
କୁଡ଼ାଲୋଇ (ଏ) ଉତ୍ତର କୋଇଲା ଖଣି ଜମି ଅଧିଗ୍ରହଣ ପ୍ରକ୍ରିୟା : ଗ୍ରାମସଭା ନୋଟିସକୁ ନେଇ ଦ୍ୱନ୍ଦ୍ବ, ସ୍ଥଗିତ ରଖିବାକୁ ଦାବି
ରାଉରକେଲା, (ସସ୍ମିତା ପ୍ରଧାନ) : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ତହସିଲ ଅନ୍ତର୍ଗତ ବଞ୍ଜାରୀ ଓ କୁଡ଼ାଲୋଇ ମୌଜାରେ କୁଡ଼ାଲୋଇ (ଏ) ଉତ୍ତର କୋଇଲା ଖଣି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରଶାସନିକ ଚିଠି ଏବଂ ଗ୍ରାମପଞ୍ଚାୟତ ଦ୍ୱାରା ଜାରି ନୋଟିସ ମଧ୍ୟରେ ଥିବା ତାଳମେଳ ନ ରହୁଥିବାକୁ ନେଇ କ୍ଷତିଗ୍ରସ୍ତ ଜମି ମାଲିକ ଓ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି । ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଙ୍କ ପତ୍ର ସଂଖ୍ୟା ୨୦୫/୨୦୨୬ ଏବଂ ଲଖନପୁର ବିଡ଼ିଓଙ୍କ ପତ୍ର ସଂଖ୍ୟା ୨୪୧୨/୨୦୨୬ ଅନୁଯାୟୀ, ଆର୍ଏଫ୍ସିଟିଏଲ୍ଏଆର୍ଆର୍ ଆକ୍ଟ ୨୦୧୩ର ଧାରା ୧୧(୨) ଅନୁସାରେ ଆସନ୍ତା ୨୦ ଅଗଷ୍ଟ ୨୦୨୬ ସୁଦ୍ଧା ଗ୍ରାମସଭା ଡାକିବାକୁ ନିର୍ଦ୍ଦେଶ ଥିଲା । କିନ୍ତୁ କୁଡ଼ାଲୋଇ ଗ୍ରାମ ପଞ୍ଚାୟତ ନୋଟିସ ନମ୍ବର ୩୮/୨୦୨୬ ଓ ବଞ୍ଜାରୀ ଗ୍ରାମପଞ୍ଚାୟତ ର ନୋଟିସ ନମ୍ବର ୮୧/୨୦୨୬ ଅନୁସାରେ ଅଗଷ୍ଟ ୧୮ ତାରିଖରେ ହେବାକୁ ଥିବା ବୈଠକ ନୋଟିସରେ ଗ୍ରାମସଭା ଶବ୍ଦର ସ୍ପଷ୍ଟ ଉଲ୍ଲେଖ ନାହିଁ । ଦୀର୍ଘ ୧୭ ଦିନ ପରେ ବୈଠକ ରଖାଯିବା ସହ ପୂର୍ବରୁ ଆବଶ୍ୟକୀୟ ଲୋକ ସଚେତନତା କରାନଯିବା ଆଇନଗତ ନିୟମାବଳୀର ଉଲ୍ଲଂଘନ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ବର୍ଷା ଦିନ ଥିବାରୁ ଚାଷୀ, ଭାଗଚାଷୀ ଓ କୃଷି ଶ୍ରମିକମାନେ ବିଲରେ ତଳି ରୋପଣ ଓ ସୁଆଡ଼ି କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ବୈଠକ କଲେ ଅଧିକାଂଶ ଚାଷୀ ଯୋଗ ଦେଇପାରିବେ ନାହିଁ, ଯାହା ସେମାନଙ୍କ ଗଣତାନ୍ତ୍ରିକ ଆପତ୍ତି ଜଣାଇବାର ଅଧିକାରକୁ କ୍ଷୁଣ୍ଣ କରିବ । ଏ ଦୁଇ ଗ୍ରାମପଞ୍ଚାୟତବାସୀ ଆସନ୍ତା ଅଗଷ୍ଟ ୧୮ ତାରିଖର ନୋଟିସକୁ ତୁରନ୍ତ ବାତିଲ କରାଯାଉ । ଚାଷ କାର୍ଯ୍ୟ ସମ୍ପୂର୍ଣ୍ଣ ସରିବା ପର୍ଯ୍ୟନ୍ତ ଧାରା ୧୧(୧) ଅଧୀନରେ ହେବାକୁ ଥିବା ସମସ୍ତ ଗ୍ରାମସଭା ଓ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ସ୍ଥଗିତ ରଖାଯାଉ । ଭବିଷ୍ୟତରେ ପ୍ରଭାବିତ ପଡ଼ା କିମ୍ବା ୱାର୍ଡ ସ୍ତରରେ ଯଥେଷ୍ଟ ପ୍ରଚାର ପ୍ରସାର ସହ ନୂତନ ଗ୍ରାମସଭା କରିବା ଦାବି କରିଛନ୍ତି । ଏହି ସମସ୍ୟା ନେଇ ଆସନ୍ତା ସପ୍ତାହରେ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଲଖନପୁର ବିଡ଼ିଓ ଓ ଜନପ୍ରତିନିଧିଙ୍କୁ ଦାବୀପତ୍ର ପ୍ରଦାନ କରାଯିବ ବୋଲି କୁଡ଼ାଲୋଇ ଏବଂ ବଞ୍ଜାରୀ ଗ୍ରାମପଞ୍ଚାୟତର ଜନସାଧାରଣ ପ୍ରସ୍ତୁତି ଚଳାଇଛନ୍ତି । ଏ ସମ୍ପର୍କରେ ଲଖନପୁର ବିଡ଼ିଓ ବିନୟ କୁମାର ପଟେଲଙ୍କ ପ୍ରତିକ୍ରିୟା ପାଇଁ ଯୋଗାଯୋଗ କରାଯାଇଥିଲେ ବି ସେ ଫୋନ୍ ଗ୍ରହଣ କରିନଥିଲେ ।