
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ରବିବାର ଦିନ ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ଅରିଶଲ ପଞ୍ଚାୟତର ବଙ୍କିଲୋ ଗ୍ରାମରେ ପ୍ରଥମ କୁମାର ଉତ୍ସବ-୨୦୨୬ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ଗ୍ରାମର ସମସ୍ତ ଗ୍ରାମବାସୀଙ୍କ ସହଯୋଗ ଏବଂ କୁମାରୀ ଯୁବତୀମାନଙ୍କ ନିଷ୍ଠାପର ଉଦ୍ୟମରେ ଆୟୋଜିତ ଏହି ନିଆରା ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ପାରମ୍ପରିକ କଣ୍ଢେଇ ବାହାଘର । ଉତ୍ସବ ଉପଲକ୍ଷେ ସମଗ୍ର ଗ୍ରାମକୁ ରଙ୍ଗ, ଆଲୋକ ଓ ଆକର୍ଷଣୀୟ ସାଜସଜ୍ଜାରେ ସୁସଜ୍ଜିତ କରାଯାଇଥିଲା । ବିବାହ ମଣ୍ଡପ ବା ବେଦିକୁ ମନୋରମ ଭାବରେ ସଜାଯାଇଥିବା ବେଳେ ବରଯାତ୍ରୀଙ୍କ ପାଇଁ ଗାଡ଼ିଟିକୁ ମଧ୍ୟ ସୁନ୍ଦର ଭାବରେ ସଜାଯାଇଥିଲା । ଗ୍ରାମବାସୀଙ୍କ ସାମୂହିକ ସହଯୋଗ ଓ ଉତ୍ସାହ ଯୋଗୁଁ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା । ଏହି ଅବସରରେ ସ୍ୱପ୍ନାରାଣୀ ମହାରଣା (ଦିପ) ଓ ଅନନ୍ୟା ନିତ୍ୟଦର୍ଶନୀ ବିଶ୍ୱାଳ(ଡୁଡୁଲୀ)ଙ୍କୁ ବରକନ୍ୟା କରି ପାରମ୍ପରିକ କଣ୍ଢେଇ ବାହାଘରର ଆୟୋଜନ କରାଯାଇଥିଲା । ଡିଜେ ସଙ୍ଗୀତ ସହ ପାରମ୍ପରିକ ବାଦ୍ୟର ତାଳେ ତାଳେ ବର ଓ କନ୍ୟାଙ୍କୁ ଗ୍ରାମର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତ ପର୍ଯ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ପାଛୋଟି ନିଆଯାଇଥିଲା । ନାଚଗୀତରେ ମସଗୁଲ ହୋଇ ଗ୍ରାମର ଯୁବକ ଓ ଯୁବତୀମାନେ ଏହି ବିବାହ ଉତ୍ସବକୁ ଭରପୂର ଉପଭୋଗ କରିଥିଲେ । ଏହି ବିବାହର ସବୁଠାରୁ ନିଆରା ଦିଗ ଥିଲା ଯେ, ବିବାହର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରାୟ ସମସ୍ତ ପାରମ୍ପରିକ ଭୂମିକା ଗ୍ରାମର କୁମାରୀ ଯୁବତୀମାନେ ନିର୍ବାହ କରିଥିଲେ । ମଧ୍ୟସ୍ଥି, ବର ଓ କନ୍ୟାଙ୍କ ପିତାମାତା, ବ୍ରାହ୍ମଣ, ନଣନ୍ଦ, ଶାଳୀ ଓ ଅନ୍ୟାନ୍ୟ ସମ୍ପର୍କୀୟଙ୍କ ଭୂମିକା ମଧ୍ୟ କୁମାରୀମାନେ ତୁଲାଇଥିଲେ । ବିବାହରେ ପୁରୋହିତଙ୍କ ଭୂମିକା ନିର୍ବାହ କରିଥିଲେ ହାସ୍ୟ ଅଭିନେତା ଶ୍ରୀମାନ୍ ଗବା । ମଙ୍ଗଳକୃତ୍ୟ, ହଳଦୀ, ବିବାହ ବିଧି ଓ ରୋଷଣୀ ଭଳି ପାରମ୍ପରିକ ରୀତିନୀତିକୁ ନିଆରା ଢଙ୍ଗରେ ପାଳନ କରାଯାଇଥିଲା । ବିବାହ ଉତ୍ସବକୁ ଉପଭୋଗ କରିବା ପାଇଁ ଗ୍ରାମବାସୀଙ୍କ ନିମନ୍ତେ ପ୍ରୀତିଭୋଜନର ମଧ୍ୟ ଆୟୋଜନ କରାଯାଇଥିଲା । ଏଥିରେ ଗ୍ରାମର ସମସ୍ତ ବାସିନ୍ଦା ସହଯୋଗର ହାତ ବଢ଼ାଇଥିଲେ । ସମସ୍ତଙ୍କ ମିଳିତ ପ୍ରୟାସରେ କୁମାର ଉତ୍ସବଟି ଅତ୍ୟନ୍ତ ସୁନ୍ଦର ଓ ଶୃଙ୍ଖଳିତ ଭାବରେ ସମ୍ପନ୍ନ ହୋଇଥିଲା । ଗ୍ରାମର କୁମାରୀ ଯୁବତୀମାନଙ୍କ ଏହି ଅଭିନବ ପ୍ରୟାସକୁ ବୁଦ୍ଧିଜୀବୀଙ୍କ ସମେତ ଆବାଳବୃଦ୍ଧବନିତା ଭୂୟସୀ ପ୍ରଶଂସା କରିଥିଲେ । ବଙ୍କିଲା ଗ୍ରାମର କୁମାରୀ ଯୁବତୀମାନଙ୍କ ଏହି ପ୍ରଥମ ପ୍ରୟାସ ଏକ ସୁନ୍ଦର ସ୍ମୃତି ହୋଇ ରହିବା ସହ ଆଗାମୀ ଦିନରେ ଏହି ଉତ୍ସବ ଅଧିକ ଆକର୍ଷଣୀୟ ଭାବରେ ପାଳନ ହେବାର ଆଶା ସୃଷ୍ଟି କରିଛି ।