ସାମ୍ବାଦିକମାନଙ୍କୁ ଆର୍ଥିକ ସହାୟତା ଦାବୀ କଲା ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସରକାର କରୋନା ବିପତ୍ତି ସମୟରେ ବିଭିନ୍ନ ବର୍ଗର ଲୋକଙ୍କୁ ଆର୍ଥିକ ସହାୟତା ସହିତ ବିଭିନ୍ନ ସରକାରୀ ପ୍ରୋତ୍ସାହନ ପ୍ରଦାନ କରିଥିବା ବେଳେ ଚତୁର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ପ୍ରତି ଏ ଦିଗରେ ଦୃଷ୍ଟି ଦିଆଯାଇ ନଥିବାରୁ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ବୈଠକରେ ଉଦବେଗ ପ୍ରକାଶ କରାଯିବା ସହ ଦୁର୍ଦ୍ଦିନ ମହାମାରୀ ସମୟରେ ନିଜ ଜୀବନକୁ ବିପନ୍ନ କରି କାର୍ଯ୍ୟ କରୁଥିବା ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି ।

ସ୍ଥାନୀୟ ଫରେଷ୍ଟ ପାର୍କ ଛକ ନିକଟସ୍ଥ ଭାରତୀ ଟାୱାର ଠାରେ ସଂଗଠନର ଏକ ଜରୁରୀ ବୈଠକ ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଉପରୋକ୍ତ ବିଷୟ ଉପରେ ବ୍ୟାପକ ବିଚାର ବିମର୍ଷ କରାଯାଇଥିଲା । ଏହି ବୈଠକରେ ଗଣମାଧ୍ୟମ ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଓ ପବିତ୍ର ବୃତ୍ତି କ୍ଷେତ୍ରରେ ଅଣ ସାମ୍ବାଦିକମାନଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଥିବାରୁ ଉଦବେଗ ପ୍ରକାଶ କରାଯାଇଥିଲା । ସଂଗଠନର ୯ମ ରାଜ୍ୟ ଅଧିବେଶନ କୋରାପୁଟର ଜୟପୁର କିମ୍ବା ଭୁବନେଶ୍ୱର ଠାରେ କରାଯିବା ପାଇଁ ଆଲୋଚନା କରାଯାଇ ରାଜ୍ୟର ବିଭିନ୍ନ ଅଂଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡ଼ିକର ସମ୍ପାଦକ ଓ ପ୍ରକାଶକଙ୍କ ଏକ ପରିଚିତି ପୁସ୍ତିକା ପ୍ରକାଶନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ବୈଠକରେ ଜାତୀୟ ପରିଷଦ ସଦସ୍ୟ କେବିକେ ସମାଚାରର ସମ୍ପାଦକ ବିନୋଦ ମହାପାତ୍ର, ଅତଏବର ସମ୍ପାଦକ ରଜନୀକାନ୍ତ ସାମନ୍ତରାୟ, ଆଗାମୀ କାଲିର ସମ୍ପାଦକ ସଞ୍ଜୟ ଦାଶ, ଆଗାମୀ ଦୁନିଆର ସମ୍ପାଦକ ପ୍ରାର୍ଥ ସାରଥୀ ଜେନା, ନିର୍ଭୟ ଓଡ଼ିଶାର ସମ୍ପାଦକ ସନାତନ ଦଳ ବେହେରା, ବୀର କଳିଙ୍ଗର ସମ୍ପାଦକ ସରୋଜ ପଟ୍ଟନାୟକ, ସଂଗଠନର ସାଧାରଣ ସମ୍ପାଦକ ତଥା ଅଭିନନ୍ଦନର ସମ୍ପାଦକ ଜଗଦୀଶ ମିଶ୍ର, ପରିବର୍ତ୍ତନର ସମ୍ପାଦକ ରମାକାନ୍ତ ପରିଜା, ଅନେକ ସୂଚନାର ସମ୍ପାଦକ ନିତ୍ୟ ନିରଞ୍ଜନ ପଣ୍ଡା ପ୍ରମୁଖ ସମ୍ପାଦକମାନେ ଏହି ବୈଠକରେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.