
- ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି — ବ୍ୟାପକ ଇକୋ-ଟୁରିଜମ୍ ପାଇଁ ₹୨୦୦ କୋଟି ମଞ୍ଜୁରି ଦାବି
ଭୁବନେଶ୍ୱର : ବଲାଙ୍ଗିରର ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ଜଳ-ପର୍ଯ୍ୟଟନ ଓ ଇକୋ-ଟୁରିଜମ୍ କେନ୍ଦ୍ର ଭାବେ ବିକଶିତ କରିବା ପାଇଁ ଦାବି ଉଠାଇଛନ୍ତି ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ । ଏନେଇ ସେ ମୁଖ୍ୟମନ୍ତ୍ରୀ ତଥା ଜଳସମ୍ପଦ ମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି । ବିଧାୟକଙ୍କ ଚିଠି ଅନୁଯାୟୀ, ବିଶାଳ ଜଳଭଣ୍ଡାର, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ବଲାଙ୍ଗିର ସହରର ନିକଟତା ଯୋଗୁଁ ଲୋୟର ସୁକତେଲରେ ଜଳକ୍ରୀଡ଼ା, ବୋଟିଂ, ଭ୍ୟୁ-ପଏଣ୍ଟ, ଲ୍ୟାଣ୍ଡସ୍କେପ୍ଡ ପବ୍ଲିକ୍ ସ୍ପେସ୍, ଚାଲିବା ଓ ସାଇକେଲିଂ ପଥ, ପିକନିକ୍ ଏବଂ ମନୋରଞ୍ଜନ ଭଳି ବିଭିନ୍ନ ପର୍ଯ୍ୟଟନ ସୁବିଧା ବିକଶିତ କରାଯାଇପାରିବ । ସେ ଲୋୟର ସୁକତେଲକୁ BOITA ଯୋଜନା ଅଧୀନରେ ଏକ ଫ୍ଲାଗ୍ସିପ୍ ପ୍ରକଳ୍ପ ଭାବେ ନେବା ସହ ଜଳସମ୍ପଦ ଓ ପର୍ଯ୍ୟଟନ ବିଭାଗର ସମନ୍ୱୟରେ ଏହାର ବିକାଶ କରିବାକୁ ଅନୁରୋଧ କରିଛନ୍ତି । ହୀରାକୁଦ ଜଳଭଣ୍ଡାର ଅଞ୍ଚଳରେ ଚାଲିଥିବା ସମନ୍ୱିତ ପର୍ଯ୍ୟଟନ ବିକାଶ ମଡେଲ୍କୁ ମଧ୍ୟ ଲୋୟର ସୁକତେଲରେ ଅନୁକରଣ କରାଯାଇପାରିବ ବୋଲି ସେ ଉଲ୍ଲେଖ କରିଛନ୍ତି । ଇକୋ-ଟୁରିଜମ୍ ପାଇଁ ₹୨୦୦ କୋଟି ଦାବି, ଏହା ପୂର୍ବରୁ ୨୫ ଅଗଷ୍ଟ ୨୦୨୬ରେ ମଧ୍ୟ ବିଧାୟକ କଳିକେଶ ନାରାୟଣ ସିଂହଦେଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଲୋୟର ସୁକତେଲର ସମଗ୍ର ଇକୋ-ଟୁରିଜମ୍ ବିକାଶ ପାଇଁ ₹୨୦୦ କୋଟି ମଞ୍ଜୁରି ଦାବି କରିଥିଲେ । ପ୍ରସ୍ତାବିତ ବିକାଶ କାର୍ଯ୍ୟ ମଧ୍ୟରେ ରହିଛି—
- ଇକୋ-ଟୁରିଜମ୍ ପାର୍କ ଓ ଲ୍ୟାଣ୍ଡସ୍କେପିଂ
- ପର୍ଯ୍ୟଟକଙ୍କ ପାଇଁ ଇରିଗେସନ୍ ଆଇବି/ପନ୍ଥ ନିବାସ
- ବନଦୁର୍ଗା ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟୀକରଣ
- ଶିବ ମନ୍ଦିରର ବିକାଶ ଓ ପର୍ଯ୍ୟଟକ ସୁବିଧା ବୃଦ୍ଧି
- ପ୍ରକଳ୍ପ ଗେଟ୍ ଓ କନଫରେନ୍ସ ହଲ୍ ନିର୍ମାଣ
- ଉପଯୁକ୍ତ ସ୍ଥାନରେ ବାଥିଂ ଷ୍ଟେପ୍/ଘାଟ ନିର୍ମା
- ସୁରକ୍ଷିତ ପାୱାର ବୋଟିଂ ଓ ଜଳଭିତ୍ତିକ ମନୋରଞ୍ଜନ
- ବ୍ୟାପକ ବୃକ୍ଷରୋପଣ ଓ ଲ୍ୟାଣ୍ଡସ୍କେପିଂ
- ଆପ୍ରୋଚ୍ ରୋଡ୍, ପାର୍କିଂ, ଶୌଚାଳୟ ଓ ପାନୀୟଜଳ ସୁବିଧା
- ଭ୍ୟୁ-ପଏଣ୍ଟ, ୱାକିଂ ପାଥ୍ ଓ ପ୍ରକୃତିଭିତ୍ତିକ ମନୋରଞ୍ଜନ ସୁବିଧା
- ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷା ଓ ଆବଶ୍ୟକ ଭିତ୍ତିଭୂମି
- ସ୍ଥାନୀୟ ଯୁବକ ଓ ବ୍ୟବସାୟୀଙ୍କୁ ମିଳିବ ରୋଜଗାର
ଲୋୟର ସୁକତେଲର ଇକୋ-ଟୁରିଜମ୍ ବିକାଶ ଦ୍ୱାରା ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ଓ ଜୀବିକାର ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କଳିକେଶ କହିଛନ୍ତି । ପର୍ଯ୍ୟଟନ, ହସ୍ପିଟାଲିଟି, ବୋଟିଂ, ହସ୍ତଶିଳ୍ପ, ଖାଦ୍ୟସେବା ଓ ଅନ୍ୟାନ୍ୟ ସହଯୋଗୀ କ୍ଷେତ୍ରରେ ସ୍ଥାନୀୟ ଯୁବକ, କାରିଗର, ସ୍ୱୟଂସହାୟକ ଗୋଷ୍ଠୀ ଓ ଛୋଟ ବ୍ୟବସାୟୀମାନେ ଲାଭବାନ ହୋଇପାରିବେ । ତିନିଟି ମୁଖ୍ୟ ଦାବି
୯ ସେପ୍ଟେମ୍ବରର ଚିଠିରେ ବିଧାୟକ ତୁରନ୍ତ ଜଳସମ୍ପଦ ଓ ପର୍ଯ୍ୟଟନ ବିଭାଗ ସହ ଜିଲ୍ଲା ପ୍ରଶାସନର ମିଳିତ ସାଇଟ୍ ଇନ୍ସପେକ୍ସନ୍, ଲୋୟର ସୁକତେଲ ଓ ଏହାର ଆଖପାଖ ଅଞ୍ଚଳ ପାଇଁ ଏକ ସମ୍ପୂର୍ଣ୍ଣ ପର୍ଯ୍ୟଟନ ବିକାଶ ଯୋଜନା ପ୍ରସ୍ତୁତି ଏବଂ BOITAଅଧୀନରେ ଏହାକୁ ଫ୍ଲାଗ୍ସିପ୍ ପ୍ରକଳ୍ପ ଭାବେ ଗ୍ରହଣ କରିବାକୁ ଦାବି କରିଛନ୍ତି । ଲୋୟର ସୁକତେଲକୁ ବିକଶିତ କରାଗଲେ ଏହା ପଶ୍ଚିମ ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରରେ ଏକ ନୂଆ ପରିଚୟ ସୃଷ୍ଟି କରିବା ସହ ହରିଶଙ୍କର ଓ ରାଣୀପୁର-ଝରିଆଲ ଭଳି ପର୍ଯ୍ୟଟନସ୍ଥଳୀକୁ ନେଇ ଏକ ବ୍ୟାପକ ପର୍ଯ୍ୟଟନ ସର୍କିଟ୍ ଗଠନରେ ସହାୟକ ହେବ ବୋଲି ଆଶା ପ୍ରକାଶ କରାଯାଇଛି ।