହୁ, ଜୟକିଶୋର ପୁରୋହିତ, ପ୍ରଦୀପ ବଢ଼େଇ, ଅହଲ୍ୟା ମାଝୀ, ରାଧାନନ୍ଦ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

yuvodaya
Leave A Reply

Your email address will not be published.