ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋମାରେ, ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବିରେ ଅନିର୍ଦ୍ଧିଷ୍ଟ ଆମରଣ ଅନଶନ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଅଞ୍ଚଳର ମୁଖ୍ୟ ଚିକିତ୍ସାଳୟ କୁହାଯାଉଥିବା ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କିଛି ଡାକ୍ତରଙ୍କୁ ନେଇ ରୋଗୀସେବା ଚାଲୁଥିବା ବେଳେ ଏଠାରେ ତୁରନ୍ତ ଆବଶ୍ୟକ ସଂଖ୍ୟକ ବିଶେଷଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବା ଦାବିରେ ବିଭିନ୍ନ ସଂଗଠନର ମୁଖ୍ୟଙ୍କ ଦ୍ୱାରା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନରେ ଧାରଣାରେ ବସିଛନ୍ତି ଖପ୍ରାଖୋଲ ଅଞ୍ଚଳର ଜନସାଧାରଣ ଏବଂ ଧଣ୍ଡାମୁଣ୍ଡା ଯୁବଶକ୍ତି କମିଟି । ତେବେ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ ପ୍ରଶାସନ ସହ ଅନଶନକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ସମସ୍ୟାର ସମାଧାନ ହୋଇପାରିନାହିଁ । ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ନହେବା ଯାଏଁ ଅନଶନରୁ ଓହରିବୁ ନାହିଁ ବୋଲି ଅନଶନକାରୀମାନେ ପ୍ରଶାସନକୁ ରୋକ୍‌ଠୋକ ଭାବେ ଶୁଣାଇ ଦେଇଛନ୍ତି । ଖପ୍ରାଖୋଲ ଅଞ୍ଚଳର ପ୍ରମୁଖ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ଜଣାଶୁଣା ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଖପ୍ରାଖୋଲ ବ୍ଲକର ୨୧ରୁ ଅଧିକ ପଞ୍ଚାୟତବାସୀଙ୍କ ସମେତ ତୁରକେଲା ବ୍ଲକ, ବେଲପଡା ବ୍ଲକର ନିର୍ଦ୍ଧିଷ୍ଟ କେତେକ ଅଞ୍ଚଳ ଓ ପଞ୍ଚାୟତବାସୀ ନିର୍ଭର କରନ୍ତି । ଦୈନିକ ଏହି ଡାକ୍ତରଖାନାକୁ ୨ଶହରୁ ଅଧିକ ରୋଗୀ ଆସୁଥିବା ବେଳେ ବିଶେଷଜ୍ଞ ଡାକ୍ତର ଅଭାବ ଯୋଗୁଁ ନାନା ସମସ୍ୟା ସୃଷ୍ଟି ହେଉଛି । ଏଠାରେ ମେଡିସିନ, ସର୍ଜରୀ, ଗାଇନିକ୍‍ ଓ ପେଡିଆଟ୍ରିକ୍‍ ବିଶେଷଜ୍ଞ ଡାକ୍ତର ପଦବୀ ଖାଲି ରହିଥିବା ବେଳେ ଏଠାକୁ ଜଣେ ଭେଷଜ ବିଶେଷଜ୍ଞଙ୍କ ବଦଳି ହୋଇଛି କିନ୍ତୁ ସେ ନିଜ ପ୍ରାଇଭେଟ କ୍ଲିନିକ ଚଲେଇବାରେ ବ୍ୟସ୍ତ ଥିବାବେଳେ ତାଙ୍କୁ ଡେପୁଟେସନରେ ଅନ୍ୟତ୍ର ପଠେଇଦେଇଥିବା ଜଣାପଡିଛି । କିଛି ଦିନ ତଳେ ଖପ୍ରାଖୋଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରୂପାନ୍ତରୀକରଣକୁ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ସଚିବ ଭିଡ଼ିଓ ମାଧ୍ୟମରେ ଉଦ୍‌ଘାଟନ କରିଥିବା ବେଳେ ଏଠାରେ ବିଶେଷଜ୍ଞ ଡାକ୍ତର ଅଭାବକୁ ନେଇ ଜନସାଧାରରେ ଆଲୋଚନା ହେଉଛି । ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଯୋଗୁଁ ଡାକ୍ତରଖାନାରେ ରୋଗୀ ସେବା ବ୍ୟାହତ ହେବାକୁ ନେଇ ପ୍ରବଳ ଜନ ଅସନ୍ତୋଷ ପ୍ରକାଶ ପାଇଛି । ଅନେକ ସମୟରେ ଓପିଡି ଓ ଜରୁରୀକାଳୀନ ଚିକିତ୍ସା ପାଇଁ ଏଠାକୁ ଦୂରଦୂରାନ୍ତରୁ ଆସୁଥିବା ରୋଗୀଙ୍କୁ ନିକଟବର୍ତ୍ତି ପାଟଣାଗଡ଼ ଉପଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ପରାମର୍ଶ ଦିଆଯାଉଛି । ଗାଇନିକ୍‍ ବିଶେଷଜ୍ଞ ଡାକ୍ତର ଅଭାବ ଯୋଗୁଁ ଗର୍ଭବତୀ ମହିଳାମାନେ ଏଠାରେ ଜରୁରୀ ଚିକିତ୍ସା ପାଇବାରୁ ବଞ୍ଚିତ ହେଉଥିବା ବେଳେ ବାଧ୍ୟ ହୋଇ ସେମାନେ ପ୍ରାଇଭେଟ୍‍ କ୍ଲିନିକ କିମ୍ବା ଅନ୍ୟ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ଏଥିଯୋଗୁଁ ଗରିବ ଲୋକେ ଅଯଥା ଖର୍ଚ୍ଚାନ୍ତର ଶିକାର ହେଉଥିବ ଅଭିଯୋଗ ହୋଇଛି । ଜିଲ୍ଲା ପ୍ରଶାସନ କେବେ ଖପ୍ରାଖୋଲ ଅଞ୍ଚଳବାସୀଙ୍କ ପାଇଁ ବିଶେଷଜ୍ଞ ଡାକ୍ତର ନିଯୁକ୍ତି କରିବ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.

eighteen − eighteen =

error: Content is protected !!