om academy

ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା ମହଙ୍ଗା ପଡିଲା : ଆନ୍ଦୋଳନକାରୀଙ୍କ ମଧ୍ୟରୁ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

jsm

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା ମହଙ୍ଗା ପଡିଲା । ଆନ୍ଦୋଳନକାରୀଙ୍କ ମଧ୍ୟରୁ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସୂଚନା ଅନୁସାରେ ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ମହରାପଦର ପଂଚାୟତର ସର୍ଗିପାଲି ଗ୍ରାମରେ ମନରେଗା କାର୍ଯ୍ୟରେ ଦୁର୍ନୀତି ଏବଂ ଅନିୟମିତତା ଅଭିଯୋଗ ଆଣି ଶତାଧିକ ବ୍ୟକ୍ତି ଖପ୍ରାଖୋଲ ବ୍ଲକ କାର୍ଯ୍ୟାଳୟରେ ପଶି ଭଙ୍ଗାରୁଜା କରିଥିଲେ । ଏହି ଘଟଣାରେ ଖପ୍ରାଖୋଲ ପୋଲିସ ଆନ୍ଦୋଳନର ନେତୃତ୍ୱ ନେଇଥିବା ୭ଜଣ ବ୍ୟକ୍ତିଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ କର୍ଲାମାଲ ଗ୍ରାମର ଧୃବ ସରାଫଙ୍କ ସହିତ ସର୍ଗିପାଲି ଗ୍ରାମର ଯଦୁମଣି ସରାପ, ଉମାକାନ୍ତ ବରିହା, ପ୍ରଦୀପ ବରିହା, ପବିତ୍ର ମେହେର, ଯୁଗଲ ପୁଟେଲ ଏବଂ ମାଲକମ ବରିହା ଅଛନ୍ତି । ସୂଚନା ଅନୁସାରେ ଗତ ୧୬ ତାରିଖ ଦିନ ମହରାପଦର ପଂଚାୟତର ସର୍ଗିପାଲି ଗ୍ରାମ ସହିତ ଅନ୍ୟ ଗ୍ରାମର ଶତାଧିକ ପୁରୁଷ ମହିଳା ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯ୍ୟାଳୟ ଠାରେ ପହଂଚିଥିଲେ । ବ୍ଲକ କାର୍ଯ୍ୟାଳୟ ଫାଟକ ବନ୍ଦ ଥିବା ବେଳେ ଭିତରକୁ ଧସେଇ ପଶିଥିଲେ । ଏହି ଆନ୍ଦୋଳନକାରୀମାନେ ବିଡିଓଙ୍କ କାର୍ଯ୍ୟାଳୟ ଭିତରକୁ ପଶି ସେଠାରେ ଲାଗିଥିବା ଏଲଇଡି ଟିଭି, ଚୌକି, ସିସିଟିଭି ମନିଟର ଭାଙ୍ଗିବା ସହିତ କାର୍ଯ୍ୟାଳୟର ଝରକା କାଚ ଆଦି ଭଙ୍ଗାରୁଜା କରିଥିଲେ । ପରେ ଆନ୍ଦୋଳନକାରୀମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବସି ରାସ୍ତାରୋକ କରିଥିଲେ । ଶ୍ରମିକମାନେ ରାସ୍ତା ଉପରେ ବସି ରହିବା ଯୋଗୁଁ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା । ମନରେଗା ଦୁର୍ନୀତିରେ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆନ୍ଦୋଳନକାରୀମାନେ ଦାବୀ କରିଥିଲେ । ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ହଟିବା ପାଇଁ ପ୍ରଶାସନିକ ଅଧିକାରୀମାନେ ବୁଝାଇଥିଲେ ମଧ୍ୟ ଆନ୍ଦୋଳନକାରୀମାନେ ସେମାନଙ୍କ ଜିଦ୍‌ରେ ଅଟଳ ରହିଥିଲେ । ଦିନ ତମାମ ରାସ୍ତା ରୋକ କରିବା ପରେ ରାତି ୧୦ଟାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏ ନେଇ ଖପ୍ରାଖୋଲ ବିଡିଓ ରଶ୍ମିରଞ୍ଜନ ରାଉତ ଥାନାରେ ଅଭିଯୋଗ କରିଥିଲେ । ସୁପ୍ରିମ କୋର୍ଟର ନିର୍ଦ୍ଦେଶ ଅନୁସାରେ କୌଣସି ବ୍ୟକ୍ତି ରାସ୍ତା ଉପରେ କେବଳ ପ୍ରତିକାତ୍ମକ ରାସ୍ତାରୋକ କରିବାର ନିୟମ ରହିଥିବା ବେଳେ ଆନ୍ଦୋଳନକାରୀମାନେ ଦୀର୍ଘ ସମୟ ଧରି ବେଆଇନ ଭାବେ ରାସ୍ତା ଅବରୋଧ କରିବା ନେଇ ଅଭିଯୋଗ ହୋଇଥିଲା । ଖପ୍ରାଖୋଲ ଥାନାରେ ଦୁଇଟି ମାମଲା ରୁଜୁ ହୋଇଥିବା ବେଳେ ପ୍ରଥମ ଦଫାରେ ୭ ଜଣଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ଖପ୍ରାଖୋଲ ବ୍ଲକ ଅଂଚଳର ସରକାରୀ କାର୍ଯ୍ୟାଳୟ ଭିତରେ ପଶି ଭଙ୍ଗାରୁଜା କରିବା ପ୍ରଥମ ଘଟଣା ହୋଇଥିବା ବେଳେ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଏହି ଘଟଣାକୁ ଗୁରୁତର ସହିତ ନେଇଛି । ଏହି ଘଟଣାରେ ଆଉ କେତେକ ବ୍ୟକ୍ତିକୁ ମଧ୍ୟ ପୋଲିସ ଗିରଫ କରିବାର ସମ୍ଭାବନା ରହିଛି । ଏହି ୭ ଜଣ ଗିରଫ ହେବା ପରେ ସର୍ଗିପାଲି ତଥା ଆଖପାଖ ଅଂଚଳର ଜନସାଧାରଣ ଭୟଭୀତ ହୋଇପଡିଛନ୍ତି । ଇତି ମଧ୍ୟରେ ଆନ୍ଦୋଳନକାରୀମାନେ ଆଣିଥିବା ଅଭିଯୋଗର ତଦନ୍ତ ପ୍ରଶାସନ ପକ୍ଷରୁ କରାଯାଇଅଛି । ଗତ ୧୯ ତାରିଖ ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକପାଳ ଏବଂ ତାଙ୍କ ସହଯୋଗୀ ସର୍ଗିପାଲି ଗ୍ରାମକୁ ଯାଇ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାର କାର୍ଯ୍ୟ ବୁଲି ଦେଖିବା ସହିତ ସରଜମିନ ତଦନ୍ତ କରିଛନ୍ତି । ଏହି ତଦନ୍ତର ଫଳାଫଳ ଜାଣିବା ପାଇଁ ଜନସାଧାରଣ ଅପେକ୍ଷା କରି ରହିଛନ୍ତି ।

Leave A Reply

Your email address will not be published.