ରୋଟାରୀ ଇଲାଇଟର କନକ୍ଲେଭ ୨୦୨୨ ଅନୁଷ୍ଠିତ

  • ଛାତ୍ରଛାତ୍ରୀ ବିଶ୍ୱବଜାରର ସ୍ଥିତିକୁ ଆଖି ଆଗରେ ରଖି ପାଠପଢନ୍ତୁ – ଅସୀତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସାମ୍ବାଦିକ ଭବନଠାରେ ବଲାଙ୍ଗିର ରୋଟାରୀ ଇଲାଇଟ ତରଫରୁ କନକ୍ଲେଭ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟପରାମର୍ଶଦାତା ଅସୀତ ତ୍ରିପାଠୀ କହିଛନ୍ତି ଯେ, ଛାତ୍ରଛାତ୍ରୀ ଆଉ ସରକାରୀ ଚାକିରି ପଛରେ ନଗୋଡାଇ ବିଶ୍ୱବଜାର ସ୍ଥିତିକୁ ଆଖି ଆଗରେ ରଖି ପାଠପଢନ୍ତୁ ଓ ପ୍ରସ୍ତୁତ ହୁଅନ୍ତୁ । ବିଶ୍ୱରେ ଭଲ ଚାକିରିର ଅଭାବ ନାହିଁ । ଦୁଇ ଦଶନ୍ଧୀ ତଳେ ଆମ ପାଖରେ ସରକାରୀ ଚାକିରିର ବିକଲ୍ପ ନଥିଲା । କିନ୍ତୁ ଆଜି ସାରା ବିଶ୍ୱର ବଡବଡ କମ୍ପାନୀ ଆସି ଯୁବକ/ଯୁବତୀମାନଙ୍କୁ ଚାକିରି ଦେଉଛନ୍ତି । ଏପରିକି ଶିକ୍ଷିତ ଯୁବକମାନେ କେବଳ ଚାକିରି ପଛରେ ନଗୋଡାଇ କିଭଳି ନିଜେ ଉଦ୍ୟୋଗପତି ହେବେ ସେହି ଚିନ୍ତା କରନ୍ତୁ, ନିଜକୁ ବିଶ୍ୱସ୍ତରୀୟ ବିଚାରଧାରା ସହିତ ସାମିଲ କରିପାରିଲେ ଆମର ଭବଷ୍ୟତ ଉଜ୍ୱଳ ହୋଇପାରିବ ବୋଲି ଶ୍ରୀ ତ୍ରୀପାଠୀ କହିଥିଲେ । ରୋଟାରୀ ଇଲାଇଟର ସଭାପତି ସଂଦୀପ ପାଣିଗ୍ରାହୀଙ୍କ ସଭାପତିତ୍ୱ ଓ ବରିଷ୍ଠ ସଭ୍ୟ ଧର୍ମେନ୍ଦ୍ର ପ୍ରସାଦ ନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବକ୍ତାଭାବରେ ପ୍ରଫେସର ଡ.ଶିବପ୍ରସାଦ ନନ୍ଦ ଯୋଗଦେଇ ଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଆଜିର ଦିନରେ ଚାକିରି କରୁଥିବା ଲୋକଙ୍କ ମଧ୍ୟରୁ ବହୁଲୋକ ନିଜର ଚାକିରିକୁ ନେଇ ଖୁସି ନୁହଁନ୍ତି । ତାହାର ଅନେକ କାରଣ ରହିଛି । ବ୍ୟବସ୍ଥା ସହିତ ଯିଏ ଖାପଖୁଆଇ ପାରିଲା ସେମାନେ ସଫଳ ହେଉଛନ୍ତ ନହେଲେ ଚିନ୍ତା ଓ ଚାପରେ ରହୁଛନ୍ତି ବୋଲି କହିଥିଲେ । ଏହି ଅବସରରେ ତିନିଜଣ ଭିନ୍ନ ମଣିଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ ସାହୁ, କୋସଳି ଗବେଷକ ତଥା ସଂଗ୍ରାହକ ନିମାଈଁଚରଣ ପାଣିଗ୍ରାହୀ ଓ ସିନ୍ଦୁରପୁରର ଇକୋଭିଲେଜର ସଂସ୍ଥାପକ ଶିବାଜୀ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପେସନ ବିଅଣ୍ଡ ପ୍ରଫେସନ ନେଇ କାମ କରୁଥିବା ଏହି ତିନିଜଣ ଅନ୍ୟମାନଙ୍କ ପ୍ରେରଣା ବୋଲି ବକ୍ତାଗଣ କହିଥିଲେ । ପ୍ରାରମ୍ଭରେ ରୋଟାରୀ ଇଲାଇଟର ସଂପାଦିକା ନୂତନ ନାୟକ ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ସଭ୍ୟା ଦିପିକା ପାଣିଗ୍ରାହୀ, ବବିତା ପାଢୀ ଓ ପ୍ରଶାନ୍ତ ବିଶ୍ୱାଳ ମାନପତ୍ର ପଠନ କରିଥିଲେ । ଶେଷରେ ସଂଦୀପ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

two × 2 =