pakka

ଶ୍ରାବଣ ମାସର ଶେଷ ସୋମବାରରେ ମହାଦେବଙ୍କ ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଭିଡ଼ : ଦର୍ଶନ କଲେ କଣ୍ଟାବାଞ୍ଜି ବିଧାୟକ

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଆଜି ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଉପାନ୍ତ ଇଲାକାରେ ଥିବା ଐତିହାସିକ ଯୋଗିନୀ ପୀଠ ରାଣୀପୁର ଝରିଆଲର ସୋମେଶ୍ୱର ମହାଦେବ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଜଳାଭିଷେକ ଅନୁଷ୍ଠିତ ହୋଇଥିଲା । ଗତ ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ପ୍ରଭୁ ଶିବଶଙ୍କରଙ୍କୁ ଜଳାଭିଷେକ କରିବାର ସୁଯୋଗ ପାଇନଥିଲେ । ମାତ୍ର ଚଳିତ ବର୍ଷ କଟକଣା କୋହଳ ହୋଇଥିବା ହେତୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ ଆନନ୍ଦ ପ୍ରକାଶ ପାଇଛି । ଏହି ଅବସରରେ ଶ୍ରଦ୍ଧାଳୁମାନେ ପ୍ରଭୁ ଶିବଶଙ୍କରଙ୍କ ଉଦ୍ଧେଶ୍ୟରେ କାଉଡ଼ିଆ ଭାର ନେଇ ଶିବାଳୟ ଅଭିମୁଖେ ବାହାରିଥିଲେ । ପ୍ରଭୁଙ୍କ ଉପରେ ପାଣି ଢ଼ାଳିବା ପାଇଁ ଭାର ଧରି ରାସ୍ତାରେ ବୋଲବମ୍‌ ହରହର ବମ୍‌ ଧ୍ୱନୀର ତାଳେ ତାଳେ ଚାଲିଥିଲେ । ଧୂପ ଦୀପ, ଫୁଲ, ଚନ୍ଦନ, ସିନ୍ଦୁର ସହ ବେଲପତ୍ର ଦେଇ ଦେବଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରିବା ପରେ ଶିବପଞ୍ଚାକ୍ଷର ଗାନ କରି ପାଣି ଭାର ନେଇ ଶୈବପୀଠ ଅଭିମୁଖେ ଯାତ୍ରା କରିବା ଦେଖିବାକୁ ମିଳିଥିଲା । କାଉଡ଼ିଆମାନଙ୍କ ବୋଲବମ୍‌ ହରହର ବମ୍‌, ବାବାମଣି ନିଅ ଟାଣି, ଧବଳେଶ୍ୱର ପାର କରେଗା, କପିଳାସ ବାବା ପାର କରେଗା, ଲିଙ୍ଗରାଜ ପାର କରେଗା ଆଦି ଧ୍ୱନୀରେ ଗଗନ ପବନ ମୁଖରିତ ହୋଇଥିବା ବେଳେ ଏକ ସାତ୍ତ୍ୱିକ ବାତାବରଣ ସୃଷ୍ଟି ହୋଇଥିଲା । କାଉଡ଼ିଆମାନଙ୍କୁ ଉତ୍ସାହିତ କରିବା ପାଇଁ ଗାଡ଼ିରେ ଡାକବାଜି ଯନ୍ତ୍ର ଦ୍ୱାରା ବୋଲବମ୍‌ ଗୀତ ବାଜୁଥିବା ବେଳେ କାନ୍ଧରେ ପାଣିଭାର ଧରି ଶ୍ରଦ୍ଧାଳୁଙ୍କ ପାଦ ଆଗେଇ ଚାଲିଥିଲା ଶୈବପୀଠ ଅଭିମୁଖେ । ଏହି ଶ୍ରଦ୍ଧାଳୁଙ୍କ ମଧ୍ୟରେ ମହିଳାମାନେ ମଧ୍ୟ ଭାଗ ନେଇଥିବା ଦେଖିବାକୁ ମିଳିଛି । ଏହି କାଉଡ଼ିଆଯାତ୍ରୀମାନେ ବିଭିନ୍ନ ଦଳଦଳ ହୋଇ ଯାଉଥିବା ବେଳେ ଗଣପୋଷାକ ସାଙ୍ଗକୁ କାନ୍ଧରେ କାଉଡ଼ି ଭାରର ଦୃଶ୍ୟ ମଧ୍ୟ ବେଶ ମନୋରମ ହୋଇଥିଲା । ଏହି ମନ୍ଦିରକୁ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଯୋଗ ଦେଇ ମହାଦେବଙ୍କୁ ଦର୍ଶନ କରିଥିଲେ । ଠେମରା ପଞ୍ଚାୟତ ସରପଞ୍ଚ ଲକ୍ଷ୍ମୀକାନ୍ତ ବାଗ ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନଙ୍କ ପାଇଁ ମାଗଣାରେ ଖାଦ୍ୟ ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.

four × one =