ଧାର ନେଇଥିବା ଟଙ୍କା ମାଗିବାରୁ ସାଙ୍ଗକୁ ଛୁରୀ ଭୁସିଦେଲା ସାଙ୍ଗ

ଖଲ୍ଲିକୋଟ : ଖଲ୍ଲିକୋଟ ଥାନା ଅନ୍ତର୍ଗତ କମଳାପଦର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ଧାର ଟଙ୍କା ମାଗିବାରୁ ସାଙ୍ଗକୁ ଛୁରୀ ଭୁସିଦେଲା ସାଙ୍ଗ । ଗୁରୁତର ଅବସ୍ଥାରେ ପ୍ରଥମେ ଖଲ୍ଲିକୋଟ ମେଡ଼ିକାଲ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଖଲ୍ଲିକୋଟ ଥାନା ଅନ୍ତର୍ଗତ କମଳାପଦର ଗ୍ରାମର ମନୋଜ କୁମାର ସେଠୀ ଓ ରମ୍ଭା ଥାନା ଅନ୍ତର୍ଗତ କଣ୍ଟିଆଗଡ଼ ଗ୍ରାମର କାଳୁ ଚରଣ ପରିଡ଼ାଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ବନ୍ଧୁତା ରହି ଆସିଥିଲା । ସେହି ବନ୍ଧୁତା ଆଧାରରେ ମନୋଜ ଅସୁବିଧା ସମୟରେ କାଳୁଙ୍କ ଠାରୁ ଟଙ୍କା ଧାର ଆଣନ୍ତି ଓ ପରେ ଦେଇ ଦିଅନ୍ତି । ଗତ କିଛି ମାସ ତଳେ ମନୋଜ ପୁଣି ଥରେ କାଳୁଙ୍କଠାରୁ କିଛି ଟଙ୍କା ଧାର ଆଣିଥିଲେ । ବାରମ୍ବାର ଟଙ୍କା ମାଗିଲେ ମଧ୍ୟ ଟଙ୍କା ନ ଦେଇ ବାହାନା କରି ସମୟ ଗଡାଇ ଚାଲିଥିଲେ ମନୋଜ । ଶନିବାର ଅପରାହ୍ନରେ କାଳୁ କମଳାପଦର ଗ୍ରାମକୁ ଯାଇ ମନୋଜକୁ ଧାର ଟଙ୍କା ମାଗିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା । ଏଥିରେ କ୍ରୋଧାନ୍ୱିତ ହୋଇ ମନୋଜ ଏକ ଛୁରୀ ଦ୍ୱାରା କାଳୁଙ୍କ ପେଟକୁ ଭୂଶି ଦେଇଥିଲେ । ତୁରନ୍ତ କାଳୁ ପରିଡ଼ାଙ୍କୁ ଖଲ୍ଲିକୋଟ ମେଡ଼ିକାଲ ନିଆଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଅନ୍ୟପଟେ ଧସ୍ତାଧସ୍ତି ବେଳେ ମନୋଜଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିବା ଜଣାପଡିଛି । ତେବେ ଏ ସମ୍ପର୍କରେ ରିପୋର୍ଟ ଲେଖା ହେବା ସୁଦ୍ଧା ଥାନାରେ କୌଣସି ଅଭିଯୋଗ ଦାଖଲ ହୋଇ ନ ଥିବା କହିଛନ୍ତି ଏସ୍‌ଆଇ ଅମ୍ବିକା ବେଣିଆ ।

Leave A Reply

Your email address will not be published.

four × 3 =