ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଗର୍ଭବତୀ କରି ଫେରାର ଥିବା ଅଭିଯୁକ୍ତ ତେଲେଙ୍ଗାନାରୁ ଗିରଫ : ଖପ୍ରାଖୋଲ ପୋଲିସ କଲା କୋର୍ଟ ଚାଲାଣ

ଖପ୍ରାଖୋଲ, (ଅଶୋକ ବାଗ) : ବିବାହର ପ୍ରତିଶୃତି ଦେଇ ଯୁବତୀଙ୍କୁ ଗର୍ଭବତୀ କରି ଫେରାର ଥିବା ଅଭିଯୁକ୍ତକୁ ତେଲେଙ୍ଗାନାରୁ ଗିରଫ କରି କୋର୍ଟ ଚାଲାଣ କରିଛି ଖପ୍ରାଖୋଲ ପୋଲିସ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ୨୩ ବର୍ଷ ବୟଷ୍କା ଜଣେ ଯୁବତୀ ତାଙ୍କ ପରିବାର ସହିତ ଇଟାଭାଟିରେ କାମ କରିବାକୁ କର୍ଣ୍ଣାଟକ ରାଜ୍ୟ ସ୍ଥିତ ଅତ୍ତୀପୁଲ୍ଲୀକୁ ଯାଇଥିଲେ । ସେହି ଇଟାଭାଟିରେ ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ପାଟିମାଲ ଗ୍ରାମର ନିଳକାନ୍ତ କାଲସାଏଙ୍କ ପୁତ୍ର ସ୍ଵର୍ଣ୍ଣ କାଲସାଏ (୨୭) ଆଗରୁ କାମ କରୁଥିଲେ । କାମ କରିବା ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯୁବକ ତାଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ ବାରମ୍ବାର ଯୌନ ସମ୍ପର୍କ ରଖି ଯୁବତୀଙ୍କୁ ଗର୍ଭବତୀ କରି କୁଆଡେ ଫେରାର ହୋଇଥିବା ବେଳେ ୨୦୨୩ ଜାନୁଆରୀ ୧ ତାରିଖ ଦିନ ଯୁବତୀ ଜଣକ ଗୋଟିଏ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ଜଣାପଡିଛି । ଏନେଇ ଯୁବତୀ ଜଣକ ୨୦/୧୦/୨୦୨୨ରେ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିର୍ତ୍ତିକରି ଖପ୍ରାଖୋଲ ଥାନା କେସ ନଂ ୧୭୦/୨୨ରେ ଏକ ମାମଲା ଋଜୁ ହୋଇଥଲା । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅଭିଯୁକ୍ତକୁ ଧରିବା ପାଇଁ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ଗୋଟିଏ ଟିମ୍‌ ଗଠନ କରି ତେଲେଙ୍ଗାନା ରାଜ୍ୟ ପଇଦାପଲ୍ଲି ନିକଟସ୍ଥ ରାଘାପୁରର ଏକ ଇଟାଭାଟିରୁ ଅଭିଯୁକ୍ତକୁ ଗିରଫ କରି ଖପ୍ରାଖୋଲ ଥାନାକୁ ଅଣାଯାଇଥିଲା । ଏନେଇ ଅଭିଯୁକ୍ତ ସ୍ବର୍ଣ୍ଣ କାଲସାଏଙ୍କୁ ଖପ୍ରାଖୋଲ ଥାନା କେସ ନଂ ୧୭୦/ ୨୨ ଧାରା ୪୯୩/୪୧୭/୫୦୬ ଆଇପିସି ନିୟମ ଅନୁଯାୟୀ ପାଟଣାଗଡ଼ କୋର୍ଟକୁ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଏବଂ କେସ ଇନଚାର୍ଜ ଅଧିକାରୀ ଗୋପୀନାଥ ମହାକୁଡ଼ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.