jayashree

୧୬ ଦିନିଆ ବିଶ୍ୱ ହିଂସା ନିରୋଧ ଅଭିଯାନ ଆରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର ଓ ଗଞ୍ଜାମ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଆୟୋଜିତ ମହିଳାଙ୍କ ପ୍ରତି ହିଂସା ନିରୋଧ ଆନ୍ତର୍ଜାତୀୟ ଦିବସ ଆରମ୍ଭ ହୋଇଛି । “ହିଂସାକୁ ନା, ସମ୍ମାନକୁ ହଁ, ସମାନତାକୁ ହଁ ଏବଂ ନ୍ୟାୟକୁ ହଁ—ଆସନ୍ତୁ, ଏକ ସୁରକ୍ଷିତ, ହିଂସାମୁକ୍ତ ଓ ସମାନତାପୂର୍ଣ୍ଣ ସମାଜ ଗଢ଼ିବା” ବୋଲି ମତପ୍ରକାଶ ପାଇଛି । ଏହି ଦିବସଠାରୁ ଡିସେମ୍ବର ୧୦, ମାନବାଧିକାର ଦିବସ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ‘୧୬ ଦିନିଆ ହିଂସା ନିରୋଧ ଅଭିଯାନ’ ପାଳନ କରାଯାଏ । ଏହା କେବଳ ଏକ ସଚେତନତା ଅଭିଯାନ ନୁହେଁ, ବରଂ ମହିଳା ଓ ବାଳିକାଙ୍କ ସୁରକ୍ଷା, ସମ୍ମାନ, ଅଧିକାର ଓ ସମାନତା ପ୍ରତି ଆମର ସାମୂହିକ ସଂକଳ୍ପ । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତି ୱାସନଙ୍କ ଅଧ୍ୟକ୍ଷତାରେ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଅର୍ଚ୍ଚନା କହଁରଙ୍କ ତତ୍ତ୍ୱାବଧାନରେ ୧୬ ଦିନିଆ ଅଭିଯାନର ଶୁଭାରମ୍ଭ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନ, ଶକ୍ତି ଆପା, ଓଡ଼ିଶା ଜୀବିକା ମିଶନର ଅଧିକାରୀ, ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ରର କର୍ମଚାରୀ, ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡର ସଦସ୍ୟ, ଉତ୍କଳ ବାଳାଶ୍ରମ ଓ ସ୍ୱାଧାରର କର୍ମକର୍ତ୍ତା, ଜେଣ୍ଡର ସିଆର୍‌ପି, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, କିଶୋରୀ ବାଳିକା, ସଖୀ କେନ୍ଦ୍ର, ଶକ୍ତି ସଦନ, ସଖୀ ନିବାସର କର୍ମଚାରୀ, SEVA, CARD ଓ CURE NGOର ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ବିଭିନ୍ନ ସ୍କୁଲ୍ ଓ କଲେଜର ଛାତ୍ରୀମାନେ ଯୋଗଦେଇଥିଲେ । ଏହି ଅବସରରେ ଯୌନ ଉତ୍ପୀଡ଼ନ ନିରୋଧ ଆଇନ, ୨୦୧୩ ସମ୍ପର୍କିତ ପ୍ରତିଜ୍ଞା ଗ୍ରହଣ କରାଯିବା ସହ ମହିଳା ଓ ବାଳିକାଙ୍କ ପ୍ରତି ସମସ୍ତ ପ୍ରକାରର ହିଂସା ନିରୋଧ ନିମନ୍ତେ ଶପଥ ଗ୍ରହଣ କରାଯାଇଥିଲା । ଏହି ଶପଥ କାର୍ଯ୍ୟକ୍ରମ ଅତିରିକ୍ତ ମାଜିଷ୍ଟ୍ରେଟ୍ ଜେନେରାଲ୍ ସଚ୍ଚିଦାନନ୍ଦ ନାୟକଙ୍କ ଦ୍ୱାରା ପରିଚାଳିତ ହୋଇଥିଲା । ମହିଳା ଓ ବାଳିକାଙ୍କ ପ୍ରତି ହିଂସା ନିରୋଧରେ ସାମୂହିକ ସଚେତନତା, ସହଯୋଗ ଓ ସକ୍ରିୟ ଅଂଶଗ୍ରହଣର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା । ଘରୋଇ ହିଂସା, ଯୌତୁକ ଜନିତ ନିର୍ଯ୍ୟାତନା, ଯୌନ ହିଂସା, ଶିଶୁ ଯୌନ ଶୋଷଣ, ବାଲ୍ୟବିବାହ, ମାନବ ଚାଲାଣ, ସାଇବର ହିଂସା, କାର୍ଯ୍ୟସ୍ଥଳରେ ଯୌନ ଉତ୍ପୀଡ଼ନ, ମାନସିକ ଓ ଆର୍ଥିକ ନିର୍ଯ୍ୟାତନା ଏବଂ ସାମାଜିକ ଭେଦଭାବ ଭଳି ବିଭିନ୍ନ ହିଂସା ବିରୋଧରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ । ଜିଲ୍ଲାର ବିଭିନ୍ନ ବ୍ଲକ୍, ଗ୍ରାମପଞ୍ଚାୟତ, ଶିକ୍ଷାନୁଷ୍ଠାନ, ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନ ଓ ସର୍ବସାଧାରଣ ସ୍ଥାନରେ ‘ସେଫ୍ ସିଟି’ ସଚେତନତା କାର୍ଯ୍ୟକ୍ରମ, ରାଲି, ଶପଥ ଗ୍ରହଣ, ଆଲୋଚନା ଚକ୍ର, ଯୁବ ଅଂଶଗ୍ରହଣ, ମହିଳା ସଭା ଓ ପାଲା–ଦାସକାଠିଆ ଭଳି ଲୋକକଳା ମାଧ୍ୟମରେ ହିଂସା ନିରୋଧ ସନ୍ଦେଶ ପ୍ରଚାର କରାଯିବ । ଏଥିସହ ମାନସିକ ସ୍ୱାସ୍ଥ୍ୟ, ଶିଶୁମାନଙ୍କ ସୁସ୍ଥ ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା, ଅଧିକାର ଓ ସୁରକ୍ଷା ଉପରେ ବ୍ଲକ୍ ଓ ଗ୍ରାମସ୍ତରରେ ବିଭିନ୍ନ ସଚେତନତା ସଭା ଓ ସମୁଦାୟଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ୧୬ ଦିନିଆ ଅଭିଯାନ ଅବସରରେ ମହିଳା ଓ ଶିଶୁଙ୍କ ସୁରକ୍ଷା, ଘରୋଇ ହିଂସା, ଯୌତୁକ ପ୍ରଥା, ବାଲ୍ୟବିବାହ, ଯୌନ ଉତ୍ପୀଡ଼ନ, POCSO ଆଇନ, ସାଇବର ସୁରକ୍ଷା, ମହିଳାଙ୍କ ଅଧିକାର, ଲିଙ୍ଗଗତ ସମାନତା ଓ ବିଭିନ୍ନ ହେଲ୍ପଲାଇନ୍ ସମ୍ପର୍କିତ ୩୦ଟି ସଚେତନତାମୂଳକ ସ୍ଲୋଗାନ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯିବ । ଏହାସହ ହିଂସାର ଶିକାର ମହିଳା ଓ ଶିଶୁଙ୍କୁ ସହଯୋଗ, ସୁରକ୍ଷା ଓ ନ୍ୟାୟ ପ୍ରଦାନ ଏବଂ ହିଂସାମୁକ୍ତ ସମାଜ ଗଠନ ପାଇଁ ସାମୂହିକ ଦାୟିତ୍ୱବୋଧ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯିବ । ଜିଲ୍ଲାପାଳ ମହିଳା ଓ ବାଳିକାଙ୍କ ପାଇଁ ସୁରକ୍ଷିତ, ସମ୍ମାନଜନକ ଓ ଭୟମୁକ୍ତ ପରିବେଶ ସୃଷ୍ଟି କରିବା ସହ ହିଂସାର ଶିକାର ବ୍ୟକ୍ତିଙ୍କୁ ଆବଶ୍ୟକ ସହାୟତା, ସୁରକ୍ଷା ଓ ନ୍ୟାୟ ପ୍ରଦାନରେ ସମସ୍ତ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, ସମୁଦାୟ ଓ ନାଗରିକଙ୍କ ସାମୂହିକ ଦାୟିତ୍ୱ ଏବଂ ସମନ୍ୱିତ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମର ସମନ୍ୱୟ ଓ ଆୟୋଜନ ଜିଲ୍ଲା ମହିଳା ସଶକ୍ତିକରଣ କେନ୍ଦ୍ର (DHEW), ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ଗଞ୍ଜାମ ପକ୍ଷରୁ ଜିଲ୍ଲା ସଂଯୋଜିକା ଶ୍ରୀମତୀ ଗୀତାଞ୍ଜଳି ମହାରଣାଙ୍କ ଦ୍ୱାରା କରାଯାଇଥିଲା । ଏହି ଅଭିଯାନ ମାଧ୍ୟମରେ ସମସ୍ତ ବିଭାଗ, ଏନ୍‌ଜିଓ, ଶକ୍ତି ଆପା, ଓଡ଼ିଶା ଜୀବିକା ମିଶନ, ସମୁଦାୟ ଓ ନାଗରିକଙ୍କ ସକ୍ରିୟ ସହଯୋଗରେ ହିଂସାମୁକ୍ତ, ସୁରକ୍ଷିତ, ସମାନତାପୂର୍ଣ୍ଣ ଓ ସମ୍ମାନଜନକ ସମାଜ ଗଠନ ପାଇଁ ଆହ୍ୱାନ କରାଯାଇଛି ।

Leave A Reply

Your email address will not be published.