jsm

ସରକାରୀ ମେଡ଼ିକାଲ୍‌ କଲେଜ୍‌ରେ ଆଡ଼୍‌ମିସନ୍‌ କରାଇଦେବା ନାଁରେ ଠକିଥିଲେ ୧୬ ଲକ୍ଷ ଟଙ୍କା, ୩ ଜଣଙ୍କୁ ବାନ୍ଧିଲା ବଲାଙ୍ଗିର ସାଇବର୍‌ ପୋଲିସ୍‌

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ମେଡ଼ିକାଲ୍‌ କଲେଜ୍‌ରେ ଆଡ଼୍‌ମିସନ୍‌ କରାଇଦେବା ନାଁରେ ୧୬ ଲକ୍ଷ ଟଙ୍କା ଠକି ନେଇଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ସାଇବର୍‌ ପୋଲିସ୍‌ । ଏ ସଂପର୍କରେ ବଲାଙ୍ଗିର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ବରଗଡ଼ ଜିଲ୍ଲା ପଦ୍ମପୁରର ସୂର୍ଯ୍ୟନଗର ନିବାସୀ ବୁଦ୍ଧଦେବ ମେହେର ନାମକ ଜଣେ ବ୍ୟକ୍ତି ଗତ ୪ ତାରିଖ ଦିନ ବଲାଙ୍ଗିର ସାଇବର୍‌ ପୋଲିସ ପାଖରେ ଏଭଳି ଅଭିଯୋଗ କରିବା ପରେ ବଲାଙ୍ଗିର ପୋଲିସ ଆରମ୍ଭ କରିଥିଲା ତନାଘନା ତଦନ୍ତ । ତଦନ୍ତରୁ ଜଣାପଡ଼ିଛି ଯେ, ଏକ ଆଠ ଜଣିଆ ଠକ ଟିମ୍‌ ନିଟ୍‌ ଏନ୍‌ଟ୍ରାନ୍ସ୍‌ରେ ଭଲ ରେଙ୍କ ରଖି ନଥିବା ଛାତ୍ରଛାତ୍ରୀଙ୍କୁ ସରକାରୀ ମେଡ଼ିକାଲ କଲେଜ୍‌ରେ ଆଡ଼ମିସନ୍‌ କରାଇଦେବା ନାଁରେ ଛାତ୍ରଛାତ୍ରୀଙ୍କଠାରୁ ଟଙ୍କା ଆଦାୟ କରୁଥିଲେ । ଏପରିକି ସେମାନେ ଭୁବନେଶ୍ୱର ବରମୁଣ୍ଡା ରୁଚିକା ମାର୍କେଟ ପାଖରେ କଳିଙ୍ଗ ଏକାଡେମୀ ନାମରେ ଏକ ଫେକ୍‌ ଅଫିସ୍‌ ମଧ୍ୟ ଖୋଲିଥିବା କୁହାଯାଇଛି । ତେବେ ସେ ମେଡ଼ିକାଲ୍‌ କଲେଜ ଆଡ଼୍‌ମିସନ୍‌ର କାଉନ୍‌ସିଲିଂ ଆରମ୍ଭ ହେବାର ସୁଯୋଗ ନେଇ ଗତ ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ସେପ୍ଟେମ୍ବର ୨୭ ତାରିଖ ମଧ୍ୟରେ ବିଭିନ୍ନ ସରକାରୀ ମେଡ଼ିକାଲ୍‌ କଲେଜ୍‌ରେ ଆଡ଼ମିସନ୍‌ କରାଇଦେବା ପାଇଁ ଅବିଭାବକମାନଙ୍କୁ କଲ୍‌ କରିଥିଲେ । ଏପରିକି ଅବିଭାବକମାନଙ୍କୁ ସେମାନେ ବରମୁଣ୍ଡା ରୁଚିକା ମାର୍କେଟ୍‌ରେ ଥିବା ତାଙ୍କ ଅଫିସ୍‌କୁ ମଧ୍ୟ ଡକାଇଥିଲେ । ସେମାନେ ବାରିପଦା, ବଲାଙ୍ଗିର ଓ କୋରାପୁଟ ସରକାରୀ ମେଡ଼ିକାଲ୍‌ କଲେଜରେ ଆଡ଼ମିସନ୍‌ ପାଇଁ ଯଥାକ୍ରମେ ୨୭ ଲକ୍ଷ, ୩୦ ଲକ୍ଷ ଓ ୨୭ ଲକ୍ଷ ବୋଲି ଅବିଭାବକମାନଙ୍କୁ କହିଥିବା ସୂଚନାରେ କୁହାଯାଇଛି । ୮ ଜଣିଆ ଠକ ଟିମ୍‌ର ଜଣେ ସଦସ୍ୟ ଓଜେଇଇର ଅଫିସିଆଲ୍‌ କହି ଛାତ୍ରଛାତ୍ରୀଙ୍କୁ କଲ୍‌ କରିବା ସହ ସେମାନଙ୍କୁ ଆଡ଼୍‌ମିସନ୍‌ କନ୍‌ଫାର୍‌ମେସନ୍‌ ଲେଟର୍‌ ମଧ୍ୟ ମେଲ୍‌ ଜରିଆରେ ଦିଆଯିବ ବୋଲି କହୁଥିଲେ । ଏପରିକି ସେମାନେ ମେଲ୍‌ ଜରିଆରେ ଫେକ୍‌ ଆଡ୍‌ମିସନ୍‌ କନ୍‌ଫାର୍‌ମେସନ୍‌ ଲେଟର୍‌ ମଧ୍ୟ ପଠାଇବା ସହ ଅବିଭାବକମାନଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରି ସେମାନଙ୍କଠାରୁ ମୋଟା ରକମର ଟଙ୍କା ଠକୁଥିଲେ । ତେବେ ବଲାଙ୍ଗିର ପୋଲିସ ପାଖରେ ଏହି ଘଟଣାକୁ ନେଇ ଅଭିଯୋଗ ପହଂଚିବା ପରେ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ସାଇବର୍‌ ପୋଲିସ ପକ୍ଷରୁ ଏକ ଟିମ୍‌ ଗଠନ କରାଯାଇଥିଲା । ଏହି ଟିମ୍‌ରେ ଆଇଆଇସି ଭାରତୀ ନାଏକ, ଏସ୍‌ଆଇ ଅବିନାଶ ନାୟକ, ଆକାଶ ସାମଲ, ଟାଉନ୍‌ ଥାନର ଏସ୍‌ଆଇ ଏସ୍‌.ବାରିକ, ସଦର ଥାନାର ଏସ୍‌ଆଇ ଆର୍‌.ବେହେରା ଓ ଅନ୍ୟମାନେ ସାମିଲ୍‌ ରହିଥିବା ବେଳେ ସେମାନେ ଏହି ଠକ ଟିମ୍‌କୁ ଠାବ କରିବା ପାଇଁ ତନାଘନା ତଦନ୍ତ କରିଥିଲେ । ତେବେ ଏହି ଟିମ୍‌ର ଜଣେ ସଦସ୍ୟ ଫ୍ଲାଇଟ୍‌ ଯୋଗେ ବାଙ୍ଗାଲୁରକୁ ଫେରାର୍‌ ମାରିଥିବା ବେଳେ ତାକୁ ପୋଲିସ ଟିମ୍‌ ଗିରଫ୍‌ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ଜଣକୁ ଫୁଲବାଣୀରୁ ଏବଂ ଆଉ ଜଣକୁ ଭୁବନେଶ୍ୱରରୁ ଗିରଫ୍‌ କରାଯାଇଥିବା ସୂଚନାରେ କୁହାଯାଇଛି । ଅଭିଯୁକ୍ତମାନଙ୍କଠାରୁ ନଗଦ ୧ ଲକ୍ଷ ୯୦ ହଜାର ଟଙ୍କା ସହ, ୫ଟି ମୋବାଇଲ୍‌ ଫୋନ୍‌, ୬ଟି ଡେବିଡ଼୍‌ କାର୍ଡ, ୪ଟି ସିମ୍‌ କାର୍ଡ, ଅଫିସ୍‌ କାଗଜପତ୍ର, ଡାଏରୀ ଏବଂ ଆଉ କିଛି ଆପତ୍ତିଜନକ ସାମଗ୍ରୀ ଜବତ୍‌ କରାଯାଇଥିବା ବେଳେ ଏହି ମାମଲାରେ ଆଟେଚ୍‌ ଥିବା ବ୍ୟାଙ୍କ ଆକାଉଣ୍ଟ ସିଜ୍‌ କରାଯାଇଥିବା ବଲାଙ୍ଗିର ଏସ୍‌ପି ଶ୍ରୀ ଖିଲାରୀ ସୂଚନା ଦେଇଛନ୍ତି । ଗିରଫ୍‌ ଅଭିଯୁକ୍ତମାନେ ହେଲେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧୀନସ୍ଥ ମା’ମଙ୍ଗଳାସାହି ବଳରାମ ପ୍ରସାଦର ନିବାସୀ ବ୍ୟାସଦେବ ମହାନ୍ତି(୨୮), କେନ୍ଦୁପଡ଼ା ଫୁଲବାଣୀ ନିବାସୀ ଅବିନାଶ ଓରଫ୍‌ କାହ୍ନା ପୁରୋହିତ(୩୩) ଏବଂ ନୟାଗଡ଼ ଓଡ଼ଗାଁର ମାନସ ପରିଡ଼ା (୩୧) । ତଦନ୍ତ ଆହୁରି ଜାରି ରହିଥିବା ବେଳେ ବାକି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ୍‌ କରାଯିବ ବୋଲି ଏସ୍‌ପି ଶ୍ରୀ ଖିଲାରୀ ସୂଚନା ଦେଇଛନ୍ତି ।

yuvodaya
Leave A Reply

Your email address will not be published.