
ବାରିପଦା, (ଦେବସ୍ମିତ ଚୌଧୁରୀ) : ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପରେ ଆମେ : ବାରିପଦାର ମିଳିତ ସହଯୋଗରେ ୭୫ ବାସ୍ତବ ଗ୍ରୁପ ବରିଷ୍ଠ ନାଗରିକ ମାନଙ୍କ ଦ୍ୱରା ପରିବେଷିତ ନାଟକ “ପରେ କହିବି” ଉପସ୍ଥିତ ନାଟ୍ୟପ୍ରେମୀ ଓ ଭରପୁର ଦର୍ଶକ ମଣ୍ଡଳୀଙ୍କୁ ବିମୋହିତ କରିବା ସଂଗେ ସଂଗେ ଭାବ ବିହ୍ୱଳ କରିପକାଇଥିଲା । ଓଡିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ବିଶିଷ୍ଠ ଲେଖକ ଓ ନିର୍ଦ୍ଦେଶକ ଚିନ୍ମୟ ଦାସ ପଟ୍ଟନାୟକ ଏହି ନାଟକର ନାଟ୍ୟକାର ଓ ନିର୍ଦ୍ଦେଶକ ସହ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନିଖୁଣ ଅଭିନୟ କରିଥିବା ବେଳେ ଅନ୍ୟାନ୍ୟ ଚରିତ୍ରରେ ଚମତ୍କାର ଅଭିନୟ କରିଥିଲେ । ଇଞ୍ଜିନିୟର ପ୍ରଦୀପ କିଶୋର ମହାନ୍ତି, ଅଶୋକ ପଟ୍ଟନାୟକ, ପ୍ରଦୀପ ପାଣିଗ୍ରାହୀ, ରବିନ୍ଦ୍ର ମହାପାତ୍ର, ଅରୁଣ କୁମାର ପାତ୍ର, ସର୍ବତୋଷ ଦାଶ, ଶାନ୍ତନୁ ପାଢୀ, କାମିନୀକାନ୍ତ ମାଲାକାର, ନନ୍ଦଲାଲ ମିଶ୍ର, ଶିଶିର କୁମାର ଲେଙ୍କା, ଜୟନ୍ତ ସେନାପତି ଏବଂ ବିଚକ୍ଷଣ ଶିଶୁ କଳାକାର ସୁଶ୍ରୀ ଲତାଶା ଖୁରାନା । ନରସିଂହ ବାରିକ ମଞ୍ଚ ସଜ୍ଜାରେ ସଂଗୀତରେ ଦୁର୍ଗା ଚରଣ ପାତ୍ର ସହଯୋଗ କରିଥିବା ବେଳେ ମଂଚ ପରିଚାଳନା ସୁଧୀର ମହାନ୍ତି, ପ୍ରଦୀପ ସରଘରିଆ, ବିଶ୍ୱଜିତ ପରିଡା ଥିବାବେଳେ ମୁଖ୍ୟ ସହଯୋଗୀ ଭାବେ କାର୍ଯ୍ୟ ସଂପାଦିତ କରିଥିଲେ ରାଜୀବ କୁମାର ପାତ୍ର । ବରିଷ୍ଠ ଉପଦେଷ୍ଠା ମେଜର ଡକ୍ଟର କଳ୍ପନା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅପୂର୍ବ ସଫଳତାର ସହ ମଞ୍ଚସ୍ଥ ହେଇଥିବା ଏହି ନାଟକର ବଳିଷ୍ଠ କାହାଣୀ, ଉଚ୍ଚକୋଟୀର ସଂଳାପ, ଉତ୍କୃଷ୍ଟ ଅଭିନୟ ସାଂଗକୁ ମନମୁଗ୍ଧକର ନିର୍ଦ୍ଦେଶନା ସମସ୍ତ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରି ରଖିଦେଇଥିଲା । ବିଶେଷ କରି ମିଠି ଚରିତ୍ରରେ ଅଭିନୟ କରିଥିବା ଲତାଶାଙ୍କ ଉନ୍ନତମାନର ଅଭିନୟ ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଥିଲା ।