pakka

ବଲାଙ୍ଗିରରେ କରୋନା ସଂକ୍ରମଣ ସ୍ଥିତି ଉପରମୁହାଁ : ଦୁଇଟି ଅଞ୍ଚଳକୁ କନ୍‌ଟେନ୍‌ମେଣ୍ଟ ଜୋନ ଘୋଷଣା, ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଲେ ଏସପି

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ କରୋନା ସଂକ୍ରମଣ ସ୍ଥିତି ଉପରମୁହାଁ । କଡାକଡି ହେଉଛି ପ୍ରଶାସନର ନିଷ୍ପତ୍ତି । କରୋନା ସଂକ୍ରମଣ ବଢିବା ଯୋଗୁଁ ସହରର ଦୁଇଟି ଅଂଚଳରେ ମାଇକ୍ରୋ କନ୍‌ଟେନ୍‌ମେଣ୍ଟ ଜୋନ କରିଛି ପ୍ରଶାସନ । ପ୍ରତିଦିନ ଶତାଧିକ କରୋନା ସଂକ୍ରମିତଙ୍କ ଲମ୍ବା ତାଲିକା ଆସୁଥିବା ବେଳେ ଏହାକୁ ନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ । ବିଭିନ୍ନ ସମୟରେ ପରିସ୍ଥିତି ଦେଖି ନିୟମ ଗୁଡିକରେ ପରିବର୍ତ୍ତନ କରୁଥିବା ବେଳେ ଚଳିତ ବର୍ଷ କରୋନାରେ ସହରର ପୁଣି ଘୋଷଣା ହୋଇଛି ମାଇକ୍ରୋ କନ୍‌ଟେନ୍‌ମେଣ୍ଟ ଜୋନ । କନ୍‌ଟେନ୍‌ମେଣ୍ଟ ଜୋନରେ କିଭଳି ରହିଛି ଲୋକଙ୍କ ସ୍ଥିତି ନିଜେ ଜିଲ୍ଲାପାଳ ଓ ଏସପି ସ୍ଥିତି ତଦାରଖ କରୁଥିବା ଜଣାପଡ଼ିଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଉଛି ସ୍ବାସ୍ଥ୍ୟ ପରୀକ୍ଷା । ସେପଟେ ପୋଲିସ ପ୍ରଶାସନର କଡା ନିଷ୍ପତ୍ତି, କରୋନାକୁ ନେଇ ଗୁଜବ ସୃଷ୍ଟି କଲେ କିମ୍ବା ଅମାନିଆ ହେଲେ, ସିଧା କାର୍ୟ୍ୟାନୁଷ୍ଠାନ ବୋଲି ଚେତାବନୀ ଦେଇଛନ୍ତି ଏସପି । ତେବେ ସଂକ୍ରମଣ ସ୍ଥିତି ସଙ୍ଗୀନ ହେବାକୁ ବସିଥିବା ବେଳେ କଡା ନିଷ୍ପତ୍ତି ନେବାକୁ ପଡିଛି ପ୍ରଶାସନକୁ । ସହରର ଶାନ୍ତିପଡା ପାଖ ଚଂଦ୍ରଶେଖରନଗର ଓ ମାଲପଡାର ଦୁଇଟି ସ୍ଥାନରେ କରାଯାଇଛି କନ୍‌ଟେନ୍‌ମେଣ୍ଟ ଜୋନ ।

ସୂଚନା ମତେ ଗତ କିଛି ଦିନ ତଳେ ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିଥିବା ଅବସ୍ଥାରେ ଜଣକର ମୃତ୍ୟୁ ଘଟିଥିଲା । କରୋନା ଆକ୍ରାନ୍ତ ବୋଲି ସାହିଭାଇ ଆସିଲେନି । ଦୁଇ ପୁଅ ପିପିଇ କିଟ୍‌ ପିନ୍ଧି ବାପାଙ୍କ ମରଶରୀରକୁ ସ୍କୁଟିରେ ନେଇ ସତ୍କାର କରିଥିଲେ । ଏମିତି ଏକ ବିକଳ ଚିତ୍ର ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ୍‌ ସଲଣ୍ଡି ଗାଁରେ ଦେଖିବାକୁ ମିଳିଛି । ଉଦ୍ଧବ ବେହେରା କରୋନରେ ସଂକ୍ରମିତ ହୋଇଥିଲା । ସେଥିପାଇଁ ସେ ନିଜ ଘରେ କ୍ୱାରେଣ୍ଟାଇନ୍‌ରେ ରହିଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକଠାକ୍‌ ଥିଲା। ତେବେ ତାଙ୍କର ହଠାତ ମୃତ୍ୟୁ ଘଟିଥିଲା । ଉଦ୍ଧବଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଗାଁରେ ଭୟର ବାତାବରଣ ଖେଳିଯାଇଥିଲା । କରୋନା ଆକ୍ରାନ୍ତ ହୋଇଥିବାରୁ ସାହି ଭାଇ କେହି ଆସିଲେ ନାହିଁ । ତେଣୁ ତାଙ୍କର ଦୁଇ ପୁଅ ଓ ଜଣେ ପୁତୁରା ପିପିଇ କିଟ୍‌ ପନ୍ଧି ବାପାଙ୍କ ମୃତଦେହକୁ ଏକ ସ୍କୁଟିରେ ବୋହି ନେଇ ଗାଁର ଗୋଚର ଜମିରେ ସତ୍କାର କରିଥିଲେ । ସେପଟେ ମୃତ ଉଦ୍ଧବଙ୍କ ସ୍ତ୍ରୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ହୋମ୍‌ କ୍ୱାରେଣ୍ଟାଇନରେ ଥିବା ଜଣାପଡିଥିଲା । ସୂଚନାରୁ ପ୍ରକାଶ, ସଲଣ୍ଡି ଗାଁରେ ଏବେ ଅନେକ ଲୋକ କରୋନାରେ ଆକ୍ରାନ୍ତ ହୋଇ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି, ଯାହାକୁ ନେଇ ଗାଁରେ ଏକ ପ୍ରକାର ଭୟର ବାତାବରଣ ଖେଳି ଯାଇଛି । ସେହିପରି ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗ୍ରାମରେ ଦେଖିବାକୁ ମିଲିଥିଲା ଏକ ଦୁଃଖଦାୟକ ଦୃଶ୍ୟ । ଭାଲୁଡୁଙ୍ଗୁରି ଗ୍ରାମର ଅଯୋଧ୍ୟା ସାହୁ (୬୦) ଜ୍ବରରେ ପୀଡିତ ଥିଲେ । ହେଲେ ଗତ ସୋମବାର ଦିନ ଡାକ୍ତରଖାନାରେ ତାଙ୍କର କୋରୋନା ପରୀକ୍ଷଣ କରିବାରୁ କୋରୋନା ସଂକ୍ରମିତ ଥିବା ଜଣା ପଡିଥିଲା । ତାଙ୍କୁ ଔଷଧ ଦେଇ ଘରେ ରହିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଅତି ଖରାପ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଅଯୋଧ୍ୟା କୋରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କରିଥିବା ଯୋଗୁଁ ସଂକ୍ରମଣ ଭୟରେ ସାହି ପଡିଶା, ଗ୍ରାମବାସୀ, ପରିବାର ଲୋକେ କେହି ବି ପାଖ ମାଡିଲେନି । ଶେଷରେ ପୁଅ ଦାମୋଦର ନିରୁପାୟ ହୋଇ ଡାକ୍ତରଖାନା ଦ୍ବାରା ପ୍ରଦତ୍ତ ପିପିଇ କିଟ୍ ପିନ୍ଧି ଏକ ସାଇକେଲ ଯୋଗେ ମା’ର ଶବକୁ ବାନ୍ଧି ମଶାଣିକୁ ନେଇଥିଲେ । ବାପା ମକାରୁ ସ୍ତ୍ରୀ ଅଯୋଧ୍ୟାଙ୍କ ଶବ ପଛେ ପଛେ ମଶାଣି ପର୍ୟ୍ୟନ୍ତ ଯାଇଥିଲେ । ଏହି ଦୃଶ୍ୟ ହୃଦୟ ବିଦାରକ ଥିଲା । ଏମିତି ଲାଗୁଥିଲା ଯେମିତି ମଣିଷପଣିଆ ଆଉ ଦୁନିଆରେ ନାହିଁ । ପରେ ଖବର ପାଇ କିଛି ସାମାଜିକ କର୍ମୀ ପହଞ୍ଚି ଶବ ସତ୍କାର କରିବାରେ ସହଯୋଗ କରିଥିଲେ । ତେବେ କରୋନା ମହାମାରୀକୁ ନେଇ ଏବେ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ସଚେତନତାର ମଧ୍ୟ ଅଭାବ ରହିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ଗାଁ ଗାଁରେ ସଚେତନତା ଅଭିଯାନ କରିବାର ଆବଶ୍ୟକତା ମଧ୍ୟ ରହିଛି ।

jay balangir
Leave A Reply

Your email address will not be published.

nine − nine =