ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କୁ ବେଆଇନ ଛଟେଇ ପ୍ରତିବାଦରେ ଶ୍ରମ ଅଧିକାରୀଙ୍କୁ ଦାବୀପତ୍ର

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ଥିବା ସମସ୍ତ ନୀତି ନିୟମକୁ ଜଳାଞ୍ଜଳି ଦେଇ ସମ୍ପୃକ୍ତ ଠିକାଦାରମାନେ ବିନା କାରଣରେ ଛଟେଇ କରିବା ଏବଂ ଦରମା ବନ୍ଦ କରିବା, ପ୍ରତି ମାସର ନିର୍ଦ୍ଧିତ ତାରିଖରେ ଇପିଏଫ, ଇଏସଆଇ କଟାନଯିବା ପ୍ରଭୃତି ସମସ୍ୟା ସମ୍ପର୍କରେ ଓଡ଼ିଶା ମେଡିକାଲ କର୍ମଚାରୀ ସଂଘ ଗଞ୍ଜାମ ଜିଲା ଶାଖା ପକ୍ଷରୁ ବ୍ରହ୍ମପୁରଠାରେ ଥିବା ଯୁଗ୍ମ ଶ୍ରମ କମିଶନରଙ୍କ ଅନୁପସ୍ଥିତିରେ ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ର ଓ ଛତ୍ରପୁରସ୍ଥିତ ଜିଲା ଶ୍ରମ ଅଧିକାରୀ ନଗେନ୍ଦ୍ର କୁମାର ଗାଇପାଇଙ୍କ ସହ ସାକ୍ଷାତ ଆଲୋଚନା କରି ଦାବୀପତ୍ର ପ୍ରଦାନ କରାଯାଇଛି । ସୂଚନାଥାଉକି, ଗତ ଜୁଲାଇ ମାସରୁ ଛତ୍ରପୁର ସବଡିଭିଜନ ହସ୍ପିଟାଲରେ କାର୍ଯ୍ୟରତ ଦୁଇ ଆଉଟସୋର୍ସିଂ କର୍ମଚାରୀ ସୁଜିତ କୁମାର ନାୟକ ଓ ପ୍ରେମ୍‌ ବେହେରାଙ୍କ ବେଆଇନ ଓ ବିନା ନୋଟିସରେ ଛଟେଇ କରାଯିବା ସମ୍ପର୍କରେ ଶ୍ରମ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଏ ଦିଗରେ ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରାଯାଇଥିଲା । ଦାବୀପତ୍ର ପ୍ରଦାନ ସମୟରେ ହିନ୍ଦ୍‌ ମଜଦୁର ସଭା ଓଡ଼ିଶା ଶାଖାର ଉପସଭାପତି ତଥା ମେଡିକାଲ କର୍ମଚାରୀ ସଂଘର ଉପଦେଷ୍ଟା ରବି ରଥ, ସମାଜସେବୀ ତଥା ଆଡ଼ଭୋକେଟ କେ. ଚନ୍ଦ୍ରଶେଖର ରେଡ଼ି, ରାଜ୍ୟ ମେଡିକାଲ କର୍ମଚାରୀ ସଂଘର ଯୁଗ୍ମ ସମ୍ପାଦକ ରବିନ୍ଦ୍ର ନାୟକ, ଜିଲ୍ଲା ମେଡିକାଲ କର୍ମଚାରୀ ସଂଘର ସାଧାରଣ ସମ୍ପାଦିକା ରେଣୁପ୍ରିୟା ପାଢ଼ୀ, ପିଙ୍କି ନାୟକଙ୍କ ସମେତ ବହୁ କର୍ମଚାରୀ ଆଲୋଚନାରେ ଉପସ୍ଥିତ ଥିଲେ । ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ ନ କଲେ କର୍ମଚାରୀ ସଂଘ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସାଧାରଣ ସମ୍ପାଦିକା ପାଢ଼ୀ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

5 × four =