ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଜ୍ଞା ପୁରୁଷ ଡ. ନୀଳାଚଳ ମିଶ୍ର ଆଉ ନାହାନ୍ତି

ପାଟଣାଗଡ଼, (କେପିଏନ୍‌ଏସ୍‌) : ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଜ୍ଞା ପୁରୁଷ ଡ. ନୀଳାଚଳ ମିଶ୍ର(୯୦) ଆଉ ନାହାନ୍ତି । ଆଜି ସକାଳୁ ପାଟଣାଗଡ଼ର ବିଶିଷ୍ଟ ସାମ୍ବାଦିକ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ପିତା ଡ. ମିଶ୍ରଙ୍କ ଦେହାନ୍ତ ହୋଇଥିବା ବେଳେ ସାରା ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସେ ୧୯୬୧ ଜୁଲାଇରୁ ୧୯୬୯ ଅଗଷ୍ଟ ପର୍ୟ୍ୟନ୍ତ ବିଭିନ୍ନ ହାଇସ୍କୁଲ ଓ ଏମ୍‌ଇ ସ୍କୁଳରେ ଯଥାକ୍ରମେ ସହକାରୀ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ରୂପେ କାର୍ୟ୍ୟ କରିବା ପରେ ୧୯୬୮ ଅଗଷ୍ଟରୁ ପାଟଣାଗଡ଼ ଜବାହରଲାଲ କଲେଜରେ ଓଡ଼ିଆ ବିଭାଗର ଅଧ୍ୟାପକ ଓ ପ୍ରାଧ୍ୟାପକ ରୂପେ ୧୯୯୬ ଫେବୃଆରୀ ପର୍ୟ୍ୟନ୍ତ ଦକ୍ଷତାର ସହିତ ଅଧ୍ୟାପନା କରିଥିଲେ । ଡ. ମିଶ୍ର ବିଭିନ୍ନ ସମୟରେ ନାଟ୍ୟ ସଂସଦର ଉପସଭାପତି, ଛାତ୍ର ସଂସଦର ଉପଦେଷ୍ଟା ଓ ପରୀକ୍ଷା ପରିଚାଳନା ଭଳି ଗୁରୁଦାୟିତ୍ୱ ସୁଚାରୁ ରୂପେ ସେ ତୁଳାଇ ଆସିଥିଲେ । ୧୯୯୬ ଫେବୃଆରରୁ ସେପ୍ଟେମ୍ବର ପର୍ୟ୍ୟନ୍ତ ଟିଟିଲାଗଡ଼ ଡିଏଭି କଲେଜରେ ଓ ସେପ୍ଟେମ୍ବର ୧୯୯୬ରୁ ବେଲପଡ଼ା କଲେଜର ପ୍ରାଧ୍ୟାପକ ଥିଲେ । ୧୯୯୭ ଅଗଷ୍ଟ ୩ ତାରିଖରୁ ୧୯୯୯ ଏପ୍ରିଲ ୩୦ ତାରିଖ ପର୍ୟ୍ୟନ୍ତ ବେଲପଡ଼ା କଳେଜର ଅଧ୍ୟକ୍ଷ କାର୍ୟ୍ୟ ସୁ ସଂପାଦନା କରି ସେଠାରୁ ଅବସର ଗ୍ରହଣ କରିଥିଲେ ।

ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସିନେଟ୍‌, କଳା ଓ ଶିକ୍ଷା ବିଭାଗ ଏବଂ କଲେଜ ଉନ୍ନୟନ ପରିଷଦର ସଦସ୍ୟ ରହିଥିଲେ । ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ବୋର୍ଡ ଅଫ୍‌ ଷ୍ଟଡ଼ିଜ୍‌ ଏବଂ କନ୍‌ଡକ୍‌ଟିଂ ବୋର୍ଡ ଅଫ୍‌ ଏକ୍‌ଜାମିନର୍‌ସ୍‌ର ସଦସ୍ୟ ଭାବରେ ମଧ୍ୟ ସେ କାର୍ୟ୍ୟ କରି ଆସିଥିଲେ । ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସହିତ ଡ. ମିଶ୍ର ସଂଶ୍ଲିଷ୍ଟ ଥିଲେ । ପାଟଣାଗଡ଼ ପୂର୍ବତନ ସାହିତ୍ୟ ଅନୁଷ୍ଠାନ ‘ରବିବାସରୀୟ ସାହିତ୍ୟ ଚକ୍ର’ର ସେ ସଭାପତି ଥିଲେ । ୩୦ ବର୍ଷରୁ ଅଧିକ କାଳ ଧରି ପାଟଣାଗଡ଼ ସାଂସ୍କୃତିକ ପରିଷଦର ସଭାପତି ମଧ୍ୟ ରହିଥିଲେ । ଏହା ବ୍ୟତୀତ ‘ଅଶୋକ ଚନ୍ଦ୍ରନ ସ୍ମୃତି ସମିତି’ର ଉପ ସଭାପତି ଓ ‘ପାଟଣେଶ୍ୱରୀ ସାହିତ୍ୟ ସଂସଦ’ର ସଭାପତି ମଧ୍ୟ ରହିଥିଲେ । ସ୍ୱର୍ଗତ୍‌ ଡ. ମିଶ୍ରଙ୍କ ଶତାଧିକ ପ୍ରବନ୍ଧ, ଆଲୋଚନା, ସମାଲୋଚନା, ସାକ୍ଷାତକାର ତଥା ଗୁଡ଼ାଏ କବିତା ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଥିବା ସହ ପ୍ରଶଂସିତ ମଧ୍ୟ ହୋଇଛି । ତାଙ୍କର ଏକ କବିତା ସଂକଳନ ‘ହେ ସାରଥୀ ଲେଉଟାଅ ରଥ’ ପ୍ରକାଶିତ । କେତେକ ସାହିତ୍ୟ ପତ୍ରିକାର ସଂପାଦନା ଦାୟିତ୍ୱ ମଧ୍ୟ ତୁଳାଉଥିଲେ । ଓଡ଼ି।।ରେ ମିନି ସାହିତ୍ୟ ଆନ୍ଦୋଳନର ସେ ଜଣେ ପ୍ରମୁଖ ସଦସ୍ୟ ଥିଲେ । ତାଙ୍କରି ସଂପାଦନାରେ ପାଟଣାଗଡ଼ରୁ ମିନି ସାହିତ୍ୟ ପତ୍ରିକା ‘କୋଶଳିକା’ ପ୍ରକାଶ ପାଉଥିଲା । ପାଟଣାଗଡ଼ରୁ ପ୍ରକାଶିତ ହେଉଥିବା ‘ହରିଶଙ୍କର’ ପତ୍ରିକାର ସେ ଉପଦେଷ୍ଟା ଥିଲେ । ସମ୍ବଲପୁର ଆକାଶବାଣୀ କେନ୍ଦ୍ରରୁ ତାଙ୍କର କେତେଗୁଡ଼ିଏ ଆଲୋଚନା, ସାକ୍ଷାତକାର ଏବଂ ବଲାଙ୍ଗିର କେନ୍ଦ୍ରରୁ ଅନେକ ଗୁଡ଼ିଏ ଲେଖା ‘ଶୁଣିମା ହେଉ’ କାର୍ୟ୍ୟକ୍ରମରେ ପ୍ରସାରିତ ହୋଇଛି । ଏହା ବ୍ୟତୀତ ପାଟଣାଗଡ଼ରୁ ପ୍ରକାଶିତ ହେଉଥିବା ସାରସ୍ୱତ ସାହିତ୍ର ସଂକଳନ ‘ପାଟଣା ସୌରଭ’ର ସେ ମୁଖ୍ୟ ସଂପାଦକ ଥିଲେ ।

ସେ ଜଣେ ସୁବକ୍ତା, ସାଂସ୍କୃତିକ ସଂଗଠକ ତଥା ଶିକ୍ଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ପାଇଁ ଅନବରତ ଚେଷ୍ଟିତ ଜଣେ ନିଆରା ପ୍ରଜ୍ଞା ପୁରୁଷ । ପଶ୍ଚିମ ଓଡ଼ିଶାର ବହୁ ସାହିତ୍ୟିକ, କଳାକାର ଆଦିଙ୍କୁ ଲୋକଲୋଚନକୁ ଆଣିବାରେ ଯଥାସାଧ୍ୟ ଚେଷ୍ଟା କରିଛନ୍ତି । ତାଙ୍କର ଗବେଷଣାତ୍ମକ ସନ୍ଦର୍ଭ ହେଉଛି ‘କାହ୍ନୁଚରଣଙ୍କ ଉପନ୍ୟାସର ଚରିତ୍ରାନୁଶୀଳନ’, ଯାହା ଅପ୍ରକାଶିତ ଭାବେ ରହିଛି ବୋଲି ସୂଚନା ମିଳିଛି । ତେବେ ତାଙ୍କ ଭଳି ଜଣେ ସାରସ୍ୱତ ସାଧକ, ପ୍ରଜ୍ଞା ପୁରୁଷଙ୍କୁ ଏ ମାଟି ହରାଇଲା ବୋଲି ବଲାଙ୍ଗିର ଜିଲ୍ଲାର ସାହିତ୍ୟ ଜଗତରେ ମତପ୍ରକାଶ ପାଇଛି ।

Leave A Reply

Your email address will not be published.