pakka

ପାଟଣାଗଡ ବିଜ୍ଞାପିତ ପରିଷଦର ଅହେତୁକ ଦୋକାନ ଗୃହ ଭଡ଼ା ବୃଦ୍ଧି ନିଷ୍ପତ୍ତିକୁ ନେଇ ବଣିକ ସଂଘ ପକ୍ଷରୁ ବିରୋଧ : ଏନଏସି କାର୍ଯ୍ୟାଳୟ ଘେରାଉ ନିଷ୍ପତ୍ତି

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବିଜ୍ଞାପିତ ପରିଷଦ ପକ୍ଷରୁ ଦୋକାନ ଗୃହର ଅହେତୁକ ଭଡା ବୃଦ୍ଧିକୁ ପାଟଣାଗଡ଼ ବ୍ୟବସାୟୀ ସଂଘର ବିରୋଧ କରିଛି । ବିଜ୍ଞାପିତ ପରିଷଦର ମନମୁଖୀ ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ସଂଘ ପକ୍ଷରୁ ଏକ ଦାବୀପତ୍ର ଏନ୍ଏସି ଅଧ୍ୟକ୍ଷାଙ୍କୁ ପ୍ରଦାନ କରିବାକୁ ବଣିକ ସଂଘ ନିଷ୍ପତ୍ତି ନେଇଥିବା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଦୀର୍ଘ ବର୍ଷ ପରେ ପାଟଣାଗଡ଼ ସହରବାସୀଙ୍କ ବିଶ୍ୱାସ ଥିଲା ବ୍ୟବସାୟୀଙ୍କ ସମେତ ଲୋକଙ୍କ ସମସ୍ୟା ବୁଝିବା ସହିତ ସହରରେ ଉନ୍ନତିମୂଳକ କାମ କରିବ । ଆଉ ଲୋକେ ସହଜରେ ନ୍ୟାୟ ପାଇବେ ଏବଂ ବେକାର ଯୁବକମାନଙ୍କୁ ନୂତନ ଦୋକାନ ଗୃହ ନିର୍ମାଣ କରି ଥଇଥାନ କରାଯିବ । ହେଲେ ଦୋକାନ ଗୃହର ଦୁଇଗୁଣ ବର୍ଦ୍ଧିତ ଭଡା ଆଦାୟ ପାଇଁ ନୋଟିସ୍‌ ଦେଇ ଦୋକାନୀମାନଙ୍କୁ ସମସ୍ୟାରେ ପକାଇ ଦେଇଛି । ଭଡା ବୃଦ୍ଧି ପାଇଁ ନୋଟିସ୍‌ ଜାରି କରିଥିଲେ ମଧ୍ୟ ବିଜ୍ଞାପିତ ପରିଷଦ ତରଫରୁ ଦୋକାନ ଗୃହ ମରାମତି, ପାନୀୟ ଜଳ, ବିଦ୍ୟୁତ ମରାମତି କରାଯାଉନାହିଁ । ଦୋକାନ ଗୃହ ଗୁଡିକ ଏବେ ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି । ବର୍ଷା ଦିନେ ଦୋକାନ ସାରା ପାଣି ଭର୍ତ୍ତି ହେଉଛି । ପୌର ପରିଷଦ ତରଫରୁ ଘରଭଡ଼ା ନେଇ ବି ଦୋକାନୀମାନଙ୍କ ସମସ୍ୟାକୁ ଗୁରୁତ୍ୱ ଦିଆଯାଉ ନାହିଁ । ଯାହା ଫଳରେ ଦୋକାନୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ଦୁଇବର୍ଷ ହେଲା ମହାମାରୀ କରୋନା ପାଇଁ ବ୍ୟବସାୟ ଠପ୍ ହୋଇଯାଇଥିଲା । ଲୋକେ ଆଜି ବି ଆର୍ଥିକ ସମସ୍ୟାରେ ଘାଣ୍ଟି ହେଉଛନ୍ତି । ଦୋକାନୀମାନେ ବ୍ୟାଙ୍କରୁ ନେଇଥିବା ଋଣ କିସ୍ତି ଠିକ ସମୟରେ ପରିଶୋଧ କରିପାରୁ ନାହାନ୍ତି । ଏଭଳି ଏକ ଘଡିଷନ୍ଧି ମୂହୂର୍ତ୍ତରେ ଅହେତୁକ ଦୋକାନ ଗୃହ ଭଡା ବୃଦ୍ଧି କରି ବୋଝ ଉପରେ ନଳିତା ବିଡା ଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି କହିବା ସହ ଏହାର ସମାଧାନ ନହେଲେ ଆଗାମୀ ଦିନରେ ଏନଏସି କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ବଣିକ ସଂଘ ସଭାପତି ରାଜେଶ କୁମାର ମେହେର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏଥିରେ ବଣିକ ସଂଘର ଉପସଭାପତି ମନୋଜ କୁମାର କୁଦେଇ, ସଂପାଦକ ପ୍ରଫୁଲ୍ଲ କୁମାର ମେହେର, ସହ ସଂପାଦକ ବିଶ୍ୱଜିତ ପଣ୍ଡା, କୋଷାଧ୍ୟକ୍ଷ ମୁକେଶ କୁମାର ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

5 × 1 =